ବିଫଳ ହେଲା ସିସିଲ୍ସରେ ଭାରତର ସାମରିକ ଘାଟି ପ୍ରତିଷ୍ଠା ଉଦ୍ୟମ

ନୂଆଦିଲ୍ଲୀ: ଭାରତ ମହାସାଗରୀୟ ଦେଶ ସିସିଲ୍ସରେ ସାମରିକ ଘାଟି ସ୍ଥାପନ ପାଇଁ ଗତ କିଛି ବର୍ଷ ଧରି ଭାରତ କରିଆସୁଥିବା ଉଦ୍ୟମକୁ ଧକ୍କା ଲାଗିଛି । ସିସିଲ୍ସର ବିରୋଧୀଦଳ ଏହାକୁ ସମର୍ଥନ ଦେବାକୁ ମନା କରିଦେବା ପରେ ଏ ସଂପର୍କିତ ବିଲ୍‌କୁ ଏପ୍ରିଲମାସରେ ସିସିଲ୍ସ ସଂସଦରେ ଆଗତ କରାଯିବ ନାହିଁ । ଏ ସଂପର୍କରେ ସିସିଲ୍ସର ରାଷ୍ଟ୍ରପତି ଡ୍ୟାନି ଫାଉରେ ସୂଚନା ଦେଇଛନ୍ତି । କିଛିଦିନ ତଳେ ସେ ଏକ ସମ୍ମିଳନୀରେ ଯୋଗ ଦେବାକୁ ନୂଆଦିଲ୍ଲୀ ଆସିଥିବାବେଳେ ସେ କହିଛନ୍ତି ଯେ ବିରୋଧୀ ଦଳଙ୍କ ସଂସଦରେ ସଂଖ୍ୟାଗରିଷ୍ଠତା ଥିବାରୁ ବିଲ୍‌ଟି କାଟଖାଇବାର ଆଶଙ୍କା ଥିଲା । ଏଣୁ ଏ ପରିସ୍ଥିତିରେ ବିଲ୍‌କୁ ବାଚସ୍ପତିଙ୍କ ନିକଟକୁ ପଠାଇବା ଉଚିତ ନୁହେଁ । ଭାରତକୁ ଘେରିବାକୁ ଚୀନ ଭାରତ ମହାସାଗରୀୟ ଅଂଚଳରେ ନିଜର ସାମରିକ ଘାଟି ସଂଖ୍ୟା ବଢାଇଚାଲିଛି । ଚୀନର ପ୍ରଭାବକୁ ରୋକିବାକୁ ଭାରତ ମଧ୍ୟ କେତୋଟି ଦେଶରେ ଘାଟି ପ୍ରତିଷ୍ଠା କରିବାକୁ ଉଦ୍ୟମ କରୁଛି । ସେସବୁ ସ୍ଥାନ ହେଉଛି ଭାରତ ମହାସାଗରୀୟ ଦେଶ ସିସିଲ୍ସ ଓ ଉପସାଗରୀୟ ଦେଶ ଓମାନ । କିନ୍ତୁ ସିସିଲ୍ସରେ ପ୍ରତିଷ୍ଠା ହେବାକୁ ଥିବା ଭାରତର ସାମରିକ ଘାଟିକୁ ସ୍ଥାନୀୟ ଲୋକ ଓ ବିରୋଧୀ ଦଳ  ଏଲଡିଏସ ପ୍ରବଳ ବିରୋଧ କରୁଛନ୍ତି । ଫଳରେ ଏହି ପ୍ରକଳ୍ପ ଏବେ ଅନିଶ୍ଚିତ ହୋଇପଡିଛି ।  ଏହି ପ୍ରକଳ୍ପ ପାଇଁ ମୂଳ ଚୁକ୍ତିନାମା ୨୦୧୫ ମସିହାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ସିସିଲି ଗସ୍ତ ବେଳେ ସ୍ୱାକ୍ଷରିତ ହୋଇଥିଲା।

 

 

ସମ୍ବନ୍ଧିତ ଖବର