ନିଜ ଜିଦ୍‌ରେ ଅଟଳ ରହିଲେ ରାଜ୍ୟପାଳ ଧନଖର: ଉପବାଚସ୍ପତିଙ୍କ ଦ୍ୱାରା ଶପଥ ନେଲେ ବାବୁଲ ସୁପ୍ରିୟୋ

କୋଲକାତା: ଶପଥ ଗ୍ରହଣକୁ କେନ୍ଦ୍ରକରି ନବ ନିର୍ବାଚିତ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ବିଧାୟକ ବାବୁଲ ସୁପ୍ରିୟୋ ଓ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖରଙ୍କ ମଧ୍ୟରେ ଚାଲିଥିବା ବିବାଦରେ ଶେଷରେ ରାଜ୍ୟପାଳ ଧନଖରଙ୍କର ଜିତ୍‌ ହୋଇଛି।

ରାଜ୍ୟପାଳ ଜଗଦୀପ ଧନଖର ନବ ନିର୍ବାଚିତ ବିଧାୟକ ବାବୁଲ ସୁପ୍ରିୟୋଙ୍କୁ ସଦସ୍ୟ ଭାବେ ଶପଥପାଠ କରାଇବା ପାଇଁ ଉପବାଚସ୍ପତିଙ୍କୁ ମନୋନୀତ କରି ଯେଉଁ ନିଷ୍ପତ୍ତି ନେଇଥିଲେ ସେଥିରେ କୌଣସି ପରିସ୍ଥିତିରେ ଆଉ ପରିବର୍ତ୍ତନ କରିବେ ନାହିଁ ବୋଲି ନିଜ ଜିଦ୍‌ରେ ଅଟଳ ପରେ ଶେଷରେ ନବ ନିର୍ବାଚିତ ଟିଏମସି ବିଧାୟକ ବାବୁଲ ସୁପ୍ରିୟୋ ବୁଧବାର ପଶ୍ଚିମବଙ୍ଗ ବିଧାନସଭାର ବିଧାୟକ ଭାବେ ଶପଥ ଗ୍ରହଣ କରିଛନ୍ତି। ଏଥିସହ ସୁପ୍ରିୟୋଙ୍କୁ କିଏ ଶପଥ ଗ୍ରହଣ କରାଇବ ସେ ନେଇ ସପ୍ତାହେ ଧରି ଲାଗି ରହିଥିବା ଅନିଶ୍ଚିତତାର ମଧ୍ୟ ସମାପ୍ତି ଘଟିଛି।

ଗତ ମାସରେ ଅନୁଷ୍ଠିତ ହୋଇଥିବା ଉପ ନିର୍ବାଚନରେ ବାଲିଗଞ୍ଜ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ଗାୟକରୁ ରାଜନେତା ହୋଇଥିବା ବାବୁଲ ସୁପ୍ରିୟୋଙ୍କୁ ବିଧାନସଭାର ଉପବାଚସ୍ପତି ଆଶିଷ ବାନାର୍ଜୀ ବୁଧବାର ଶପଥ ଗ୍ରହଣ କରାଇଥିଲେ। ଐତିହାସିକ ପଶ୍ଚିମବଙ୍ଗ ବିଧାନସଭାର ଅଂଶ ହେବା ବହୁତ ଭଲ ଲାଗୁଛି ଏବଂ ଏହା ମୋତେ ଏକ ନୂତନ ଅଭିଜ୍ଞତା ହେବାକୁ ଯାଉଛି ବୋଲି ଶପଥ ଗ୍ରହଣ କରିବା ପରେ କହିଛନ୍ତି ବାବୁଲ ସୁପ୍ରିୟୋ।

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ମନ୍ତ୍ରିମଣ୍ଡଳ ଏବଂ ବିଜେପିର ସଦସ୍ୟ ପଦରୁ ଇସ୍ତଫା ଦେବାପରେ ସୁପ୍ରିୟୋ ତୃଣମୂଳ କଂଗ୍ରେସରେ ଯୋଗଦେଇ ଏପ୍ରିଲ ୧୬ରେ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ହେଲେ, ତାଙ୍କ ଶପଥ ଗ୍ରହଣ ସମାରୋହକୁ ନେଇ ଦ୍ୱନ୍ଦ୍ୱ ସୃଷ୍ଟି ହୋଇଥିଲା। ସାଧାରଣତଃ, ବାଚସ୍ପତିଙ୍କୁ ରାଜ୍ୟପାଳ ବିଧାନସଭାର ଜଣେ ନୂତନ ସଦସ୍ୟଙ୍କ ଶପଥ ନେବାକୁ ମନୋନୀତ କରନ୍ତି।

ତେବେ ରାଜ୍ୟପାଳ ଧନଖର ବାବୁଲ ସୁପ୍ରିୟୋଙ୍କ କ୍ଷେତ୍ରରେ ଶପଥ ଗ୍ରହଣ ପାଇଁ ଉପବାଚସ୍ପତିଙ୍କୁ ମନୋନୀତ କରିଥିଲେ ଏବଂ ବାଚସ୍ପତିଙ୍କୁ ଶପଥ ପାଠ କରାଇବା ପାଇଁ ଅନୁମତି ମାଗିଥିବା ସୁପ୍ରିିୟୋଙ୍କ ବାରମ୍ବାର ନିବେଦନ ସତ୍ତ୍ୱେ ରାଜ୍ୟପାଳ ତାଙ୍କ ନିଷ୍ପତ୍ତିରେ ଅଟଳ ରହିବାକୁ ନିଷ୍ପତ୍ତି ନେଇଥିଲେ।

ସମ୍ବନ୍ଧିତ ଖବର