ଆର୍ଥିକ ଅନଗ୍ରସର ବର୍ଗଙ୍କ ପାଇଁ ୧୦% ସଂରକ୍ଷଣ କାଏମ୍‌ ରଖିଲେ ସୁପ୍ରିମ୍‌ କୋର୍ଟ

ସମ୍ବିଧାନ ଉଲ୍ଲଂଘନ ହେଉ ନାହିଁ ବୋଲି ମତ ଦେଲେ ଖଣ୍ଡପୀଠ

ନୂଆଦିଲ୍ଲୀ: ଅଣସଂରକ୍ଷିତ ବର୍ଗର ‘ଆର୍ଥିକ ଅନଗ୍ରସର ବର୍ଗ’ଙ୍କ (ଇଡବ୍ଲୁଏସ୍‌) ନିମନ୍ତେ ୧୦% ସଂରକ୍ଷଣ ବ୍ୟବସ୍ଥା କରିଥିବା ସମ୍ବିଧାନର ୧୦୩ତମ ସଂଶୋଧନକୁ ଆଜି ସୁପ୍ରିମ୍‌ କୋର୍ଟ କାଏମ ରଖିଛନ୍ତି।

ଏହି ବ୍ୟବସ୍ଥା ଅନୁସାରେ, କେନ୍ଦ୍ର ସରକାରଙ୍କ ପ୍ରତିଷ୍ଠାନରେ ନାମଲେଖା ଏବଂ କେନ୍ଦ୍ର ସରକାରଙ୍କ ଚାକିରି କ୍ଷେତ୍ରରେ ହିତାଧିକାରୀମାନଙ୍କୁ ଏହି ସଂରକ୍ଷଣ ସୁବିଧା ମିଳିଥାଏ । ୨୦୧୯ ଜାନୁଆରିରେ ସଂସଦରେ ୧୦୩ତମ ସମ୍ବିଧାନ ସଂଶୋଧନ ଚିଠା ପାରିତ ହୋଇଥିଲା।

ପ୍ରଧାନ ବିଚାରପତି ୟୁ. ୟୁ. ଲଳିତ, ବିଚାରପତି ଦିନେଶ ମାହେଶ୍ବରୀ, ଏସ୍. ରବୀନ୍ଦ୍ର ଭଟ୍ଟ, ବେଲା ଏମ୍‌. ତ୍ରିବେଦୀ ଏବଂ ଜେ. ବି. ପାର୍ଦିୱାଲାଙ୍କୁ ନେଇ ଗଠିତ ପାଞ୍ଚବିଚାରପତିବିଶିଷ୍ଟ ସାମ୍ବିଧାନିକ ଖଣ୍ଡପୀଠ କହିଛନ୍ତି ଯେ, ଏହି ସଂଶୋଧନରେ ଅଣାଯାଇଥିବା ବ୍ୟବସ୍ଥା ଦ୍ବାରା ସମ୍ବିଧାନ ଉଲ୍ଲଂଘନ ହେଉନାହିଁ। ତିନି ଜଣ ବିଚାରପତି ୧୦ ପ୍ରତିଶତ ସଂରକ୍ଷଣ ସପକ୍ଷରେ ରାୟ ଦେଇଥିବା ବେଳେ ଅନ୍ୟ ଦୁଇଜଣ ବିପକ୍ଷରେ ରାୟ ଦେଇଥିଲେ।

୭ରୁ ଅଧିକ ଦିନ ଶୁଣାଣି ଓ ୨୦ଟି କାଉନ୍‌ସେଲ୍‌ କରିବା ପରେ ସୁପ୍ରିମ୍‌ କୋର୍ଟ ସେପ୍ଟେମ୍ବର ୨୭ ତାରିଖ ଦିନ ଉପରୋକ୍ତ ମାମଲାର ରାୟ ସଂରକ୍ଷିତ ରଖିଥିଲେ।

ରାୟ ପାଠ କରି ବିଚାରପତି ମାହେଶ୍ବରୀ କହିଲେ ଯେ, ୧୦୩ତମ ସାମ୍ବିଧାନିକ ସଂଶୋଧନ ବୈଧ୍ୟ ଅଟେ ଏବଂ ତାହା ସମ୍ବିଧାନର ମୌଳିକ ଢାଞ୍ଚା ଉଲ୍ଲଂଘନ କରୁନାହିଁ।

ବିଚାରପତି ତ୍ରିବେଦୀ କହିଛନ୍ତି ଯେ, ସଂରକ୍ଷଣ ନୀତି ପୁନଃସମୀକ୍ଷା କରାଯିବା ଆବଶ୍ୟକ ଏବଂ ସଂରକ୍ଷଣ ନିମନ୍ତେ ନିର୍ଦ୍ଦିଷ୍ଟ ସମୟ ସୀମା ରଖାଯିବା ଉଚିତ।

ସମ୍ବନ୍ଧିତ ଖବର