ସକ୍ରିୟ ରୋଗୀ ସଂଖ୍ୟା ୩.୮୭ ଲକ୍ଷକୁ ବୃଦ୍ଧି, କେରଳରେ ସଂକ୍ରମଣ ଥମୁନି

ଦେଶରେ ୨୪ ଘଣ୍ଟାରେ ୩୮ ହଜାର ମାମଲା,

ନୂଆଦିଲ୍ଲୀ: କରୋନା ମହାମାରୀର ଦ୍ବିତୀୟ ଲହରରୁ ଏବେ ବି ନିସ୍ତାର ମିଳିନଥିବା ବେଳେ କେରଳ ଓ ମହାରାଷ୍ଟ୍ରରେ ସଂକ୍ରମଣ ବୃଦ୍ଧି ଜାରି ରହିବା ଚିନ୍ତାର କାରଣ ହୋଇଛି। ଆଜି ସକାଳ ୮ଟା ସୁଦ୍ଧା ବିଗତ ୨୪ ଘଣ୍ଟାରେ ଦେଶରେ ୩୮ ହଜାର ୬୬୭ ମାମଲା ସାମ୍ନାକୁ ଆସିଛି ଏବଂ ସକ୍ରିୟ ମାମଲା ବୃଦ୍ଧି ପାଇ ୩,୮୭,୬୭୩ରେ ପହଞ୍ଚିଛି। ଏହି ସମୟ ମଧ୍ୟରେ ୪୮୭ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଆଜି ମଧ୍ୟ କେରଳରେ ଦୈନିକ ସଂକ୍ରମଣ ମାମଲ ୨୦ ହଜାରରୁ ଅଧିକ ରହିଛି। ମହାରାଷ୍ଟ୍ରରେ ୧୫୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କେରଳରେ ୧୧୪ ଜଣଙ୍କ ମୃତ୍ୟୁ ହୋଇଛି । ଦେଶରେ ଦୈନିକ ଏବଂ ସାପ୍ତାହିକ ସଂକ୍ରମଣ ହାର ୩ ପ୍ରତିଶତରୁ କମ୍‌ ରହିବା ଆଶ୍ବସ୍ତିର କାରଣ ଥିବା ବେଳେ ମୃତ୍ୟୁ ହାରରେ ଉଲ୍ଲେଖନୀୟ ହ୍ରାସ ହେଉନାହିଁ। ଦେଶରେ କରୋନାରୁ ଆରୋଗ୍ୟ ହାର ୯୭.୪୫ ପ୍ରତିଶତ ରହିଛି। ସାପ୍ତାହିକ ସଂକ୍ରମଣ ହାର ୨.୦୫ ଥିବା ବେଳେ ଗତକାଲି ମୋଟ ୨୨,୨୯,୭୯୮ ନମୁନା ପରୀକ୍ଷା ହୋଇଛି।

ମହାରାଷ୍ଟ୍ରରେ ଡେଲ୍‌ଟା ପ୍ଲସ୍‌ ମୃତ୍ୟୁ ୬ରେ ପହଞ୍ଚିଲା, ମୋଟ ୬୬ ମାମଲା ଚିହ୍ନଟ

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ଭାଇରସ୍‌ର ଡେଲ୍‌ଟା ପ୍ଲସ୍‌ ପ୍ରଜାତି ଆତଙ୍କ ସୃଷ୍ଟି କରିଛି। ରାଜ୍ୟରେ ଏହି ପ୍ରଜାତି ଯୋଗୁଁ ମୃତ୍ୟୁ ସଂଖ୍ୟା ଧୀରେ ଧୀରେ ବଢ଼ୁଛି ଏବଂ ଆଜି ଏହା ୬ରେ ପହଞ୍ଚିଛି। ରାଜ୍ୟରେ ଆଜି ସୁଦ୍ଧା ୬୬ ଡେଲ୍‌ଟା ପ୍ଲସ୍‌ ମାମଲା ଚିହ୍ନଟ ହୋଇଛି ଏବଂ ଆକ୍ରାନ୍ତଙ୍କ ମଧ୍ୟରୁ କିଛି ଲୋକ ୨ଟି ଡୋଜ୍‌ କୋଭିଡ୍‌ ଟିକା ନେଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୭ ଜଣ ରହିଥିବା ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି। ଗତକାଲି ମୁମ୍ବାଇରେ ପ୍ରଥମ ଡେଲ୍‌ଟା ପ୍ଲସ୍‌ ମୃତ୍ୟୁ ହୋଇଥିଲାପପww। ଉତ୍ତର ମହାରାଷ୍ଟ୍ରର ଜଲ୍‌ଗାଓଁ ଅଂଚଳରୁ ୧୩ଟି ଡେଲ୍‌ଟା ପ୍ଲସ୍‌ ମାମଲା ଆସିଥିବା ବେଳେ ରତ୍ନଗିରିରୁ ୧୨ ଏବଂ ମୁମ୍ବାଇରୁ ୧୧ ମାମଲା ଚିହ୍ନଟ ହୋଇଛି।

ସମ୍ବନ୍ଧିତ ଖବର