ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ପୂର୍ବରୁ କୋଭାକ୍ସିନକୁ କେମିତି ମିଳିଲା ମଞ୍ଜୁରୀ? ପ୍ରଶ୍ନ କଲେ ବରିଷ୍ଠ କଂଗ୍ରେସ ନେତା ଶଶି ଥରୁର୍

ନୂଆଦିଲ୍ଲୀ: ଡ୍ରଗ୍ସ୍ କଣ୍ଟ୍ରୋଲର ଜେନେରାଲ ଅଫ୍ ଇଣ୍ଡିଆ (ଡିସିଜିଆଇ) ସେରମ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ କରୋନା ଟିକା କୋଭାକ୍ସିନକୁ ଜରୁରୀକାଳୀନ ବ୍ୟବହାର ପାଇଁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଏହାକୁ ନେଇ ଦେଶବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶଶି ଥରୁର୍ ଓ ଜୟରାମ ରମେଶ ଏହି ଟିକାର ବ୍ୟବହାର ରୋକିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ଏହା ଦେଶବାସୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଆଣିବ ବୋଲି ସେମାନେ କହିଛନ୍ତି ।

ଏନେଇ ଶଶି ଥରୁର୍ ଏକ ଟ୍ୱିଟ୍ ରେ ଲେଖିଛନ୍ତି କି, କୋଭାକ୍ସିନ ଟିକା ଏପର୍ଯ୍ୟନ୍ତ ତା’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଶେଷ କରିନାହିଁ । ତେଣୁ ଏହା ବ୍ୟବହାର ଉପଯୋଗୀ ନୁହେଁ। ଏହାକୁ ବ୍ୟବହାର କଲେ ଦେଶବାସୀଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ଦେଖା ଦେଇପାରେ। ଯେପର୍ଯ୍ୟନ୍ତ ଏହି ଟିକାର ଶେଷ ପର୍ଯ୍ୟାୟ ପରୀକ୍ଷଣ ହୋଇନାହିଁ ତାହାକୁ ବ୍ୟବହାର କରିବାକୁ ଅନୁମତି ନଦେବାକୁ ସେ ସରକାରଙ୍କୁ ଅନୁରୋଧ କରିଛନ୍ତି । ଏହାସହ ଯେପର୍ଯ୍ୟନ୍ତ କୋଭାକ୍ସିନର ପରୀକ୍ଷଣ ସରି ନାହିଁ ସେତେବେଳ ଯାଏ ଆଷ୍ଟ୍ରାଜେନେକା ଟିକା ବ୍ୟବହାର କରାଯାଉ ବୋଲି ସେ କହିଛନ୍ତି ।

ଶଶି ଥରୁରଙ୍କ ବ୍ୟତିତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଜୟରାମ ରମେଶ ବି କୋଭାକସିନକୁ ନେଇ ଅଭିଯୋଗ ଆଣିଛନ୍ତି। ଏନେଇ ସେ ଏକ ଟ୍ୱିଟ୍ କରିଛନ୍ତି । ଟ୍ୱିଟରରେ ସେ ଲେଖିଛନ୍ତି କି ଭାରତ ବାୟୋଟେକ୍ ଟିକା ପ୍ରସ୍ତୁତ କରିବା ନେଇ ପ୍ରଥମେ କାର୍ଯ୍ୟ ଆରମ୍ଭ କରିଥିଲା । ହେଲେ ଦୁର୍ଭାଗ୍ୟର ବିଷୟ ଏହି କମ୍ପାନି ଦ୍ୱାରା ପ୍ରସ୍ତୁତ ହୋଇଥିବା ଟିକାର ଏପର୍ଯ୍ୟନ୍ତ ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ ହୋଇପାରିନାହିଁ। ହେଲେ ଅନ୍ତରାଷ୍ଟ୍ରୀୟ ପ୍ରୋଟକଲକୁ ବଦଳାଇ ଭାରତ ସରକାର ଏହାକୁ ବ୍ୟବହାର ପାଇଁ ଅନୁମତି ଦେଇଦେଲେ । ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସ୍ପଷ୍ଟ କରନ୍ତୁ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର