ସାତ ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ବିଦାୟ ଆଦେଶ ଅଟକାଇବାକୁ ମନାକଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ: ଆଉ କିଛି ସମୟ ପରେ ମଣିପୁରରୁ ମିଅାଁମାରକୁ ବିଦା ହେବାକୁ ଥିବା ୭ ଜଣ ରୋହିଙ୍ଗ୍ୟା ମୁସଲମାନଙ୍କ ଦେଶାନ୍ତର ଆଦେଶ ଅଟକାଇବାକୁ ମନା କରିଛନ୍ତି ସୁପ୍ରିମ୍‌ କୋର୍ଟ।

ଭାରତରୁ ମିଅାଁମାର୍‌କୁ ଏ ଭଳି ଦେଶାନ୍ତର ହେଉଛି ପ୍ରଥମ ଔପଚାରିକ ଦେଶାନ୍ତର।

ଏହି ମାମଲାରେ ଓକିଲ ପ୍ରଶାନ୍ତ ଭୂଷଣ ସୁପ୍ରିମ୍‌ କୋର୍ଟର ହସ୍ତକ୍ଷେପ ଲୋଡ଼ିଥିଲେ। ସେ ଯୁକ୍ତି ଦର୍ଶାଇ ଥିଲେ କି, ରୋହିଙ୍ଗ୍ୟା ଶରଣାର୍ଥୀଙ୍କ ଭଳି ରାଷ୍ଟ୍ରହୀନ ଲୋକଙ୍କୁ ସୁରକ୍ଷା ଦେବା ଅଦାଲତର କର୍ତ୍ତବ୍ୟ।

ଖଣ୍ଡପୀଠ ପ୍ରଶାନ୍ତଙ୍କୁ କହିଲେ କି, ବିଚାରପତିମାନଙ୍କୁ ତାଙ୍କର କର୍ତ୍ତବ୍ୟ ମନେପକାଇବା ତାଙ୍କ ପକ୍ଷେ ଅନାବଶ୍ୟକ।

ଗୃହମନ୍ତ୍ରାଳୟ ଦାଖଲ କରିଥିବା ତା’ର ସତ୍ୟପତ୍ରରେ ଉଲ୍ଲେଖ କରିଛି ଯେ ସଜ୍ଜା କାଟିବା ପରେ ୭ ଜଣଯାକ ମିଅାଁମାର ଫେରିଯିବାକୁ ଇଚ୍ଛା କରିଛନ୍ତି। ସେମାନେ ଥିଲେ ବେଆଇନ୍‌ ପ୍ରବାସବାସୀ ଏବଂ ଫରେନରର୍ସ ଆକ୍ଟରେ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ସମ୍ପ୍ରତି ମଣିପୁରର ଇମ୍ଫାଲ୍‌କୁ ଅଣାଯାଇଥିବା ୭ ଜଣ ରୋହିଙ୍ଗ୍ୟାଙ୍କୁ ଗୁରୁବାର ଦିନ ମିଅାଁମାର୍‌କୁ ବିଦା କରିବା ପାଇଁ ଭାରତ ସ୍ଥିର କରିଛି। ସାତ ଜଣ ଲୋକଙ୍କୁ ମୋରେ ସୀମାନ୍ତକୁ ନିଆଯାଇ ସେଠାରେ ମିଅାଁମାର କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରାଯିବ।

ପୂର୍ବରୁ ସେମାନଙ୍କୁ ଆସାମର ସିଲ୍‌ଚର୍‌ ଡିଟେନ୍‌ସନ୍‌ ସେଣ୍ଟର୍‌ରେ ରଖାଯାଇଥିଲା।

ସମ୍ବନ୍ଧିତ ଖବର