ସ୍ୱୟଂଚାଳିତ କାର୍‌ ଧକ୍କା ଖାଇ ଏରିଜୋନାରେ ସାଇକେଲ ଚାଳିକା ନିହତ

ନୂଆଦିଲ୍ଲୀ: ଆମେରିକାର ଏରିଜୋନା ଅନ୍ତର୍ଗତ ଉପନଗର ଫିନିକ୍ସ୍‍ରେ ଗୋଟିଏ ସ୍ୱୟଂଚାଳିତ ଉବର୍‌ ଏସ୍‌ୟୁଭି ଧକ୍କା ଦେବା ଯୋଗୁଁ ରବିବାର ଦିନ ଜଣେ ସାଇକେଲ୍‌ ଚାଳିକା ନିହତ ହୋଇଛନ୍ତି। ୪୯ ବର୍ଷୀୟ ଏଲାଇନ୍‌ ହର୍ଜବର୍ଗ ସାଇକେଲ୍‌ ଚଳାଇ ଯାଉଥିବାବେଳେ ଡ୍ରାଇଭର ନିଷ୍କ୍ରିୟ ଥାଇ ସେଲ୍‌ଫ୍‌ ଡ୍ରାଇଭିଙ୍ଗ୍‌ ମୋଡ୍‌ରେ ଥିବା ଏକ ଭୋଲ୍‌ଭୋ ତାଙ୍କୁ ଧକ୍କା ଦେଇଥିଲା। ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଥିଲା।

ପରୀକ୍ଷାମୂଳକ ଭାବେ ଚଳାଚଳ କରୁଥିବା ସ୍ୱଂୟଚାଳିତ ଗାଡ଼ିର ଏହା ହେଉଛି ସର୍ବପ୍ରଥମ ଦୁର୍ଘଟଣା। ଦୁର୍ଘଟଣା ବେଳେ ଗାଡ଼ିର ବେଗ ଥିଲା ଘଣ୍ଟା ପ୍ରତି ୪୦ କିଲୋମିଟର।

ଫିନିକ୍ସ, ପିଟ୍‌ସ୍‌ବର୍ଗ, ସାନ୍‌ ଫ୍ରାନ୍‌ସିସ୍‌କୋ ଏବଂ ଟୋରଣ୍ଟ ଆଦି ଅଞ୍ଚଳରେ ପରୀକ୍ଷାମୂଳକ ଭାବେ ଚଳପ୍ରଚଳ କରାଯାଉଥିବା ଏ ଭଳି ସମସ୍ତ ଗାଡ଼ିକୁ ପ୍ରତ୍ୟାହାର କରି ନିଆ ଯାଇଛି। ଗତ କିଛି ମାସ ହେବ ଏହି ଯାନ ସଡ଼କରେ ଚଳାଯାଇ ପରୀକ୍ଷା କରାଯାଉଥିଲା।

ସ୍ୱୟଂଚାଳିତ ଗାଡ଼ି ସବୁରେ ଲେଜର୍‌, ରାଡାର୍‌, କ୍ୟାମେରା ସେନ୍‌ସର୍‌ ଏବଂ ଉନ୍ନତ କମ୍ପ୍ୟୁଟର୍‌ ଲାଗିଥିବାରୁ ତାହା ଆମେରିକାରେ ବର୍ଷକୁ ଘଟୁଥିବା ୪୦, ୦୦୦ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁକୁ ହ୍ରାସ କରାଇବ ବୋଲି ବିଚାର କରାଯାଉଥିଲା।

ସମ୍ବନ୍ଧିତ ଖବର