ଶ୍ରୀଲଙ୍କା ସଂକଟ: ସାହାଯ୍ୟ ପାଇଁ ମୋଦୀଙ୍କୁ ଶ୍ରୀଲଙ୍କା ବିରୋଧୀ ଦଳ ନେତାଙ୍କ ନିବେଦନ

କଲମ୍ବୋ: ଶ୍ରୀଲଙ୍କାରେ ଅସମ୍ଭାଳ ଆର୍ଥିକ ଓ ରାଜନୈତିକ ସଂକଟ ଚାଲିଥିବା ବେଳେ ବିରୋଧୀ ଦଳ ନେତା ଏସ୍‌ ପ୍ରେମଦାସା ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ସାହାଯ୍ୟ କରିବା ପାଇଁ ସୋମବାର ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅନୁରୋଧ କରିଛନ୍ତି। ଗଣମାଧ୍ୟମକୁ ସାକ୍ଷାତ୍‌କାର ଦେଇ ପ୍ରେମଦାସା କହିଛନ୍ତି, ଯେତେ ଅଧିକ ସମ୍ଭବ ସାହାଯ୍ୟ କରିବା ପାଇଁ ସେ ଭାରତକୁ ଅନୁରୋଧ କରିଛନ୍ତି। ସେମାନେ ତାଙ୍କ ମାତୃଭୂମିକୁ ରକ୍ଷା କରିବାକୁ ଚାହୁଁଛନ୍ତି। ଏବେ ନିର୍ବାଚନ ହେଲେ ତାଙ୍କ ଦଳ ଏଥିପାଇଁ ପ୍ରସ୍ତୁତ କି ବୋଲି ପ୍ରଶ୍ନ କରାଯିବାରୁ ସେ ଅସ୍ତିବାଚକ ଉତ୍ତର ଦେଇଥିଲେ। ଏହା ପୂର୍ବରୁ ଶ୍ରୀଲଙ୍କାର ଏହି ସାଂସଦ ଜଣକ କ୍ୟାବିନେଟ୍ ମନ୍ତ୍ରୀମାନଙ୍କ ଇସ୍ତଫାକୁ ଏକ ଡ୍ରାମା ବୋଲି କହିଥିଲେ। ସେ କହିଥିଲେ ଲୋକଙ୍କ ଦୁର୍ଦ୍ଦଶା ଦୂର କରିବା ପାଇଁ କିଛି କରାଯାଉ ନାହିଁ। ଲୋକଙ୍କୁ ବୋକା ବନେଇବା ପାଇଁ ଏଭଳି ଇସ୍ତଫା ନାଟକ କରାଯାଇଛି। ଶ୍ରୀଲଙ୍କା ସମ୍ପ୍ରତି ଗୁରୁତର ଆର୍ଥିକ ସଂକଟ ସହ ଲଢ଼େଇ କରୁଛି। ଏହି ଦ୍ବୀପ-ଦେଶର ଲୋକମାନେ ଗୁରୁତର ଖାଦ୍ୟ ଓ ତୈଳ ସଂକଟ ଦେଇ ଗତି କରୁଛନ୍ତି।

ଦୈନିକ ଅଧାରୁ ଅଧିକ ସମୟ ବିଜୁଳିକାଟ ହେଉଛି। କୋଭିଡ୍ ମହାମାରୀ ଓ ତଜ୍ଜନିତ ଲକ୍‌ଡାଉନ୍ ସମୟରୁ ଦେଶର ଅର୍ଥନୀତି ତଳମୁହାଁ ହୋଇଛି। ଦେଶରେ ବର୍ତ୍ତମାନ ବିଦେଶୀ ମୁଦ୍ରା ଭଣ୍ଡାର ଖାଲି। ବିଦେଶରୁ ଖାଦ୍ୟ ଓ ତୈଳ ଆମଦାନି କରିବା ପାଇଁ ପାଖରେ ବିଦେଶୀ ମୁଦ୍ରା ନାହିଁ। ଅତ୍ୟାବଶ୍ୟକ ଜିନିଷର ଘୋର ଅଭାବ ଯୋଗୁ ଶ୍ରୀଲଙ୍କା ବର୍ତ୍ତମାନ ବନ୍ଧୁ ରାଷ୍ଟ୍ରଗୁଡ଼ିକୁ ହାତ ପତାଉଛି। ପ୍ରେମଦାସା କହିଛନ୍ତି ଯେ ସାମ୍ପ୍ରତିକ ଆର୍ଥିକ ସଂକଟ ଦୂର କରିବା ପାଇଁ ଲୋକମାନେ ଏ ସରକାରକୁ ବଦଳାଇବାକୁ ଚାହୁଁଛନ୍ତି। ସରକାର ଅର୍ଥନୈତିକ ସଂକଟର ପରିଚାଳନା କରିପାରୁ ନ ଥିବାରୁ ସାରା ଦେଶରେ ପ୍ରତିବାଦର ସ୍ବର ଉଠୁଛି। ଶନିବାର ଭାରତ ଶ୍ରୀଲଙ୍କାର ଶକ୍ତି ସଂକଟ ଦୂର କରିବା ପାଇଁ ୪୦,୦୦୦ ଟନ୍ ଡିଜେଲ ପଠାଇଥିଲା। ଏହା ଥିଲା ଚତୁର୍ଥ ଥର ପାଇଁ ଭାରତର ଶ୍ରୀଲଙ୍କାକୁ ସାହାଯ୍ୟ ପଠାଇବା। ଗତ ୫୦ ଦିନ ଭିତରେ ଭାରତ ପ୍ରାୟ ୨୦୦,୦୦୦ ଟନ୍ ତୈଳ ଶ୍ରୀଲଙ୍କାକୁ ପଠାଇ ସାରିଲାଣି।

ସମ୍ବନ୍ଧିତ ଖବର