ଆଜି ସଂସଦରେ ହାଜର ହେବେ ସଂଜୟ ଲୀଲା ଭଂସାଲୀ

ଆଜି ‘ପଦ୍ମାବତୀ’କୁ ନେଇ ଉଠିଥିବା ବିବାଦର କୌଣସି ସମାଧାନର ରାସ୍ତା ବାହାରିବ!

ନୂଆଦିଲ୍ଲୀ: ନିର୍ଦ୍ଦେଶକ ସଂଜୟ ଲୀଲା ଭଂସାଲୀଙ୍କ ବହୁ ପ୍ରତୀକ୍ଷିତ ସିନେମା ‘ପଦ୍ମାବତୀ’କୁ ନେଇ ବିବାଦ ଥମୁ ନଥିବା ବେଳେ ଏହାର ସମାଧାନଲାଗି କେନ୍ଦ୍ର ସରକାର ଏକ ପଦକ୍ଷେପ ନେଇଛନ୍ତି। ଏଥିପାଇଁ ଆଜି ସଂସଦରେ ହାଜର ହେବେ ସଂଜୟ ଲୀଲା ଭଂସାଲୀ । ସେ ଆଇ ଟି ଷ୍ଟାଣ୍ଡିଂ କମିଟି ସାମ୍ନାରେ ନିଜର ପକ୍ଷ ରଖିବେ। ‘ପଦ୍ମାବତୀ’କୁ ନେଇ ବିବାଦ ସଂପର୍କରେ ସେ ନିଜର ମତ ରଖିବେ। ଏହି ସିନେମାରେ ଐତିହାସିକ ତଥ୍ୟଗତ ତ୍ରୁଟି ରହିଛି କି ନା ତାହା କହିବେ। ଅପରପକ୍ଷରେ କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ (ସି ବି ଏଫ୍‌ ସି)ର ଅଧ୍ୟକ୍ଷ ପ୍ରସୁନ ଯୋଶୀ ବି ଏହି ସମୟରେ ଉପସ୍ଥିତ ରହିବାର ସୂଚନା ମିଳିଛି।ଏହି କମିଟିର ଅଧ୍ୟକ୍ଷ ଅଛନ୍ତି ଭାରତୀୟ ଜନତା ପାର୍ଟିର ନେତା ଅନୁରାଗ ଠାକୁର। ପୂର୍ବରୁ ଗତ ୧୭ ତାରିଖ ଦିନ କମିଟିର ବୈଠକରେ ଏହି ସମସ୍ୟାର ସମାଧାନ କରିବା ଲାଗି ଉଭୟ ସଂଜୟ ଲୀଲା ଭଂସାଲୀ ଏବଂ ପ୍ରସୁନ ଯୋଶୀଙ୍କୁ ଡକାଯିବାର ନିଷ୍ପତ୍ତି ନିଆଯାଇଥିଲା। ଆଶା କରାଯାଉଛି ଆଜି ‘ପଦ୍ମାବତୀ’କୁ ନେଇ ଉଠିଥିବା ବିବାଦର କୌଣସି ସମାଧାନର ରାସ୍ତା ବାହାରିବ।

photo-bollywoodhungama

ଏଠାରେ ସୂଚନାଯୋଗ୍ୟ ଯେ ଏହି ଫିଲ୍ମରେ ରାଣୀ ପଦ୍ମାବତୀ ଭୂମିକାରେ ଅଭିନୟ କରିଛନ୍ତି ବଲିଉଡର ହଟ୍‌ ହିରୋଇନ୍‌ ଦୀପିକା ପାଦୁକୋନ୍‌ । ଅନ୍ୟପକ୍ଷରେ ଏଥିରେ ଆଲ୍ଲାଉଦ୍ଦିନ ଖିଲଜି ଚରିତ୍ର ନିଭାଇଛନ୍ତି ରଣବୀର ସିଂହ । ଠିକ୍‌ ସେହିପରି ଶାହିଦ୍‌ କପୁର ଅଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ । ଆହୁରି ମଧ୍ୟ ଏହାକୁ ଗୁଜୁରାଟ ,ରାଜସ୍ଥାନ, ଏବଂ ମଧ୍ୟ ପ୍ରଦେଶ ଓ ବିହାର ସରକାର ସେମାନଙ୍କ ରାଜ୍ୟରେ ପ୍ରଦର୍ଶନ ପାଇଁ ଅନୁମତି ଦେବାକୁ ମନା କରିଛନ୍ତି। ତେଣେ ସର୍ବ ବ୍ରାହ୍ମଣ ମହାସଭା ‘ ପଦ୍ମାବତୀ’ ବିରୁଦ୍ଧରେ ଆନ୍ଦୋଳନର ପ୍ରତୀକ ଭାବେ ଏକ ରକ୍ତ ଲେଖା ଚିଠି କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ପାଖକୁ ପଠାଇଥିବା ମଧ୍ୟ ଜଣାଯାଇଛି ।ପୂର୍ବରୁ ଶ୍ରୀ ରାଜପୁତ କରଣୀ ସେନା ପକ୍ଷରୁ ‘ ପଦ୍ମାବତୀ’ର ବିରୋଧ କରାଯାଇଛି।

ସମ୍ବନ୍ଧିତ ଖବର