ସୁପ୍ରିମକୋର୍ଟରେ କୌଣସି ନିଯୁକ୍ତି ବିନା ପ୍ରଧାନ ବିଚାରପତି ଅବସର ନେଇପାରନ୍ତି

କଲେଜିଅମ୍‌ର ଅଚଳାବସ୍ଥା, ୪ ବିଚାରପତି ପଦବି ଖାଲି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡ଼େଙ୍କ ୧୪ ମାସର କାର୍ଯ୍ୟକାଳ ସରିବାକୁ ଆଉ ମାତ୍ର ମାସକରୁ ଅଳ୍ପ ଅଧିକ ବାକି ରହିଛି। ତେବେ ୨୦୧୯ ନଭେମ୍ବରରେ କାର୍ଯ୍ୟଭାର ସମ୍ଭାଳିବା ପରଠାରୁ ଏ ଯାବତ୍‌ ତାଙ୍କ ନେତୃତ୍ବାଧୀନ କଲେଜିଅମ୍‌ ଦ୍ବାରା ସୁପ୍ରିମ୍‌କୋର୍ଟରେ ଜଣେ ବି ବିଚାରପତି ନିଯୁକ୍ତି ହୋଇପାରିନାହିଁ। ଶେଷ ଥର ପାଇଁ ୨୦୧୫ ମସିହାରେ ତତ୍କାଳୀନ ପ୍ରଧାନ ବିଚାରପତି ଏଚ୍‌ ଏଲ୍‌ ଦତ୍ତ ତାଙ୍କ ଅମଳରେ କୌଣସି ନିଯୁକ୍ତି କରିନପାରି ଅବସର ନେଇଥିଲେ। ସେତେବେଳେ ଏନ୍‌ଜେଏସିକୁ କେନ୍ଦ୍ର କରି ନ୍ୟାୟପାଳିକା ଓ ସରକାରଙ୍କ ମଧ୍ୟରେ ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ତେବେ ଏଥରର ଗତିରୋଧ ଅଲଗା ଓ ତାହା ନ୍ୟାୟପାଳିକା ଭିତରେ କୁହୁଳୁଥିବା ଚର୍ଚ୍ଚା ହେଉଛି।

ବିଶେଷ ସୂତ୍ରରୁ ମିଳିଥିବା ସୂଚନାନୁଯାୟୀ, ପ୍ରଧାନ ବିଚାରପତି ଜଷ୍ଟିସ୍‌ ବୋବଡ଼େଙ୍କ ନେତୃତ୍ବରେ ଜଷ୍ଟିସ୍‌ ଏନ୍‌ ଭି ରମଣା, ରୋହିନ୍ତନ ନରିମ୍ୟାନ୍‌, ୟୁ ୟୁ ଲଳିତ ଓ ଏ ଏମ୍‌ ଖାନ୍‌ଵିଲକରଙ୍କୁ ନେଇ ଗଠିତ କଲେଜିଅମ୍‌ରେ ସହମତି ପ୍ରକାଶ ପାଉନଥିବାରୁ ଏହି ଅସୁବିଧା ଦେଖାଦେଇଛି। ପରିଣତି ସ୍ବରୂପ ତ୍ରିପୁରା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଆକିଲ କ୍ୟୁରେସିଙ୍କର ନାମକୁ ସୁପ୍ରିମ୍‌କୋର୍ଟ ବିଚାରପତି ପାଇଁ ସୁପାରିସ୍‌ କରାଯାଇପାରୁନାହିଁ। ଏପରିକି ଅଦ୍ୟାବଧି ସୁପ୍ରିମ୍‌କୋର୍ଟରେ ଅତି କମ୍‌ରେ ଆଉ ୬ ଜଣ ବିଚାରପତିଙ୍କ ନିଯୁକ୍ତି (୪ଟି ପଦବି ଖାଲି ଓ ୨ ଜଣ ଆଗକୁ ଅବସର ନେବେ) ଲୋଡ଼ାଯାଉଥିବା ବେଳେ କଲେଜିଅମ୍‌ର ଅସହମତି ପାଇଁ ତାହା ସଂପନ୍ନ ହୋଇପାରୁନାହିଁ।

ସମ୍ବନ୍ଧିତ ଖବର