ଆଫଗାନିସ୍ତାନରେ ତାଲିବାନର ଜୟଯାତ୍ରା ଜାରି, ୧୮ଟି ରାଜ୍ୟର ରାଜଧାନୀକୁ ଦଖଲ କରିସାରିଲାଣି 

ଦେଶବାସୀଙ୍କୁ ସମ୍ବୋଧନ କରିବେ ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଘନି

କାବୁଲ : ଆଫଗାନିସ୍ତାନ ଉପରେ ନିଜର ନିୟନ୍ତ୍ରଣକୁ ଆହୁରି ଦୃଢ କରିଛି ତାଲିବାନ । ଏହି କଠୋରପନ୍ଥୀ ସଂଗଠନ ଆଜି ଆଫଗାନିସ୍ତାନର ଆଉ କେତେକ ରାଜ୍ୟର ରାଜଧାନୀକୁ କବଜା କରିଛି । ସେଗୁଡ଼ିକ ମଧ୍ୟରେ ରହିଛି କଲତ,  ଟେରେନକୋଟ୍, ପୁଲ-ଏ ଆଲମ, କାଲା-ଏ ନାଉ ଓ ଲସ୍କରଗାହ । ହେରାତ ଓ କାନ୍ଦାହାର ସହରକୁ ଦଖଲ କରିବାର କିଛି ଘଣ୍ଟା ମଧ୍ୟରେ ହିଁ ଏସବୁ ସହର ତାଲିବାନ ନିୟନ୍ତ୍ରଣକୁ ଚାଲିଯାଇଛି । ଏଗୁଡ଼ିକୁ ମିଶାଇ ତାଲିବାନ ଏବେ ମୋଟ ୧୮ଟି ରାଜ୍ୟର ରାଜଧାନୀକୁ ଦଖଲ କରିସାରିଲାଣି । ଗତକାଲି ତାଲିବାନ ଗଜନି ସହରକୁ ଦଖଲ କରିଥିଲା । କାବୁଲଠାରୁ ଏହି ସହର ମାତ୍ର ୧୫୦ କିଲୋମିଟର ଦୂରରେ ଅବସ୍ଥିତ ।

ସରକାରର ଭବିଷ୍ୟତ ସମ୍ପର୍କରେ ଆଫଗାନିସ୍ତାନର ରାଷ୍ଟ୍ରପତି ଅସରଫ ଘନି ଆଜି କିମ୍ବା ଶନିବାରଦିନ ଦେଶବାସୀଙ୍କୁ ସମ୍ବୋଧନ କରିବାର ସମ୍ଭାବନା ରହିଛି ।

ଅନ୍ୟପକ୍ଷରେ ବ୍ରିଟେନ ଆଜି କହିଛି ଯେ ଆଫଗାନିସ୍ତାନ ଏକ ଗୃହଯୁଦ୍ଧ ଆଡ଼କୁ ମୁହାଁଇଛି । ବ୍ରିଟେନର ପ୍ରତିରକ୍ଷାମନ୍ତ୍ରୀ ବେନ ଓ୍ବାଲେସ କହିଛନ୍ତି ଯେ ସମଗ୍ର ଆଫଗାନସ୍ତାନକୁ ତାଲିବାନ ଅଧିକାର କରିନେବା ପରେ ବି ଗୃହଯୁଦ୍ଧ ଲାଗି ରହିବ । କାରଣ ଆଫଗାନିସ୍ତାନରେ ବିଭିନ୍ନ ସଶସ୍ତ୍ର ଗୋଷ୍ଠୀ ଅଛନ୍ତି । ଏପରିକି ତାଲିବାନରେ ବି ଅନେକ ଗୋଷ୍ଠୀ ଅଛନ୍ତି । ସେମାନଙ୍କ ମଧ୍ୟରେ ଥିବା ମତଭେଦ ଆଗକୁ ଗୃହଯୁଦ୍ଧରେ ପରିଣତ ହେବ ।

ସମ୍ବନ୍ଧିତ ଖବର