ଭାରତରେ ସବୁଠାରୁ ଦୀର୍ଘ ଗ୍ରୀଷ୍ମ ପ୍ରବାହ

୩ ଦଶନ୍ଧିର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ: ଏଥର ଭାରତରେ ଗ୍ରୀଷ୍ମ ପ୍ରବାହ ସବୁଠାରୁ ଅଧିକ ସମୟ ଧରି ଚାଲିଛି ଏବଂ ବିଗତ ୩ ଦଶନ୍ଧିର ରେକର୍ଡ ଭାଙ୍ଗିଛି। ଦେଶର ଦୁଇ ତୃତୀୟାଂଶ ଅଂଚଳ ଗ୍ରୀଷ୍ମ ଲହରିରେ ଆଉଟୁପାଉଟୁ ହେଉଥିବା ବେଳେ ଜଳକଷ୍ଟ ମଧ୍ୟ ବଢ଼ିଯାଇଛି । ଅନେକ ଅଂଚଳରେ ପାଣି ଯୋଗାଣ ବନ୍ଧ ହୋଇଯାଇଥିବା ବେଳେ ନଦୀ, ବନ୍ଧ ସବୁ ଶୁଖିଲା ପଡ଼ିଥିବାରୁ ବଡ଼ ଧରଣର ପ୍ରାକ୍‌ ମୌସୁମୀ ମରୁଡ଼ି ଦେଖିବାକୁ ମିଳିଛି। ଉତ୍ତର ଏବଂ କେନ୍ଦ୍ରୀୟ ଭାରତରେ ଅନେକ ଅଂଚଳରେ ତାପମାତ୍ରା ୪୫ ଡିଗ୍ରି ଉପରେ ରହୁଛି। ଇତିହାସରେ ସବୁଠାରୁ ଲମ୍ବା ଗ୍ରୀଷ୍ମ ପ୍ରବାହକୁ ଏଥର ଦେଶବାସୀ ସାମ୍ନା କରୁଛନ୍ତି। ୧୯୮୮ରେ ଗ୍ରୀଷ୍ମ ପ୍ରବାହ ୩୩ ଦିନ ଧରି ଚାଲିଥିବା ବେଳେ ୨୦୧୬ରେ ଏହା ୩୨ ଦିନ ପର୍ଯ୍ୟନ୍ତ ଚାଲିଥିଲା।
ଜାତୀୟ ରାଜଧାନୀ ଦିଲ୍ଲୀରେ ଅବସ୍ଥା ଅଣାୟତ୍ତ ହୋଇଉଠିଛି। ରାଜସ୍ଥାନର ଚୁରୁ, ଉତ୍ତରପ୍ରଦେଶର ଆହ୍ଲାବାଦ ଏବଂ ବାନ୍ଦା ସହର ଏବେ ତତଲା କଡ଼େଇ ପାଲଟିଛି। ଦୁଇଦିନ ତଳେ ଦିଲ୍ଲୀରେ ତାପମାତ୍ରା ୪୮ ଡିଗ୍ରି ଛୁଇଁ ରେକର୍ଡ କରିଥିଲା। ରାଜସ୍ଥାନରେ ଚୁରୁରେ ଗତ ସପ୍ତାହରେ ୨ ଥର ତାପମାତ୍ରା ୫୦ ଡିଗ୍ରି ଅତିକ୍ରମ କରିଥିବା ବେଳେ ବାନ୍ଦାରେ ତାପମାତ୍ରା ୪୯.୨ ଏବଂ ଆହ୍ଲାବାଦ୍‌ରେ ୪୮.୯ ରହିଛି।
ଗ୍ରୀଷ୍ମ ପ୍ରବାହ ହେତୁ ଉତ୍ତରପ୍ରଦେଶର ଝାନ୍‌ସୀରେ ଗତକାଲି କେରଳ ଏକ୍ସପ୍ରେସ୍‌ରେ ଯାତ୍ରା କରୁଥିବା ୪ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିଲା।

ସମ୍ବନ୍ଧିତ ଖବର