ସର୍ଦ୍ଦାର ପଟେଲଙ୍କ ଆବେଦନ ଓ ଗୁଜରାଟୀ ମୂଳତ୍ବ ନରେନ୍ଦ୍ର ମୋଦୀଙ୍କୁ ସୁହାଉଛି: ଶଶୀ ଥରୁର

ନୂଆଦିଲ୍ଲୀ : ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କର ଥିଲା ଏକ ଜାତୀୟ ଆବେଦନ ଏବଂ ସେ ଗୁଜରାଟର ମୂଳ ବାସିନ୍ଦା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସେହିପରି ପଟେଲଙ୍କ ଆବେଦନ ଓ ଗୁଜରାଟୀ ମୂଳତ୍ବ ବେଶ୍ ସୁହାଉଛି ଏବଂ ଅନେକ ଗୁଜରାଟୀଙ୍କ ଦୃଷ୍ଟିରେ ମୋଦୀ ହେଉଛନ୍ତି ଏ ଯୁଗର ପଟେଲ ବୋଲି କଂଗ୍ରେସ ନେତା ଶଶୀ ଥରୁର ଯୁକ୍ତି ବାଢ଼ିଛନ୍ତି।

ତିରୁଅନନ୍ତପୁରମ୍ ଏମ୍‌ପି ଥରୁର ଆହୁରି କହିଛନ୍ତି ଯେ, ମୋଦୀ ଏକ ଚତୁର ରାଜନୈତିକ ରଣନୀତି ଜରିଆରେ ଲୋକଙ୍କ ମନ ଜିଣିଛନ୍ତି, ଯାହାଦ୍ବାରା ମାଟିର ମହାପୁରୁଷ ମହାତ୍ମା ଗାନ୍ଧୀ ଓ ପଟେଲଙ୍କୁ ଭଲ ପାଉଥିବା ଲୋକ ତାଙ୍କୁ ମଧ୍ୟ ପସନ୍ଦ କରୁଛନ୍ତି। ଥରୁର ତାଙ୍କ ନୂଆ ପୁସ୍ତକ ‘ପ୍ରାଇଡ୍, ପ୍ରିଜୁଡିସ୍ ଆଣ୍ଡ୍ ପଣ୍ଡିଟ୍ରି: ଦ ଏସେନ୍‌ସିଆଲ ଶଶୀ ଥରୁର’ରେ ଏହା ଉଲ୍ଲେଖ କରିଛନ୍ତି। ଏହି ପୁସ୍ତକରେ ସେ କେତେକ ଗପ, କବିତା ଓ ପ୍ରବନ୍ଧକୁ ସ୍ଥାନ ଦେଇଛନ୍ତି। ୨୦୧୪ ନିର୍ବାଚନ ପୂର୍ବରୁ ମୋଦୀ ଚତୁରତାର ସହ ନିଜକୁ ମହାତ୍ମା ଗାନ୍ଧୀ ଓ ସର୍ଦ୍ଦାର ପଟେଲଙ୍କ ଉତ୍ତରାଧିକାରୀ ଭାବେ ଉପସ୍ଥାପିତ କରିବାରେ ସଫଳ ହୋଇଛନ୍ତି ବୋଲି ଥରୁର ଲେଖିଛନ୍ତି। ମୋଦୀ ସର୍ଦ୍ଦାର ପଟେଲଙ୍କର ୧୮୨ ମିଟର (୬୦୦ ଫୁଟ୍) ଉଚ୍ଚତାର ମୂର୍ତ୍ତି ପ୍ରତିଷ୍ଠା କଲେ, ଯାହା ଏ ଯାବତ୍ ବିଶ୍ବର ଉଚ୍ଚତମ ପ୍ରତିମୂର୍ତ୍ତିଭାବେ ପରିଗଣିତ ହୋଇ ଆସୁଥିବା ଷ୍ଟାଚ୍ୟୁ ଅଫ୍ ଲିବର୍ଟି ଉଚ୍ଚତାର ଦୁଇଗୁଣ। ଏହି ମୂର୍ତ୍ତି ନିର୍ମାଣ କରିବା ପାଇଁ ମୋଦୀ ରାଜ୍ୟର ଚାଷୀମାନଙ୍କୁ ସେମାନଙ୍କ ଲଙ୍ଗଳ ଲୁହାରୁ ଟିକେ ଟିକେ ଲୁହା ମାଗିଥିଲେ। ଏହା ଭିତରଦେଇ ସେ ପଟେଲ-ପ୍ରେମୀ ଚାଷୀମାନଙ୍କୁ ଆପଣାର କରିନେଇ ପାରିଥିଲେ। ମୋଦୀ ହେଉଛନ୍ତି ପଟେଲଙ୍କର ପ୍ରକୃତ ଉତ୍ତରାଧିକାରୀ ବୋଲି ଚାଷୀମାନେ ତଥା ‌ରାଜ୍ୟର ଲୋକମାନେ ଭାବିବାକୁ ଆରମ୍ଭ କଲେ। ୨୦୦୨ ଦଙ୍ଗା ଘଟଣାରେ ନିଜର ମୂର୍ତ୍ତି ମଳିନ ହୋଇଥିବା ବେଳେ ପଟେଲଙ୍କ ମୂର୍ତ୍ତି ସ୍ଥାପନ ଦ୍ବାରା ମୋଦୀ ସେହି କାଳିମାର କ୍ଷାଳନ କରିପାରିଛନ୍ତି ବୋଲି ଥରୁର ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି।

ସମ୍ବନ୍ଧିତ ଖବର