‘ପିଏମ୍‌ ନରେନ୍ଦ୍ର ମୋଦୀ’ ବାୟୋପିକ୍‌ ନିର୍ମାତା ସନ୍ଦୀପ ସିଂହକୁ ସିବିଆଇ ଜେରା କରିବ କି?

ଶିବସେନା ରାଜନୀତି ନ କରୁ: ବିଜେପି

ମୁମ୍ବାଇ : ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ବିଜେପିର ଲିଙ୍କ୍‌ ରହିଛି ବୋଲି ଆଜି ମହାରାଷ୍ଟ୍ର କଂଗ୍ରେସ ପକ୍ଷରୁ ଅଭିଯୋଗ ହୋଇଛି। ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲା ଓ ଡ୍ରଗ୍‌ସ କାରବାର ପ୍ରସଙ୍ଗରେ ସିବିଆଇ ‘ପିଏମ୍‌ ନରେନ୍ଦ୍ର ମୋଦୀ’ ବାୟୋପିକ୍‌ ଚଳଚ୍ଚିତ୍ର ନିର୍ମାତା ସନ୍ଦୀପ ସିଂହଙ୍କୁ ଜେରା କରିବ କି ନାହିଁ ବୋଲି କଂଗ୍ରେସ ପ୍ରଶ୍ନ କରିଛି। ଏହି ମାମଲାରେ ବିଜେପିର ବହୁ ନେତାଙ୍କର ହାତ ରହିଛି ବୋଲି ମହାରାଷ୍ଟ୍ର ରାଜ୍ୟ କଂଗ୍ରେସ ମୁଖପାତ୍ର ସଚ୍ଚିନ ସାୱନ୍ତ କହିଛନ୍ତି। ସିବିଆଇ ଏ ଦିଗର ତଦନ୍ତ କରୁ ବୋଲି କଂଗ୍ରେସ ମୁଖପାତ୍ର ସାୱନ୍ତ ଦାବି କରିଛନ୍ତି।

ଅପରପକ୍ଷେ, ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଆଦିତ୍ୟ ଠାକ୍‌ରେଙ୍କ ସମ୍ପୃକ୍ତି ରହିଛି ବୋଲି କୌଣସି ବିଜେପି ନେତା ସିଧା ସଳଖ ଅଭିଯୋଗ ଆଣି ନାହାନ୍ତି ବୋଲି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥ‌ା ବିଜେପି ନେତା ଦେବେନ୍ଦ୍ର ଫଡ଼୍‌ନାଭିସ ସ୍ପଷ୍ଟ କରିଦେଇଛନ୍ତି। ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ଆଦିତ୍ୟ ଠାକ୍‌ରେ ସମ୍ପୃକ୍ତ ଅଛନ୍ତି ବୋଲି କୌଣସି ବି‌ଜେପି ନେତା କେଉଁଠି କିଛି ବି କହିନାହାନ୍ତି। ଶିବସେନା ଏହି ପ୍ରସଙ୍ଗକୁ ନେଇ ଅଯଥା ରାଜନୀତି ନ କରିବାକୁ ଦେବେନ୍ଦ୍ର କହିଛନ୍ତି।

ସମ୍ବନ୍ଧିତ ଖବର