ସୁପ୍ରିମ୍‌ କୋର୍ଟ ପ୍ରେକ୍ଷାଳୟରେ ହେବ ନୂତନ ବିଚାରପତିମାନଙ୍କ ଶପଥଗ୍ରହଣ ଉତ୍ସବ

ନୂଆଦିଲ୍ଲୀ : ସୁପ୍ରିମ୍‌କୋର୍ଟର ବିଚାରପତିମାନଙ୍କ ଶପଥଗ୍ରହଣ ଉତ୍ସବ ପାରମ୍ପରିକ ଭାବେ ସୁପ୍ରିମ୍‌କୋର୍ଟରେ ଥିବା ପ୍ରଧାନ ବିଚାରପତିଙ୍କ କୋର୍ଟରୁମ୍‌ରେ ହୋଇଥାଏ। କିନ୍ତୁ ଆସନ୍ତା ମଙ୍ଗଳବାର ପ୍ରଥମ ଥର ପାଇଁ ତାହା ଏକ ଭିନ୍ନ ସ୍ଥାନରେ ସୁପ୍ରିମ୍‌କୋର୍ଟ ପ୍ରେକ୍ଷାଳୟରେ ହେବ ବୋଲି ଜଣାପଡ଼ିଛି। ଏହି ପରିବର୍ତ୍ତନ ପାଇଁ ଦୁଇଟି କାରଣ ଦାୟୀ। ପ୍ରଥମ ହେଉଛି କୋଭିଡ୍‌-୧୯ ଜନିତ ସ୍ଥିତି। କ୍ଷୁଦ୍ର ପରିସରରେ ଅଧିକ ଗହଳି ବିପଜ୍ଜନକ ହୋଇପାରେ। ଦ୍ବିତୀୟ କାରଣ ହେଉଛି ଏଥର ଏକାବେଳକେ ୯ ଜଣ ବିଚାରପତି ଶପଥ ନେବାକୁ ଯାଉଛନ୍ତି। ତେଣୁ ଉକ୍ତ ୯ ଜଣ ବିଚାରପତି, ତାଙ୍କ ସମ୍ପର୍କୀୟ, ବନ୍ଧୁବାନ୍ଧବ ଓ ଆଇନଜୀବୀମାନେ ଉପସ୍ଥିତ ରହିବେ। କରୋନା-ଜନିତ ପରିସ୍ଥିତି ହେତୁ ଏତେ ଲୋକ ପ୍ରଧାନବିଚାରପତିଙ୍କ କୋର୍ଟରୁମ୍‌ରେ ଏକାଠି ହେବା ଠିକ୍ ନୁହେଁ। ତେଣୁ ମଙ୍ଗଳବାର ଲୋକସଂଖ୍ୟା ଅନୁପାତରେ ଯଥେଷ୍ଟ ବଡ଼ ସୁପ୍ରିମ୍‌କୋର୍ଟର ନୂତନ ଅତିରିକ୍ତ କୋଠାରେ ଥିବା ୯୦୦ ଆସନ-ବିଶିଷ୍ଟ ପ୍ରେକ୍ଷାଳୟରେ ଏହି ଶପଥଗ୍ରହଣ ଉତ୍ସବ ହେବ ବୋଲି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର