ବିଜେପିକୁ ଦୂରେଇ ରଖିବାକୁ ଶିବସେନା,କଂଗ୍ରେସ ଓ ଏନସିପି ସୁବିଧାବାଦୀ ମେଣ୍ଟ କରିଛନ୍ତି, ୬ ମାସରୁ ଅଧିକ ସମୟ ତିଷ୍ଠିବ ନାହିଁ : ଗଡ଼କରୀ

ନୂଆଦିଲ୍ଲୀ : ମହାରାଷ୍ଟ୍ରରେ ଶିବସେନା, ଏନସିପି ଓ କଂଗ୍ରେସ ମିଳିତ ଭାବେ ସରକାର ଗଠନ କରିବାକୁ ଉଦ୍ୟମ କରୁଥିବାବେଳେ ଏସଂପର୍କରେ ନିଜର ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ । ଏହି ମେଣ୍ଟ ଗଠନକରିଥିବା ଦଳଗୁଡ଼ିକ ସୁବିଧାବାଦୀ, ଏଣୁ ସରକାର ୬ ମାସରୁ ଅଧିକଦିନ ତିଷ୍ଠିବ ନାହିଁ ।

ରାଞ୍ଚିଠାରେ ଏକ ନିର୍ବାଚନପ୍ରଚାର ସଭାରେ ଯୋଗ ଦେବାକୁ ଆସିଥିବା ଗଡ଼କରୀ କହିଛନ୍ତି ଯେ କେବଳ ବିଜେପିକୁ କ୍ଷମତାରୁ ଦୂରେଇ ରଖିବାକୁ ପରସ୍ପର ବିପରୀତ ମନୋଭାବ ବିଶିଷ୍ଟ ଦଳ ଏକାଠି ହୋଇଛନ୍ତି । ଏମାନଙ୍କର ମୁଖ୍ୟ ଲକ୍ଷ୍ୟ ହେଉଛି ବିଜେପିକୁ କ୍ଷମତାରୁ ଦୂରେଇରଖିବା, ଯାହାକି ବେଶ ଦୁର୍ଭାଗ୍ୟଜନକ । ଏହି ସରକାର ଗଠନ ହେବା ନେଇ ସଂଦେହ ରହିଛି । ଯଦିବା ଗଠନ ହୁଏ ୬ ମାସରୁ ଅଧିକ ସମୟ ତିଷ୍ଠିବ ନାହିଁ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ମହାରାଷ୍ଟ୍ରରେ ସରକାର ଗଠନ ପାଇଁ ଆଜି କଂଗ୍ରେସ ଓ ଏନସିପି ମଧ୍ୟରେ ଆଲୋଚନା ହେଉଛି । ଏହି ଆଲୋଚନା ପରେ ଶିବସେନା ସହ ଆଲୋଚନା କରି ସରକାର ଗଠନ ପାଇଁ ଦାବି କରାଯିବ । ମୁଖ୍ୟମନ୍ତ୍ରୀ ପଦ ପାଇଁ କୌଣସି ଔପଚାରିକ ନିଷ୍ପତ୍ତି ହୋଇ ନ ଥିଲେ ମଧ୍ୟ ଉଦ୍ଧବକୁ ମୁଖ୍ୟମନ୍ତ୍ରୀ କରିବାକୁ ଶିବସେନା ବିଧାୟକମାନେ ଦାବି କରୁଛନ୍ତି ।

ସମ୍ବନ୍ଧିତ ଖବର