ବିରିୟାନୀ ଖାଇବାକୁ ବଢୁଛି ଆଗ୍ରହ, ସ୍ଵିଗିର ବାର୍ଷିକ ରିପୋର୍ଟରେ ଖୁଲାସା

ନୂଆଦିଲ୍ଲୀ: ଅନ୍ୟଙ୍କୁ ରାନ୍ଧି ଖୁଆଇବା ଓ ନିଜେ ଖାଇବାରେ ମାହିର ଭାରତୀୟଙ୍କୁ ନେଇ ଅନଲାଇନ ଫୁଡ ଡେଲିଭରି କମ୍ପାନୀ ସ୍ଵିଗି ଏହାର ବାର୍ଷିକ ରିପୋର୍ଟ ପ୍ରକାଶ କରିଛି | ସ୍ଵିଗି ଷ୍ଟେଟିଟିକସ-୨୦୧୯ ରିପୋର୍ଟରେ ଏହି ସବୁ ତଥ୍ୟ ପ୍ରକାଶ ପାଇଛି | ଏହି ରିପୋର୍ଟରେ କୁହାଯାଇଛି ଯେ ଦେଶରେ ପ୍ରତି ମିନିଟରେ ବିରିୟାନୀ ଖାଇବାକୁ ୯୫ଟି ଅର୍ଡର ଆସିଥାଏ | ଗତ ୨ ବର୍ଷ ମଧ୍ୟରେ ବିରିୟାନୀକୁ ଭାରତୀୟମାନେ ସର୍ବାଧିକ ଅର୍ଡର କରିଛନ୍ତି | ସ୍ଵିଗି ଆପ ବ୍ୟବହାର କରୁଥିବା ଖାଦ୍ୟପ୍ରେମୀ ଚିକେନ ବିରିୟାନୀକୁ ସର୍ବାଧିକ ପସନ୍ଦ କରନ୍ତି | ସେହିପରି ଡେଲିଭରି ଆପ ମାଧ୍ୟମରେ ଗୋଲାପଜାମୁନ ଖାଇବାକୁ ୧୭ ଲକ୍ଷ ୬୯ ହଜାର ଅର୍ଡର ଆସିଛି |

ଏଥିରୁ ପ୍ରମାଣିତ ହୋଇଛି ଯେ ଭାରତୀୟଙ୍କ ପାଇଁ ଏବେ ବି ଗୋଲାପଜାମୁନ ଲୋକପ୍ରିୟ ମିଠା ସାବ୍ୟସ୍ତ ହୋଇଛି | ଗୋଲାପଜାମୁନ ଖାଇବାକୁ ସର୍ବାଧିକ ଅର୍ଡର ଦିଲ୍ଲୀ, ମୁମ୍ବାଇ, ବାଙ୍ଗାଲୋର, ହାଇଦ୍ରାବାଦ ଓ ଚେନ୍ନାଇରୁ ଆସିଛି | ରିପୋର୍ଟ ଅନୁସାରେ ମୁଗ ଡାଲିର ହାଲୁଆ ଓ ଫାଲୁଦା ଖାଇବାକୁ ୧୧.୯୪ ଲକ୍ଷ ଅର୍ଡର ଆସିଛି |

କେବଳ ମୁମ୍ବାଇରେ ଫାଲୁଦା ଆଇସକ୍ରିମ ଖାଇବାକୁ ୬ ହଜାର ଥର ଅର୍ଡର କରାଯାଇଛି | ଭାରତୀୟ ଖାଦ୍ୟପ୍ରେମୀଙ୍କ ଆଉ ଏକ ପସନ୍ଦ ଭୋଜନ ଖେଚୁଡ଼ିକୁ ମଧ୍ୟ ଅଧିକାଂଶ ଲୋକ ଅର୍ଡର କରିଛନ୍ତି | ରିପୋର୍ଟ ମୁତାବକ ଏହି ବର୍ଷ ଖେଚୁଡ଼ି ଅର୍ଡର କରିବାରେ ୧୨୮ ପ୍ରତିଶତ ବୃଦ୍ଧି ଘଟିଛି | ଖେଚୁଡ଼ି, ବିରିୟାନୀ ସହ ମସଲା ଦୋସା, ପନିର ବଟର ମସଲା, ଡାଲ ମଖାନିକୁ ମଧ୍ୟ ଭାରତୀୟମାନେ ପସନ୍ଦ କରିଛନ୍ତି |

ସମ୍ବନ୍ଧିତ ଖବର