ଭାରତୀୟ ଆମେରିକୀୟ ଛାତ୍ରୀ ବିଶ୍ବର ଶ୍ରେଷ୍ଠ ମେଧାବୀଙ୍କ ମଧ୍ୟରୁ ଅନ୍ୟତମ

ୱାଶିଂଟନ: ଜଣେ ଭାରତୀୟ ଆମେରିକୀୟ ଛାତ୍ରୀ ବିଶ୍ବର ଉଜ୍ଜ୍ବଳତମ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅନ୍ୟତମ ବୋଲି ଆମେରିକାର ଏକ ଖ୍ୟାତନାମା ବିଶ୍ବବିଦ୍ୟାଳୟ ଘୋଷଣା କରିଛି। ସୂଚନାଯୋଗ୍ୟ ଯେ, ନ୍ୟୁଜର୍ସିସ୍ଥିତ ଥେଲ୍‌ମା ଏଲ୍‌. ସ୍ୟାଣ୍ଡ୍‌ମିୟର ଏଲିମେଣ୍ଟାରୀ ସ୍କୁଲ୍‌ରେ ପଢ଼ୁଥିବା ୧୧ ବର୍ଷୀୟା ଛାତ୍ରୀ ନତାଶା ପେରିଙ୍କୁ ଜନ୍ ହପ୍‌କିନ୍ସ ସେଣ୍ଟର୍ ଫର୍ ଟ୍ୟାଲେ‌ଣ୍ଟେଡ୍‌ ୟୁଥ୍‌ ଟ୍ୟାଲେଣ୍ଟ (ଭିଟିୱାଇ) ସର୍ଚ୍ଚର ଅଂଶ ସ୍ବରୂପ କରାଯାଇଥିବା ସ୍ୟାଟ୍‌ (ଏସ୍‌ଏଟି), ଆକ୍ଟ (ଏସିଟି) ଆଦି ବିଭିନ୍ନ ପ୍ରକାର ଆକଳନରେ ଅସାଧାରଣ କୃତିତ୍ବ ପ୍ରଦର୍ଶନ ପାଇଁ ସମ୍ମାନିତ କରାଯାଇଛି।

ପେରି ହେଉଛନ୍ତି ୨୦୨୦-୨୧ ଟ୍ୟାଲେଣ୍ଟ ସର୍ଚ୍ଚ ବର୍ଷରେ ସିଟିୱାଇରେ ଭାଗ ନେଇଥିବା ୮୪ଟି ଦେଶର ପ୍ରାୟ ୧୯,୦୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅନ୍ୟତମ। ପେରି ୨୦୨୧ ମାର୍ଚ୍ଚମାସରେ ଏହି ଟ୍ୟାଲେଣ୍ଟ ସର୍ଚ୍ଚ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ, ଯେତେବେଳେ କି ସେ ପଞ୍ଚମ ଶ୍ରେଣୀର ଛାତ୍ରୀ ଥିଲେ। କିନ୍ତୁ ଏଥିରେ ସେ ୮ମ ଶ୍ରେଣୀର ଛାତ୍ରୀ ଭଳି କୃତିତ୍ବ ଓ ଜ୍ଞାନ ପ୍ରଦର୍ଶନ କରିଥିଲେ। ପେରି କେବଳ ସ୍କୁଲ ବହି ପଢ଼ନ୍ତି ନାହିଁ, ଏଥି ସହ ଜେ.ଜେ.ଆର୍. ଟୋଲ୍‌କେନ୍‌ଙ୍କ ଗପ, ଉପନ୍ୟାସ ଆଦି ପଢ଼ିବା ସହିତ ଚିତ୍ରାଙ୍କନରେ ବି ରୁଚି ରଖିଥାନ୍ତି। ଏହି ସମ୍ମାନ ତାଙ୍କୁ ଆହୁରି ଆଗକୁ ବଢ଼ିବା ଲାଗି ପ୍ରେରଣା ଦେବ ବୋଲି କହିଛନ୍ତି ପେରି।

ସମ୍ବନ୍ଧିତ ଖବର