ପୌର ସଂରକ୍ଷଣ ମାମଲା : ସରକାରଙ୍କ ରିଭ୍ୟୁ ପିଟିସନ୍ ଖାରଜ

ନୂଆଦିଲ୍ଲୀ : ପୌର ନିର୍ବାଚନରେ ସିଟ୍‌ ସଂରକ୍ଷଣ ମାମଲାରେ ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ରିଭ୍ୟୁ ପିଟିସନ୍‌କୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଗତବର୍ଷ ସେପ୍ଟେମ୍ବର ୨୮ରେ ସୁପ୍ରିମକୋର୍ଟ ପୌର ନିର୍ବାଚନ ସ୍ଥାନ ସଂରକ୍ଷଣ ମାମଲାରେ ଓଡ଼ିଶା ହାଇକୋର୍ଟଙ୍କ ରାୟକୁ କାଏମ୍‌ ରଖିଥି‌େଲ। ଏହାପରେ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ରିଭ୍ୟୁ ପିଟିସନ୍ ଦାଖଲ କରିଥିଲେ।

ସୂଚନାଯୋଗ୍ୟ ଯେ, ହାଇକୋର୍ଟ ପୌର ନିର୍ବାଚନ ଆସନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ନରଖିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ପୌର ନିର୍ବାଚନ ଆସନ ସଂରକ୍ଷଣ ବ୍ୟବସ୍ଥାରେ ଓଡ଼ିଶାର ୫୦ଟି ପୌର ସଂସ୍ଥାରେ ସଂରକ୍ଷଣ ହାର ୫୦ ପ୍ରତିଶତରୁ ଅଧିକ ଟପି ଯାଇଥିଲା। ଏହାକୁ ନେଇ ହାଇକୋର୍ଟରେ ମାମଲା ହେବାରୁ ‌ହାଇକୋର୍ଟ ଆସନ ସଂରକ୍ଷଣ ୫୦% ମଧ୍ୟରେ ରଖିବାକୁ କହିଥିଲେ। ତେଣୁ ପୂର୍ବ ପ୍ରଚଳିତ ସଂରକ୍ଷଣ ହାର ଆସନ୍ତା ପୌର ନିର୍ବାଚନରେ ଲାଗୁ କରିବା ପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ‌େହାଇଥିଲେ। ଏହାକୁ ସୁପ୍ରିମକୋର୍ଟ ଖାରଜ କରିବା ପରେ ପୁନଃଶୁଣାଣି ପାଇଁ ରାଜ୍ୟ ସରକାର ଆବେଦନ କରିଥିଲେ। ଏହି ଆବେଦନର ଶୁଣାଣି ବିଚାରପତି ଉଦୟ ଉମେଶ ଲଳିତ ଓ ବିଚାରପତି ସଂଜୟ କିଶୋର କୌଲଙ୍କ ପ୍ରକୋଷ୍ଠରେ ହୋଇଥିଲା।

ଅପରପ‌େକ୍ଷ ରିଭ୍ୟୁ ପିଟିସନ୍ ଖାରଜ ହେବା ପରେ ରାଜ୍ୟ ସରକାର ପୁଣି ସୁପ୍ରି‌ମକୋର୍ଟରେ କ୍ୟୁରେଟିଭ୍ ପିଟିସନ୍ ଦାଖଲ କରିପାରନ୍ତି। କ୍ୟୁରେଟିଭ୍ ପିଟିସନ୍ ଦାଖଲ ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ସୀମା ଧାର୍ଯ୍ୟ ନଥିବାବେଳେ ରାଜ୍ୟ ସରକାର ଏନେଇ ଆଇନ ବିଶେଷଜ୍ଞଙ୍କ ସହ ବିଚାରବିମର୍ଶ କରି ପରବର୍ତ୍ତୀ ପଦକ୍ଷେପ ନେବେ ବୋଲି ବିଶ୍ବସ୍ତ ସୂତ୍ରରୁ ଜାଣିବାକୁ ମିଳିଛି।

ସମ୍ବନ୍ଧିତ ଖବର