୭୨ ତୋପ ସଲାମୀ ସହ ସମାଧିସ୍ଥ ହେଲା ଏସ୍‌ପି ବାଲସୁବ୍ରମଣ୍ୟମ୍‌ଙ୍କ ପାର୍ଥିବ ଅବଶେଷ

ଚେନ୍ନାଇ: ଏସ୍‌ପି ବାଲସୁବ୍ରମଣ୍ୟମ୍‌ଙ୍କ ଭାବେ ସୁପରିଚିତ କିବଂଦନ୍ତି ପ୍ରଚ୍ଛଦପଟ ଗାୟକ ଶ୍ରୀପତି ପଣ୍ଡିତରାଦ୍ୟୁଲ୍ୟ ବାଲସୁବ୍ରମଣ୍ୟମ୍‌ଙ୍କ ପାର୍ଥିବ ଅବଶେଷକୁ ଶନିବାର ଦିନ ତାଙ୍କ ପରିବାରବର୍ଗଙ୍କ ଉପସ୍ଥିତିରେ ୭୨ଟି ପୁଲିସ ତୋପ ସଲାମୀ ସହ ତିରୁବଲ୍ଲୁର ଜିଲ୍ଲା ଅନ୍ତର୍ଗତ ତମରୈପକ୍କମ୍‌ସ୍ଥିତ ରେଡ୍‌ ହିଲ୍‌ସ୍‌ ଫାର୍ମହାଉସ୍‌ ପରିସରରେ ସମାଧି ଦିଆଯାଇଛି।

ଅଗଷ୍ଟ ୫ ତାରିଖରୁ ୭୪ ବର୍ଷିୟ ଏସ୍‌ପିବି ଚେନ୍ନାଇର ଏମ୍‌ଜିଏମ୍ ହେଲ୍‌ଥ୍‌କେୟାର୍‌ରେ କୋଭିଡ୍-୧୯ ଲାଗି ଚିକିତ୍ସାଧୀନ ଥିଲେ। ଶୁକ୍ରବାର ଦିନ ୧. ୦୪ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

Image Courtesy of The Indian Express

ଶୁକ୍ରବାର ଅପରାହ୍ଣ ୪ଟାରେ ଗାୟକଙ୍କ ଶବ କୋଡ଼ାମ୍ବକ୍କମ୍‌ର କାମଧର ନଗରର ପ୍ରଥମ ସରଣୀରେ ଥିବା ତାଙ୍କ ବାସଭବନକୁ ଅଣାଯାଇ ରାତି ୮.୩୦ ପର୍ଯ୍ୟନ୍ତ ରଖାଯାଇଥିଲା। ତାଙ୍କର ବହୁ ପ୍ରଶଂସକ ସେଠାକୁ ଆସି ଶେଷ ସମ୍ମାନ ପ୍ରଦାନ କରିଥିଲେ।

ଏହାପରେ ଏକ ହିଅର୍ସ ଭ୍ୟାନ୍‌ରେ ତାଙ୍କ ଶବକୁ ରେଡ୍‌ ହିଲ୍‌ସ୍ ଫାର୍ମ ହାଉସ୍‌କୁ ଅଣାଯାଇଥିଲା। ରାତାରାତି ଶବ ସ୍ଥାନାନ୍ତର ନ ହେଲେ ତାଙ୍କ ବାସଭବନ ସମ୍ମୁଖରେ ଲୋକମାନଙ୍କୁ ନିୟନ୍ତ୍ରଣ କରିବା ଦୁଃସାଧ୍ୟ ହେବ ବୋଲି ସରକାରୀ କର୍ତ୍ତୃପକ୍ଷମାନେ ତାଙ୍କ ପରିବାର ଲୋକମାନଙ୍କୁ କହିଥିଲେ। ଫାର୍ମହାଉସ୍‌କୁ ଯିବା ବାଟରେ  ମଧ୍ୟ ଅନେକ ସ୍ଥାନରେ ପ୍ରଶଂସକମାନେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ସେମାନଙ୍କ ଲାଗି ଭ୍ୟାନ୍‌ର ଗତିକୁ ମନ୍ଥର କରାଯାଇଥିଲା। ବାଲସୁବ୍ରମଣ୍ୟମ୍‌ଙ୍କ ନୁଙ୍ଗାମ୍ବକ୍କମ୍‌ ବାସଭବନରେ ମଧ୍ୟ ତାଙ୍କ ପରିବାର ଲୋକେ ଶେଷ ସମ୍ମାନ ପ୍ରଦର୍ଶନ କରିଥିଲେ।

ସମ୍ବନ୍ଧିତ ଖବର