ଦୀର୍ଘ ୪୬ ବର୍ଷ ପରେ ଦୃଶ୍ୟମାନ ହେବ ବିରଳ ଚନ୍ଦ୍ରଗ୍ରହଣ, ଜାଣନ୍ତୁ ପାକ କର୍ମ ଓ ଦେବନୀତିର ସମୟ

ଭୁବନେଶ୍ବର: ଚଳିତମାସ ୮ ତାରିଖ ମଙ୍ଗଳବାର କାର୍ତ୍ତିକ ପୂର୍ଣ୍ଣମୀ ଦିନ ବର୍ଷର ଏକମାତ୍ର ଚନ୍ଦ୍ରଗ୍ରହଣ ସଂଘଟିତ ହେଉଛି । ଚନ୍ଦ୍ର ଉଦୟ ପୂର୍ବରୁ ଗ୍ରହଣସ୍ପର୍ଶ ହେଉଥିବାରୁ ଏହା ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ । ଏଣୁ ମଙ୍ଗଳବାର ୮ ତାରିଖ ପୁରୀ, ଓଡିଶା ତଥା ଦେଶରେ ଏକ ସମୟରେ ଅର୍ଥାତ ଗ୍ରହଣସ୍ପର୍ଶ- ଦିବା ଘ ୨/୩୯ ମିନିଟ ସମୟରେ (ଚନ୍ଦ୍ର ଉଦୟ ହୋଇ ନଥିବାରୁ ଅଦୃଶ୍ୟ), ଗ୍ରହଣମଧ୍ୟ- ଦିବା ଘ୪ା୧୯ ମିନିଟ୍ ସମୟ, ଗ୍ରହଣଦୃଶ୍ୟ ଆରମ୍ଭ- ସନ୍ଧ୍ୟା ଘ୫ା୬ା୨୯ ସେକେଣ୍ଡ ସମୟ ଏବଂ ଗ୍ରହଣ ମୋକ୍ଷ- ସନ୍ଧ୍ୟା ଘ୬ା୧୯ ମିନିଟ ସମୟରେ ହେବ ।

ଚନ୍ଦ୍ରଗ୍ରହଣ ଦିବା ଘ୨ା୩୯ ମିନିଟରେ ସ୍ପର୍ଶ ହେଉଥିବାରୁ ଶାସ୍ତ୍ରମତେ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଅର୍ଥାତ ୮ ତାରିଖ ମଙ୍ଗଳବାର ପ୍ରାତଃ ଘ୫ା୩୯ ମିନିଟ ଠାରୁ ପାକତ୍ୟାଗ ଅନ୍ନଭୋଜନାଦି ଓ ଦେବନୀତି ନିଷେଧ ହେବ । ପ୍ରତ୍ୟେକ ଗୃହୀ ଏହି ନିୟମ ମାନି ନଭେମ୍ବର ୮ ତାରିଖ ମଙ୍ଗଳବାର ପ୍ରାତଃ ଘ୫ା୩୯ ମି, ଠାରୁ ମଙ୍ଗଳବାର ସନ୍ଧ୍ୟା ଘ୬ା୧୯ମି, ମଧ୍ୟରେ ପାକକର୍ମାଦି ସହ ଅନ୍ନଭୋଜନ ଏବଂ ଦେବନୀତି କରିବେ । ତା ପରଠାରୁ ଅର୍ଥାତ ପ୍ରାତଃ ଘ୫ା୩୯ ମିନିଟ ଠାରୁ ମଙ୍ଗଳବାର ସନ୍ଧ୍ୟା ଘ୬ା୧୯ ମିନଟ ମଧ୍ୟରେ କୌଣସି ପ୍ରକାର ଅନ୍ନଭୋଜନାଦି କରିବା ନିଷେଧ । କିନ୍ତୁ ବାଳକ, ବୃଦ୍ଧ ଓ ରୋଗୀଙ୍କ ପକ୍ଷେ ନିୟମ ଲଙ୍ଘନୀୟ । କୌଣସି ଗର୍ଭବତୀ ଉକ୍ତ ସମୟରେ ଗ୍ରହଣ ନଦେଖି କୋଳରେ ଏକ ନଡିଆ ରଖି ଘର ଭିତରେ ରହି ଶ୍ରୀବିଷ୍ଣୁ ଜଗନ୍ନାଥଙ୍କୁ ମନେ ମନେ ସ୍ମରଣ କରିବା ଉଚିତ୍ । ସନ୍ଧ୍ୟା ଘ୬ା୧୯ ମିନିଟ ପରେ ସ୍ନାନାଦି  ଦେବପୂଜା, ପାକକର୍ମ ଓ ଅନ୍ନାଦି ଭୋଜନ କରଣୀୟ । ଦୈନଦିନ ଦେବପୂଜା ଏ ସମୟ ପରେ କରଣୀୟ । ଉକ୍ତଦିନ ଶ୍ରାଦ୍ଧ ପଡିଲେ ଆମ ଶ୍ରାଦ୍ଧ (ପାକାଦି ବିନା ଦ୍ରବ୍ୟରେ) କରଣୀୟ ।

