ତାଲିବାନକୁ ୬୫ଟି ଦେଶର ତାଗିଦ, ବିଦେଶୀଙ୍କ ସୁରକ୍ଷା ପ୍ରତି ଦୃଷ୍ଟି ଦିଅ

କାବୁଲ: ତାଲିବାନମାନେ କାବୁଲ ଦଖଲ କରିନେବା ପରେ ବିଭିନ୍ନ ଦେଶ ଆଫଗାନିସ୍ତାନରେ ଥିବା ନିଜର କୂଟନୀତିଜ୍ଞ, ଅନ୍ୟ କର୍ମଚାରୀ ଓ ଲୋକମାନଙ୍କୁ ନିଜ ଦେଶକୁ ଫେରାଇ ନେବା ପାଇଁ ଉଦ୍‌ଗ୍ରୀବ ହୋଇପଡ଼ିଛନ୍ତି। ବହୁ ଆଫଗାନିସ୍ତାନବାସୀ ମଧ୍ୟ ତାଲିବାନ ଶାସନରେ ନିଜକୁ ସୁରକ୍ଷିତ ନ ମଣି ଦେଶ ଛାଡ଼ିବାକୁ ଚେଷ୍ଟାରେ ଅଛନ୍ତି। ଏହି ଅବସରରେ ଆମେରିକା ସମେତ ୬୫ଟି ଦେଶ ଆଫଗାନିସ୍ତାନ ଛାଡ଼ି ଯିବାକୁ ଚାହୁଁଥିବା ବିଦେଶୀମାନଙ୍କୁ ବାଧା ନ ଦେବାକୁ ତାଗିଦ କରିଛନ୍ତି। ସେମାନଙ୍କୁ ଯେପରି କୌଣସି ପ୍ରକାର ନିର୍ଯାତନା ଦିଆ ନ ଯାଏ ଏବଂ ଜଣେ ଲୋକର ବି ଯେପରି ମୃତ୍ୟୁ ନ ଘଟେ ସେଥି ପ୍ରତି ଦୃଷ୍ଟି ଦେବା ଲାଗି ଆମେରିକାର ବୈଦେଶିକ ବିଭାଗ ଏକ ଯୁଗ୍ମ ବିବୃତି ଜାରି କରିଥିବା ବେଳେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନ ଏ ବାବଦରେ ଟୁଇଟ କରିଛନ୍ତି। ମାନବ ଜୀବନର ସୁରକ୍ଷା ପାଇଁ ବର୍ତ୍ତମାନ ଆଫଗାନିସ୍ତାନ ଦାୟିତ୍ବରେ ଓ କ୍ଷମତାରେ ଥିବା ଲୋକମାନେ ଦାୟୀ ରହିବେ ବୋଲି ଉକ୍ତ ମିଳିତ ବିବୃତିରେ କୁହାଯାଇଛି।

ବର୍ତ୍ତମାନ ଆଫଗାନିସ୍ତାନର ନେତାମାନେ ଏକ ସଂଯୋଜକ କମିