ତାଲିବାନର ଚେତାବନୀ, ଭାରତ ସେନା ପଠାଇଲେ ପରିଣତି ଖରାପ ହେବ

ବଳପୂର୍ବକ ସରକାର ଗଠନକୁ ମାନ୍ୟତା ଦେବୁନାହିଁ: ଭାରତ

ନୂଆଦିଲ୍ଲୀ: ଆଫଗାନିସ୍ତାନର ୧୯ଟି ପ୍ରଦେଶକୁ ସଂପୂର୍ଣ୍ଣ ନିୟନ୍ତ୍ରଣକୁ ନେଇଥିବା ତାଲିବାନ ଏବେ କାବୁଲ ଦଖଲ ପ୍ରକ୍ରିୟା ଆରମ୍ଭ କରିଛି। ଇତିମଧ୍ୟରେ ତାଲିବାନ ମୁଖପାତ୍ର ମହମ୍ମଦ ସୁହେଲ୍‌ ସାହିଦ ଭାରତକୁ ଚେତାବନୀ ଦେଇ କହିଛନ୍ତି, ଯଦି ଭାରତ ଆଫଗାନିସ୍ତାନକୁ ସେନା ପଠାଇବ ତା’ହେଲେ ଏହାର ପରିଣତି ବହୁତ ଖରାପ ହେବ। ଭାରତ ଅନ୍ୟ ରାଷ୍ଟ୍ରମାନଙ୍କଠାରୁ ଶିକ୍ଷା ଲାଭ କରି କୌଣସି ସାମରିକ ପଦକ୍ଷେପ ଗ୍ରହଣରୁ ଦୂରେଇ ରହିବା ଉଚିତ ବୋଲି ତାଲିବାନ କହିଛି। ଆଫଗାନିସ୍ତାନକୁ ଆସିଥିବା ଆମେରିକା, ବ୍ରିଟେନ୍‌ ଏବଂ ନାଟୋ ସେନା କିଭଳି ପରିସ୍ଥିତିର ସମ୍ମୁଖୀନ ହୋଇ ବିଦା ହୋଇଛନ୍ତି ତାହା ଭାରତ ମନେ ରଖିବା ଉଚିତ ବୋଲି ତାଲିବାନ ପ୍ରବକ୍ତା କହିଛନ୍ତି। ଅନ୍ୟପକ୍ଷରେ ଭାରତ ମଧ୍ୟ ତାଲିବାନକୁ ସ୍ପଷ୍ଟ କହିଛି ଯେ ଆଫ୍‌ଗାନିସ୍ତାନରେ ବଳପୂର୍ବକ ଗଠନ ହୋଇଥିବା କୌଣସି ସରକାରକୁ ଭାରତ ମାନ୍ୟତା ଦେବାନାହିଁ। ଭାରତ ବ୍ୟତୀତ ଜର୍ମାନୀ, କତାର, ତୁର୍କୀ ଏବଂ ଅନ୍ୟ ଦେଶମାନେ ମଧ୍ୟ ତାଲିବାନ ସରକାରକୁ ମାନ୍ୟତା ଦେବେନାହିଁ ବୋଲି ଘୋଷଣା କରିଛନ୍ତି। ଭାରତ ସରକାର ଆଫଗାନିସ୍ତାନରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପ ନିର୍ମାଣ ପାଇଁ ବିଗତ ୨୦ ବର୍ଷରେ ୨୨୦୦ କୋଟି ଟଙ୍କା ବିନିଯୋଗ କରିଛି। ତାଲିବାନ କ୍ଷମତା ଦଖଲ କଲେ ଏସବୁ ପ୍ରକଳ୍ପକୁ ତାଲିବାନ ନଷ୍ଟ କରିଦେବ କିମ୍ବା ନିଜର ସ୍ବାର୍ଥ ପାଇଁ ହିଁ ବ୍ୟବହାର କରିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର