ରବିବାର ଅପରାହ୍ଣରେ ଶପଥ ନେବେ ସୁଖୁ, ମୁକେଶ ଅଗ୍ନିହୋତ୍ରୀ ହେବେ ଉପମୁଖ୍ୟମନ୍ତ୍ରୀ

ସିମଲା : ସୁଖବିନ୍ଦର ସିଂ ସୁଖୁଙ୍କୁ ହିମାଚଳ ପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ଘୋଷଣା କରାଯିବା ପରେ ପ୍ରତିଭା ସିଂଙ୍କ ଶିବିରରେ ଅସନ୍ତୋଷ ଦେଖାଯାଇଥିଲା । ଏହାକୁ ଦୃଷ୍ଟିରେ ରଖି ପ୍ରତିଭାଙ୍କ ବିଶ୍ବସ୍ତ ମୁକେଶ ଅଗ୍ନିହୋତ୍ରୀଙ୍କୁ ଉପମୁଖ୍ୟମନ୍ତ୍ରୀ ପଦ ଦିଆଯାଇଛି । ରବିବାର ଅପରାହ୍ଣ ୧.୩୦ରେ ଶପଥ ଗ୍ରହଣ ସମାରୋହ ହେବ ।

ଏହା ପୂର୍ବରୁ ପ୍ରତିଭା ମୁଖ୍ୟମନ୍ତ୍ରୀ ଦୌଡ଼ରୁ ବାଦ୍ ପଡିଥିଲେ । ସେ ମଣ୍ଡି  ର ସାଂସଦ ହୋଇଥିବାରୁ ତାଙ୍କ ଦାବି ଦୁର୍ବଳ ହୋଇଥିଲା ବୋଲି କୁହାଯାଉଛି । ପୁଣି ବିଧାନସଭା ନିର୍ବାଚନରେ କଂଗ୍ରେସ ମଣ୍ଡି ଜିଲ୍ଲାର ୧୦ ଟି ବିଧାନସଭା କ୍ଷେତ୍ର ମଧ୍ୟରୁ କେବଳ ଗୋଟିଏ ଆସନ ଜିତିପାରିଲା ।

ଏହା ପରେ ସେ ମୁକେଶ ଅଗ୍ନିହୋତ୍ରୀଙ୍କୁ ତାଙ୍କ ଶିବିରରୁ ମୁଖ୍ୟମନ୍ତ୍ରୀ କରିବାକୁ ଦାବି ଉଠାଇଲେ । କିନ୍ତୁ ସୁଖୁଙ୍କ ନାମ ଘୋଷଣା ପରେ ପ୍ରତିଭା ସିଂ ଗୋଷ୍ଠୀର ସଦସ୍ୟମାନେ ରାସ୍ତାରେ ବସି ହାଇକମାଣ୍ଡଙ୍କ ବିରୋଧରେ ସ୍ଲୋଗାନ ଦେଇଥିଲେ ।

ଶନିବାର ସଂଧ୍ୟାରେ ସୁଖୁ ରାଜଭବନ ଯାଇ ସରକାର ଗଠନ କରିବାକୁ ଦାବି କରିଛନ୍ତି । ଏହି ଅବସରରେ ତାଙ୍କ ସହ ହିମାଚଳ କଂଗ୍ରେସ ସଭାପତି ପ୍ରତିଭା ସିଂ, କଂଗ୍ରେସ ପ୍ରଭାରୀ ରାଜୀବ ଶୁକ୍ଲା ଏବଂ ପର୍ଯ୍ୟବେକ୍ଷକ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଏବଂ ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ହୁଡା ମଧ୍ୟ ଉପସ୍ଥିତ ଥିଲେ।

 

ସମ୍ବନ୍ଧିତ ଖବର