ପୂର୍ବରୁ ୨୦୧୮ ମସିହା ଜାନୁଆରୀ ୩୧ ତାରିଖରେ ଓଡିଶାରେ ଗ୍ରସ୍ତୋଦୟ ଚନ୍ଦ୍ର ଗ୍ରହଣ ସଂଘଟିତ ହୋଇଥିଲା । ସୂଚନାଯୋଗ୍ୟ ପୁନଶ୍ଚ କାର୍ତ୍ତିକ ପୂର୍ଣ୍ଣମୀରେ ୨୦୬୮ ମସିହା ନଭେମ୍ବର ୯ ତାରିଖ ଶୁକ୍ରବାର ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ସଂଘଟିତ ହେବ ।

ଗ୍ରହଣ ଦର୍ଶନେ ରାଶିଶୁଦ୍ଧି – ମିଥୁନ, କର୍କଟ, ସିଂହ, ତୁଳା, ବିଛା, ଧନୁ, କୁମ୍ଭ ଓ ମୀନ ରାଶିଙ୍କ ପକ୍ଷେ ଗ୍ରହଣ ଦର୍ଶନେ ଶୁଭପ୍ରଦ ।
ଗ୍ରହଣ ଦର୍ଶନେ ତାରାଶୁଦ୍ଧି- ଅଶ୍ୱିନୀ କୃତ୍ତିକା ରୋହିଣୀ ଆର୍ଦ୍ରା ପୁଷ୍ୟା ମଘା ଉତ୍ତରାଫାଃ ହସ୍ତା ସ୍ୱାତୀ ଅନୁରାଧା ମୂଳା ଉତ୍ତରାଷାଢା ଶ୍ରବଣା ଶତଭିକ୍ଷା ଉତ୍ତରଭାଦ୍ର ନକ୍ଷତ୍ରଙ୍କ ପକ୍ଷେ ଗ୍ରହଣ ଦର୍ଶନେ ଶୁଭପ୍ରଦ ।
ଚନ୍ଦ୍ରଗ୍ରହଣ କାର୍ତ୍ତିକ ପୂର୍ଣ୍ଣିମା ଯୋଗୁ ଶ୍ରୀକ୍ଷେତ୍ର ମହୋଦଧି, ବିନ୍ଦୁସାଗର, ନାଭିଗୟା, ବୈତରଣୀ ନଦୀ ତଥା ତୀର୍ଥସ୍ଥାନ ପବିତ୍ର ମହାନଦୀ ପ୍ରଭୃତି ଜଳରେ ସ୍ନାନ ଦାନରେ ଅକ୍ଷୟ ପୂଣ୍ୟଫଳ ପ୍ରାପ୍ତି ହୋଇଥାଏ ।

ଶ୍ରୀ ଦେବଦର୍ଶୀ ଖଡୀରତ୍ନ, ଅସଲି ଖଡୀରତ୍ନ ପଞ୍ଜିକା ।

ସମ୍ବନ୍ଧିତ ଖବର