ଗୋଗ୍ରା ହାଇଟ୍‌ସରୁ ଓହରିବେ ଭାରତ-ଚୀନ ସେନା, ହଟ୍‌ ସ୍ପ୍ରିଙ୍ଗ୍‌ସ ଅଞ୍ଚଳ ପାଇଁ ସହମତି ହୋଇପାରିନି

ନୂଆଦିଲ୍ଲୀ: ପୂର୍ବ ଲଦାଖର ଗୋଗ୍ରା ହାଇଟ୍‌ସରୁ ଉଭୟ ଭାରତ ଓ ଚୀନର ସେନା ଓହରିଯିବେ। ଗତ ଶନିବାର ଦୁଇ ଦେଶ ମଧ୍ୟରେ ହୋଇଥିବା ଦ୍ବାଦଶ କମାଣ୍ଡରସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ତୃଣମୂଳ ସ୍ତରରେ ଏହି କାର୍ଯ୍ୟ ଆସନ୍ତା ୩ ଦିନ ମଧ୍ୟରେ ଆରମ୍ଭ ହେବ ବୋଲି ଜଣାଯାଇଛି। ଗତ ସପ୍ତାହରେ ଦୁଇପକ୍ଷ ମଧ୍ୟରେ ବିସ୍ତୃତ ଆଲୋଚନା ହୋଇଛି। ଡୋଗ୍ରା ହାଇଟ୍‌ସରୁ ସେନା ପ୍ରତ୍ୟାହାର ପାଇଁ ରାଜି ହୋଇଥିଲେ ମଧ୍ୟ ହଟ୍‌ ସ୍ପ୍ରିଙ୍ଗ୍‌ସ ଅଞ୍ଚଳରୁ ସେନା ପ୍ରତ୍ୟାହାର ନେଇ କୌଣସି ସହମତି ପ୍ରକାଶ ପାଇପାରି ନାହିଁ। ପୂର୍ବ ଲଦାଖର ବାସ୍ତବ ନିୟନ୍ତ୍ରଣ ରେଖା (ଏଲ୍‌ଏସି)ର ଚୀନ ପଟେ ମୋଲଡୋ ଠାରେ ଦୁଇ ପକ୍ଷ ମଧ୍ୟରେ ପାଖାପାଖି ୯ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଗୋଗ୍ରା, ହଟ୍‌ ସ୍ପ୍ରିଙ୍ଗ୍ସ ଏବଂ ଦେପ୍‌ସାଙ୍ଗ୍ ଆଦି ପ୍ରସଙ୍ଗର ସମାଧାନ ପାଇଁ ଭାରତ କଡ଼ା ସର୍ତ୍ତ ରଖିଛି।

ଦୁଇ ଦେଶ ମଧ୍ୟରେ ସଂପର୍କରେ ସୁଧାର ସହିତ ଏହା ଅତି ଜରୁରୀ ବୋଲି କୁହାଯାଇଛି । ପୂର୍ବରୁ ଗତ ଏପ୍ରିଲ ୯ ତାରିଖରେ ଏକାଦଶ ପର୍ଯ୍ୟାୟ କଥାବାର୍ତ୍ତା ଦୁଇ ପକ୍ଷ ମଧ୍ୟରେ ପ୍ରାୟ ୧୩ ଘଣ୍ଟା ଧରି ହୋଇଥିଲା। ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ତାଙ୍କ ଚୀନ ପ୍ରତିପକ୍ଷ ୱାଙ୍ଗ୍‌ ୱିଙ୍କୁ ଗତ ଦୁଇ ସପ୍ତାହ ପୂର୍ବେ ସ୍ପଷ୍ଟ ଭାବେ ଜଣାଇ ଦେଇଥିଲେ ଯେ ‌ଏହି ସମସ୍ୟା ସମାଧାନ ଯେତେ ବିଳମ୍ବ ହେଉଛି ତାହା ଦ୍ବିପାକ୍ଷିକ ସମ୍ପର୍କକୁ ସେତେ ଖରାପ କରୁଛି। ଜୁଲାଇ ୧୪ ତାରିଖରେ ସାଂଘାଇ ସହଯୋଗ ସଂଗଠନ ଆଲୋଚନା ବେଳେ ଦୁଇ ଦେଶର ବୈଦେଶିକ ମନ୍ତ୍ରୀଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଥିଲା। ତେବେ ଦ୍ବାଦଶ ସ୍ତରୀୟ ସାମରିକ ଆଲୋଚନାରେ ଭାରତ ପକ୍ଷରୁ ଲେଫ୍ଟନାଣ୍ଟ ଜେନେରାଲ ପିଜିକେ ମେନନ୍‌ ନେତୃତ୍ବ ନେଇଥିଲେ। ବର୍ତ୍ତମାନ ଦୁଇ ଦେଶ ‌ଏଲଏସିର ଉଭୟ ପାର୍ଶ୍ବରେ ସମ୍ବେଦନଶୀଳ ଅଞ୍ଚଳଗୁଡ଼ିକରେ ପାଖାପାଖି ୫୦ ହଜାରରୁ ୬୦ ହଜାର ସୈନ୍ୟ ମୁତୟନ କରିଛନ୍ତି।

ସମ୍ବନ୍ଧିତ ଖବର