ଗୃହ ପରିଚାଳନା କରି ରାଜ୍ୟସଭାରେ ସଫଳତାର ସହ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ କଲେ ଡ. ସସ୍ମିତ ପାତ୍ର

ନୂଆଦିଲ୍ଲୀ: ଆଜି ରାଜ୍ୟସଭାରେ ସାଂସଦ ଡ.ସସ୍ମିତ ପାତ୍ରଙ୍କୁ ଆଉ ଏକ ବଡ଼ ସଫଳତା ମିଳିଛି | ଅଧ୍ୟକ୍ଷ ଓ ଉପାଧ୍ୟକ୍ଷଙ୍କ ଅନୁପସ୍ଥିତିରେ ସେ ରାଜ୍ୟସଭାରେ ଗୃହ ପରିଚାଳନା  କରିଥିଲେ। ତାଙ୍କ ପରିଚାଳନାରେ ସଫଳତାର ସହ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ କରିଥିବା ଜଣାପଡ଼ିଛି। ରାଜ୍ୟସଭାରେ ନ୍ୟାସନାଲ ଫରେନସିକ୍ ସାଇନ୍ସ ୟୁନିଭରସିଟି ବିଲ୍ ୨୦୨୦ ଏବଂ ରାଷ୍ଟ୍ରୀୟସୁରକ୍ଷା‌ ୟୁନିଭରସିଟି ବିଲ୍ ୨୦୨୦ ପାରିତ କରାଯାଇଛି | ସେ ସଂପୂର୍ଣ୍ଣ ସଂସଦୀୟ ନିୟମ ସହିତ ସମଗ୍ର ପ୍ରକ୍ରିୟା ପରିଚାଳନା ସମାପନ କରିଥିଲେ । ଦଳ ଅନୁସାରେ ବକ୍ତାମାନଙ୍କୁ ବିଲ୍ ଉପରେ କହିବାକୁ ଅନୁମତି ଦେଇଥିଲେ। ତାଙ୍କ ଅଧ୍ୟକ୍ଷତାରେ ଗୃହ ପରିଚାଳନା ସମୟରେ କୌଣସି ହଙ୍ଗମା ହୋଇ ନଥିବା ସାମ୍ନାକୁ ଆସିଛି। ସମସ୍ତ ସଦସ୍ୟ ଦୁଇଟି ବିଲ୍ ପାରିତ କରିବାରେ ସସ୍ମିତଙ୍କ ଭୂମିକାକୁ ପ୍ରଶଂସା କରିଛନ୍ତି |

ସୂଚନା ମୁତାବକ, ରାଜ୍ୟସଭାରେ ୩ଟି କୃଷି ବିଲ୍ ପାରିତ ହେବା ପରଠାରୁ ଗୃହରେ ହଟ୍ଟଗୋଳ ଲାଗି ରହିଛି। ହଙ୍ଗାମା କରିଥିବାରୁ ୮ସାଂସଦଙ୍କୁ ନିଲମ୍ବିତ କରାଯାଇଥିବା ବେଳେ ଏବେ ସବୁ ବିରୋଧୀ ଦଳ ମିଶି ୩ଟି ଦାବି ପୁରଣ ନହେଲେ ମୌସୁମୀ ଅଧିବେଶନକୁ ବହିଷ୍କାର କରିବେ ବୋଲି ଧମକ ଦେଇଛନ୍ତି। ପ୍ରଥମତଃ ୮ ସାଂସଦଙ୍କ ନିଲମ୍ବନକୁ ପ୍ରତ୍ୟାହାର କରିବାକୁ ବିରୋଧୀ ଦଳ ଦାବି କରିଛନ୍ତି। ବିରୋଧୀ ଏହା ମଧ୍ୟ ଦାବି କରିଛନ୍ତି ଯେ ସରକାର ଏକ ବିଲ୍ ଆଣନ୍ତୁ ଯାହା ନିଶ୍ଚିତ କରିବ ଯେ ଘରୋଇ ବ୍ୟବସାୟୀମ‌ାନେ ସରକାରଙ୍କ ଦ୍ୱାରା ସ୍ଥିର ହୋଇଥିବା ସର୍ବନିମ୍ନ ସମର୍ଥନ ମୂଲ୍ୟ (ଏମ୍ଏସପି) ଠାରୁ କମ୍ ଦରରେ ଖାଦ୍ୟ ଶସ୍ୟ କ୍ରୟ କରିବେ ନାହିଁ। ଏମ ଏସ୍ ସ୍ବାମୀନାଥନ୍ କମିଟି ରିପୋର୍ଟର ସୁପାରିଶ ଉପରେ ଆଧାର କରି ଏମ୍ଏସପି ହେବା ଉଚିତ୍ ବୋଲି କହିଛନ୍ତି ବିରୋଧୀ | ଏହି ୩ଟି ଦାବି ପୂରଣ ନହେବା ଯାଏଁ ବିରୋଧୀ ଦଳମାନେ ମୌସୁମୀ ଅଧିବେଶନକୁ ବହିଷ୍କାର କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର