ଘନାଉଛି ବିବାଦ: ଦକ୍ଷିଣର ୩ ରାଜ୍ୟପାଳଙ୍କ ବିରୋଧରେ ସ୍ବର ତେଜିଲା

ହାଇଦ୍ରାବାଦ: ଦକ୍ଷିଣ ଭାରତୀୟ ରାଜ୍ୟ କେରଳ, ତାମିଲନାଡ଼ୁ ଓ ତେଲେଙ୍ଗାନାରେ ରାଜ୍ୟପାଳ ଓ ରାଜ୍ୟ ସରକାରଙ୍କ ଭିତରେ ତିକ୍ତତା ଚରମ ସୀମାରେ ପହଞ୍ଚିଛି। ଏହି ରାଜ୍ୟପାଳମାନେ କେନ୍ଦ୍ର ସରକାରଙ୍କ ‘ସଖୀ କଣ୍ଢେଇ’ ପରି କାର୍ଯ୍ୟ କରୁଥିବା ସମ୍ପୃକ୍ତ ରାଜ୍ୟ ସରକାରଗୁଡ଼ିକ ଅଭିଯୋଗ ‌କରୁଛନ୍ତି। ଏହି ରାଜ୍ୟପାଳମାନେ ନିଜ ସୀମା ଉଲ୍ଲଂଘନ କରି ରାଜ୍ୟ ସରକାରଙ୍କ କାମରେ ପ୍ରତିବନ୍ଧକ ସୃଷ୍ଟି କରୁଛନ୍ତି। କେରଳ, ତେଲେଙ୍ଗାନା ଓ ତାମିଲନାଡ଼ୁରେ ଶାସକ ଦଳଗୁଡ଼ିକ ରାଜ୍ୟପାଳମାନଙ୍କ ବିରୋଧରେ ରାଜରାସ୍ତାକୁ ଓହ୍ଲାଇବା ଓ ଆନ୍ଦୋଳନ କରିବା ଦେଖିବାକୁ ମିଳୁଛି। ତାମିଲନାଡ଼ୁର ଶାସକ ଡିଏମ୍‌କେ ଆଜି ତେଲେଙ୍ଗାନା ରାଜ୍ୟପାଳ ତାମିଲିସାଇ ସୌନ୍ଦରରାଜନଙ୍କ ବିରୋଧରେ ପଡ଼ୋଶୀ ରାଜ୍ୟର ରାଜନୀତିରେ ନାକ ‌ପୂରାଉଥିବା ଅଭିଯୋଗ କରିଛି। ରାଜ୍ୟ ବିଶ୍ବବିଦ୍ୟାଳୟଗୁଡ଼ିକରେ ହେଉଥିବା ନିଯୁକ୍ତିକୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ (କେସିଆର୍) ମଧ୍ୟ ପୂର୍ବରୁ ତାମିଲନାଡ଼ୁର ବରିଷ୍ଠ ବିଜେପି ନେତା ଥିବା ଶ୍ରୀମତୀ ସୌନ୍ଦରରାଜନଙ୍କ ଉପରେ ଖପା।

ତାମିଲନାଡ଼ୁ ଓ ତେଲେଙ୍ଗାନାର ନେତା ଓ ଭାଷାକୁ ନେଇ ନିକଟରେ ସୌନ୍ଦରରାଜନଙ୍କ ମନ୍ତବ୍ୟ ବିବାଦ ସୃଷ୍ଟି କରିଥିଲା। ଏହା ଉପରେ ପ୍ରତିକ୍ରିୟା ରଖି ଡିଏମ୍‌କେ ମୁଖପତ୍ର ମୁରାସୋଲିରେ କୁହାଯାଇଛି ଯେ ତାମିଲନାଡ଼ୁ ରାଜନୀତିରେ ତେଲେଙ୍ଗାନା ରାଜ୍ୟପାଳ ହସ୍ତକ୍ଷେପ କରିବା ଉଚିତ ନୁହେଁ। ଯଦି ରାଜନୀତି କରିବାର ଅଛି, ତେଲେଙ୍ଗାନାରୁ ରାଜ୍ୟପାଳ ପଦ ଛାଡ଼ି ତାମିଲନାଡ଼ୁ ଆସି ରାଜନୀତି କରନ୍ତୁ। ଏଥିରେ ଆହୁରି ଲେଖାଯାଇଛି, ତାମିଲନାଡ଼ୁର ରାଜ୍ୟପାଳ ଆର୍‌ଏନ୍ ରବି ମଧ୍ୟ ସୀମା ଲଂଘନ କରୁଛନ୍ତି ଏବଂ ବିଭ୍ରାନ୍ତିକର ମନ୍ତବ୍ୟ ଦେଉଛନ୍ତି। ରାଜ୍ୟପାଳ ତାଙ୍କ ସାମ୍ବିଧାନିକ ପଦମର୍ଯ୍ୟାଦା ରକ୍ଷା କରିବା ପାଇଁ ଏଥିରେ କୁହାଯାଇଛି।

