ଇରାନରେ ଆତଙ୍କବାଦୀ ଆକ୍ରମଣ : ୧୫ ମୃତ

ତେହେରାନ : ଦକ୍ଷିଣ ଇରାନରେ ଥିବା ସିରାଜ ସହରର ଏକ ପ୍ରମୁଖ ସିହା ତୀର୍ଥସ୍ଥାନ ଉପରେ ଆଜି ଆତଙ୍କବାଦୀ ଆକ୍ରମଣ ହୋଇଛି । ଏହି ଆକ୍ରମଣରେ ଅତି କମରେ ୧୫ ଜଣଙ୍କର ମୃତ୍ୟୁ ଘଟିଥିବା ଇରାନୀ ଗଣମାଧ୍ୟମ ରିପୋର୍ଟ କରିଛି ।

ଇରାନର ସରକାରୀ ନିୟନ୍ତ୍ରିତ ନ୍ୟୁଜ ଏଜେନ୍ସି ଇରନା ସୂତ୍ରରୁ ପ୍ରକାଶ ଯେ (ସ୍ଥାନୀୟ ସମୟ) ଅପରାହ୍ନ ୫ଟା ୪୫ମିନିଟରେ ତିନିଜଣ ସଶସ୍ତ୍ର ବ୍ୟକ୍ତି ଉକ୍ତ ତୀର୍ଥସ୍ଥାନରେ ପ୍ରବେଶ କରିଥିଲେ । ସେମାନେ ଲୋକମାନଙ୍କ ଉପରେ ଗୁଳି ଚଳାଇଥିଲେ ।

ଆକ୍ରମଣକାରୀଙ୍କ ମଧ୍ୟରୁ ଦୁଇଜଣଙ୍କୁ ଧରାଯାଇଥିବା ବେଳେ ଜଣେ ଏବେବି ଫେରାର ରହିଛି  ।

ଏହି ଆକ୍ରମଣ ପଛରେ କିଏ ଅଛନ୍ତି ତାହା ସ୍ପଷ୍ଟ ହୋଇନାହିଁ, କିନ୍ତୁ  ଇରନା କହିଛି ଯେ ଆକ୍ରମଣକାରୀମାନେ ଆଇଏସ୍ଆଇଏଲ୍ (ଆଇଏସ୍) ଭଳି ଗୋଷ୍ଠୀ ସଂପର୍କିତ “ଟକଫିରି ଆତଙ୍କବାଦୀ”ଭଳି କାର୍ଯ୍ୟ କରିଛନ୍ତି । ଏହି ଗଣମାଧ୍ୟମ ରିପୋର୍ଟ ମୁତାବକ, ଆକ୍ରମଣକାରୀମାନେ ଇରାନର ନାଗରିକ ନୁହଁନ୍ତି ।

ସେପ୍ଟେମ୍ବରରେ ୨୨ ବର୍ଷ ବୟସ୍କା ମହସା ଆମିନୀଙ୍କ ମୃତ୍ୟୁ ପରଠାରୁ ଇରାନର ବିରୋଧ ଜାରି ରହିଥିବା ବେଳେ ଏହି ଆକ୍ରମଣ ଘଟିଛି । ଏହା ସୁରକ୍ଷାବଳଙ୍କ ଚିନ୍ତାକୁ ବଢାଦେଇଛି । ଇରାନରେ ଚାଲିଥିବା  ଆନ୍ଦୋଳନ ଇତିମଧ୍ୟରେ ୪୦ ଦିନରେ ପ୍ରବେଶ କରିଛି । ତଥାପି ଏହି ସରକାର ବିରୋଧୀ  ଆନ୍ଦୋଳନ ଥମିବା ବଦଳରେ ଦିନକୁ ଦିନ ବଢିବାରେ ଲାଗିଛି ।

ସମ୍ବନ୍ଧିତ ଖବର