ସାଉଦି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କ ବ୍ୟକ୍ତିଗତ ଜେଟ୍‌କୁ ‘ଅନାଥ’ ଅବସ୍ଥାରେ ନ୍ୟୁୟର୍କରେ ଛାଡ଼ି ଚାଲି ଆସିବା ମହଙ୍ଗା ସାବ୍ୟସ୍ତ; ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କ ଉପରେ କ୍ରାଉନ୍‌ ପ୍ରିନ୍ସ ଖପ୍ପା

ଇସ୍‌ଲାମାବାଦ: ସାଉଦି ଆରବର କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କ ବ୍ୟକ୍ତିଗତ ଜେଟ୍‌ ବିମାନକୁ ନେଇ ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ଯୋଗ ଦେବାକୁ ନ୍ୟୁୟର୍କ ଯାଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ସେଠାରେ ଯେଉଁ ଢ଼ଙ୍ଗରେ ତାଙ୍କ ବିମାନକୁ ‘ଅନାଥ’ କରି ଛାଡ଼ି ଚାଲିଆସିଲେ ଓ ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ଯେଉଁପରି ଆଚରଣ ଓ ଉଚ୍ଚାରଣ ପ୍ରଦର୍ଶନ କଲେ ତାକୁ ନେଇ କ୍ରାଉନ୍‌ ପ୍ରିନ୍ସ ସଲମାନ ଏବେ ଇମ୍ରାନ୍‌ ଉପରେ ଖୁବ୍‌ ଖପ୍ପା ହୋଇ ପଡ଼ିଥିବା ଜାଣିବାକୁ ମିଳିଛି।

NewsRoomPost

ହସ୍ତଗତ ହୋଇଥିବା ରିପୋର୍ଟରୁ ପ୍ରକାଶ, ଗତ ମାସରେ ନ୍ୟୁୟର୍କ ଠାରେ ଆୟୋଜିତ ହୋଇଥିବା ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ଯୋଗ ଦେବାକୁ ନ୍ୟୁୟର୍କ ଯିବା ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ରିୟାଦ୍‌ ଯାଇଥିଲେ। ସେଠାରେ ସେ ସାଉଦି ଆରବର କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କୁ ସାକ୍ଷାତ୍‌ କରିବା ସହ ନ୍ୟୁୟର୍କ ଗସ୍ତ ପାଇଁ ତାଙ୍କୁ ତାଙ୍କର ବ୍ୟକ୍ତିଗତ ଜେଟ୍‌ ବିମାନ ଦେବାକୁ ଅନୁରୋଧ କରିଥିଲେ। କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ୍‌ ନିଜର ବ୍ୟକ୍ତିଗତ ଜେଟ୍‌ ବିମାନ ଦେବାପରେ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ସେଥିରେ ପାକିସ୍ତାନୀ ପ୍ରତିନିଧି ମଣ୍ଡଳୀକୁ ଧରି ନ୍ୟୁୟର୍କ ଯାଇଥିଲେ।

ତେବେ, ନ୍ୟୁୟର୍କରୁ ଫେରିବା ବେଳକୁ କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କ ଜେଟ୍‌ ବିମାନରେ କିଛି ଯାନ୍ତ୍ରିକ ତ୍ରୁଟି ଦେଖା ଦେଇଥିଲା। ତେବେ, ବିମାନରେ ଦେଖା ଦେଇଥିବା ଯାନ୍ତ୍ରିକ ତ୍ରୁଟିକୁ କିପରି ଠିକ୍‌ କରାଯିବ ଓ ବିମାନଟିକୁ ନ୍ୟୁୟର୍କରୁ କିପରି ରିୟାଦ ଅଣାଯିବ ତାହାର କୌଣସି ବ୍ୟବସ୍ଥା ନକରି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ କ୍ରାଉନ୍‌ ପ୍ରିନ୍ସଙ୍କ ବ୍ୟକ୍ତିଗତ ଜେଟ୍‌କୁ ‘ଅନାଥ’ ଅବସ୍ଥାରେ ନ୍ୟୁୟର୍କରେ ଛାଡ଼ିଦେଇ ନିଜ ପ୍ରତିନିଧି ମଣ୍ଡଳୀକୁ ଧରି ଯାତ୍ରୀବାହୀ ବିମାନରେ ଯେପରି ପାକିସ୍ତାନ ଫେରି ଆସିଲେ ତାହା କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କୁ କ୍ଷୁବ୍ଧ କରିଛି। ପୁଣି, ମିଳିତ ଜାତିସଂଘ ସାଧାରଣ ଅଧିବେଶନରେ ନିଜ ଭାଷଣରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ନିଜକୁ ଯେପରି ଢ଼ଙ୍ଗରେ ବିଶ୍ୱର ମୁସଲମାନ୍‌ମାନଙ୍କର ‘ମସିହା’ ଭାବେ ଉପସ୍ଥାପିତ କଲେ ତାକୁ ନେଇ ମଧ୍ୟ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ଙ୍କ ଉପରେ କ୍ଷପ୍ପା ହୋଇଛନ୍ତି କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ।

ANI News

ଅବଶ୍ୟ କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନ ତାଙ୍କ ବିମାନକୁ ଇତିମଧ୍ୟରେ ନିଜ ଉଦ୍ୟମରେ ନ୍ୟୁୟର୍କରୁ ରୟାଦ ଫେରାଇ ଆଣିଲେଣି।

ସମ୍ବନ୍ଧିତ ଖବର