ଏହାପୂର୍ବରୁ ଚଳିତ ମାସରେ ରାଜ୍ୟପାଳ ଆର୍‌ଏନ୍‌ ରବିଙ୍କୁ ବିଦା କରିବା ପାଇଁ ଡିଏମ୍‌କେ ଏହି ଅଭିଯାନ ଆରମ୍ଭ କରିଛି। ସେ ସମ୍ବିଧାନ ବିରୋଧୀ କାମ କରୁଛନ୍ତି। ସେ ରାଜ୍ୟପାଳ ପଦ ପାଇଁ ଅଯୋଗ୍ୟ ବୋଲି ଲେଖାଥିବା ଏକ ସ୍ମାରକପତ୍ରରେ ସ୍ବାକ୍ଷର କରିବା ପାଇଁ ସହଯୋଗୀ ଦଳ ଏମ୍‌ପିମାନଙ୍କୁ ଦଳ ପକ୍ଷରୁ ଅନୁରୋଧ କରାଯାଇଛି। ତାମିଲନାଡ଼ୁ ରାଜ୍ୟପାଳ ରବିଙ୍କ ପାଖରେ ଏବେ ୨୦ଟି ବିଲ୍ ପଡ଼ିରହିଛି। ସେ ସେଗୁଡ଼ିକୁ ମଂଜୁର କରୁନାହାନ୍ତି। ଦୁଇଥର ବିଧାନସଭାରେ ପାସ୍ ହୋଇଥିଲେ ମଧ୍ୟ ନିଟ୍ ପରୀକ୍ଷା ବିଲ୍‌କୁ ସେ ରାଷ୍ଟ୍ରପତିଙ୍କ ପାଖକୁ ପଠାଉ ନାହାନ୍ତି। ତେଲେଙ୍ଗାନା ରାଜ୍ୟପାଳ ଓ ରାଜ୍ୟସରକାରଙ୍କ ଭିତରେ ବି ସେମିତି ଚାଲିଛି ମୁହାଁମୁହିଁ।

ବିଶ୍ବବିଦ୍ୟାଳୟ ମଞ୍ଜୁରି ଆୟୋଗ ନିୟମାନୁଯାୟୀ ୧୫ଟି ରାଜ୍ୟ ବିଶ୍ବବିଦ୍ୟାଳୟ ପାଇଁ ଏକ ସାଧାରଣ ନିଯୁକ୍ତି ବୋର୍ଡ ସମ୍ପର୍କରେ ଆଲୋଚନା ନିମନ୍ତେ ସେ ରାଜ୍ୟ ଶିକ୍ଷାମନ୍ତ୍ରୀଙ୍କୁ ଡାକିଛନ୍ତି। ବିଶ୍ବବିଦ୍ୟାଳୟଗୁଡ଼ିକରେ ଗତ ତିନିବର୍ଷରେ ବାରମ୍ବାର ସ୍ମାରକପତ୍ର ପ୍ରଦାନ ସତ୍ତ୍ବେ କାହିଁକି ପଦବିଗୁଡ଼ିକ ପୂରଣ କରାଯାଉ ନାହିଁ ବୋଲି ସେ ପ୍ରଶ୍ନ କରିଚନ୍ତି। ତେଲେଙ୍ଗାନା ରାଜ୍ୟପାଳଙ୍କ ପାଖରେ ଏବେ ୮ଟି ବିଲ୍ ପଡ଼ିରହିଛି। ସେଥିମଧ୍ୟରୁ ଗୋଟିଏ ହେଉଛି ଶିକ୍ଷକ ଓ ଅଣଶିକ୍ଷକ ପଦବିଗୁଡ଼ିକରେ ସିଧାସଳଖ ନିଯୁକ୍ତି। ଏହି ବିଲ୍‌ରେ ସେ ସ୍ବାକ୍ଷର ନ କରିବାରୁ ଉଭୟ ଛତ୍ରଛାତ୍ରୀ ଓ ସରକାର ରାଗିଯାଇଛନ୍ତି ଏବଂ ତାଙ୍କର କେନ୍ଦ୍ରର ସିଖୀ କଣ୍ଡେଇ ବୋଲି କହୁଛନ୍ତି।

ସମ୍ବନ୍ଧିତ ଖବର