ପଶ୍ଚିମବଙ୍ଗ ମେଳାରେ ଅଘଟଣ: ପ୍ରବଳ ଭିଡ଼ ଓ ଗରମରେ ୫ ମୃତ, ୫୦ରୁ ଅଧିକ ଅସୁସ୍ଥ, ୧୦ ସଙ୍କଟାପନ୍ନ

କୋଲକାତା: ରବିବାର ଅପରାହ୍ନରେ ଉତ୍ତର ୨୪ ପ୍ରଗଣା ଜିଲ୍ଲାର ପାନିହାଟିର ମହୋତ୍ସବତାଲା ଘାଟରେ ଆୟୋଜିତ ଦହିଚୁଡ଼ା ମେଳାରେ ପ୍ରବଳ ଜନସମାଗମ ଓ ଅସହ୍ୟ ଗରମ ଯୋଗୁଁ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଅସୁସ୍ଥ ହୋଇଛନ୍ତି। ଅସୁସ୍ଥମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତରଖାନା ସୂତ୍ରରୁ ଜଣାପଡ଼ିଛି। ବିଶୃଙ୍ଖଳା, ଡାକ୍ତରୀ ଦଳର ଅଭାବ, ଟ୍ରାଫିକ ନିୟନ୍ତ୍ରଣରେ ଅବ୍ୟବସ୍ଥା ଏହି ଅଘଟଣର କାରଣ ବୋଲି କୁହାଯାଉଛି। ମୃତ ଲୋକଙ୍କୁ ଚିହ୍ନଟ କରିବା ପାଇଁ ପ୍ରୟାସ ଜାରି ରହିଛି।

କରୋନା ପାଇଁ ଦୁଇବର୍ଷ ହେଲା ଏହି ମେଳା ବନ୍ଦ ରହିଥିଲା। ତେଣୁ ମେଳାରେ ଏଥର ଅଧିକ ଭିଡ଼ ହୋଇଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ବିଟ୍‌ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କହିଛନ୍ତି। ଅନ୍ୟପକ୍ଷରେ ମେଳାରେ ଅତ୍ୟାବଶ୍ୟକ ବ୍ୟବସ୍ଥା କରିବାରେ ରାଜ୍ୟ ସରକାରଙ୍କ ବିଫଳତା ନେଇ ବିରୋଧୀ ଦଳମାନେ ପ୍ରଶ୍ନ ଉଠାଇଛନ୍ତି।

ଆୟୋଜନକଙ୍କ ସୂତ୍ରରୁ କୁହାଯାଇଛି, ସକାଳ ୬ଟାରୁ ମନ୍ଦିରରେ ପ୍ରବଳ ଭିଡ଼ ଜମିଥିଲା। ମନ୍ଦିରରେ ଏକ ସ୍ୱତନ୍ତ୍ର ପୂଜା ଆୟୋଜନ କରାଯାଇଥିଲା। କୀର୍ତ୍ତନ ପ୍ରସାଦ ମଧ୍ୟ ବ୍ୟବସ୍ଥା କରାଯାଇଥିଲା। ଯିବା ଆସିବା ପାଇଁ ଗୋଟିଏ ରାସ୍ତା ଯୋଗୁଁ ଜନଗହଳିକୁ ନିୟନ୍ତ୍ରଣ କରିବା କଷ୍ଟକର ହୋଇପଡ଼ିଥିଲା। ମଧ୍ୟାହ୍ନରେ ପ୍ରବଳ ଉତ୍ତାପ ଏବଂ ଭିଡ଼ ଯୋଗୁଁ ବିଶୃଙ୍ଖଳା ସୃଷ୍ଟି ହେଲା ଏବଂ ଲୋକମାନେ ଗୁରୁତର ଅସୁସ୍ଥ ହୋଇପଡ଼ିଲେ।

ସମ୍ବନ୍ଧିତ ଖବର