ଋଷର ସୀମା ସୁରକ୍ଷା ପୋଷ୍ଟକୁ ଉଡ଼ାଇଲା ୟୁକ୍ରେନ, ଚିନ୍ତାଜନକ ହେବାରେ ଲାଗିଛି ୟୁକ୍ରେନ ଏବଂ ଋଷ ମଧ୍ୟରେ ବିବାଦ

ନୂଆଦିଲ୍ଲୀ: ୟୁକ୍ରେନ ଏବଂ ଋଷ ମଧ୍ୟରେ ପରିସ୍ଥିତି ଚିନ୍ତାଜନକ ହେବାରେ ଲାଗିଛି। ଗୋଟିଏ ଦିନରେ ୟୁକ୍ରେନ୍‌ର ପୂର୍ବ ପ୍ରାନ୍ତରେ ୧୫୦୦ରୁ ଅଧିକ ଥର ଅସ୍ତ୍ରବିରତି ଉଲ୍ଲଂଘନ ହୋଇସାରିଥିବା ବେଳେ ଏବେ ସୀମାରେ ଋଷ ସୈନ୍ୟବାହିନୀର କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି। ୟୁକ୍ରେନ ସୀମା ନିକଟରେ ଋଷର ସୈନ୍ୟମାନଙ୍କର ଗତିବିଧି ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି। ସାଟେଲାଇଟ ଫଟୋରେ ଆକ୍ରମଣ ପାଇଁ ଋଷ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଦେଖାଯାଇଛି। ତେବେ ଏମଧ୍ୟରେ ଆଉ ଏକ ଆଶ୍ଚର୍ଯ୍ୟ କଲା ଭଳି ଖବର ମଧ୍ୟ ସାମ୍ନାକୁ ଆସିଛି।

ମସ୍କୋ ଦାବି କରିଛି ଯେ ୟୁକ୍ରେନ ସେନାର ଗୁଳିରେ ଋଷର ଏକ ସୀମା ପୋଷ୍ଟ ନଷ୍ଟ ହୋଇଛି। ୟୁକ୍ରେନ ଅଞ୍ଚଳରୁ ଚଳାଯାଇଥିବା ଗୁଳି, ଋଷର ରୋଷ୍ଟୋଭ ଅଞ୍ଚଳରେ ଥିବା ସୀମା ସୁରକ୍ଷା କର୍ମୀ ପୋଷ୍ଟକୁ ସମ୍ପୂର୍ଣ୍ଣରୂପେ ନଷ୍ଟ କରି ଦେଇଥିବା ଦାବି କରାଯାଉଛି। ଏହି ଘଟଣାରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡ଼ିଛି। ଋଷ ଏବଂ ୟୁକ୍ରେନ ସୀମାଠାରୁ ପ୍ରାୟ ୧୫୦ମିଟର ଦୂରରେ ଏହି ଘଟଣା ଘଟିଛି। ହେଲେ ୟୁକ୍ରେନ ଏହି ଖବରକୁ ମିଛ ବୋଲି କହିଛି।

ଏହା ପୂର୍ବରୁ ଆକ୍ରମଣ ସମୟରେ କେଉଁ ୟୁକ୍ରେନୀୟମାନଙ୍କୁ ହତ୍ୟା କରାଯିବ ଓ କେଉଁମାନଙ୍କୁ କ୍ୟାମ୍ପ୍‌କୁ ପଠାଯିବ ରୁଷ୍‌ ତା’ର ତାଲିକା ପ୍ରସ୍ତୁତ କରିସାରିଛି ବୋଲି ସୂଚନା ପାଇଥିବା କଥା ଜଣାଇ ଯୁକ୍ତରାଷ୍ଟ୍ର ଆମେରିକା ଜାତିସଂଘକୁ ସତର୍କ କରାଇଦେଇଥିଲା। ରବିବାର ଦିନ ଜାତିସଂଘର ମାନବ ଅଧିକାର ମୁଖ୍ୟଙ୍କ ନିକଟକୁ ଆସିଥିବା ଏକ ପତ୍ରରେ ୱାସିଂଟନ୍‌ କହିଥିଲା ଯେ, ମାନବ ଅଧିକାର ଉପରେ ସମ୍ଭାବ୍ୟ ବିପତ୍ତି ‌ଆଶଙ୍କା କରି ଯୁକ୍ତରାଷ୍ଟ୍ର ଆମେରିକା ଖୁବ୍‌ ଚିନ୍ତିତ।

ସମ୍ବନ୍ଧିତ ଖବର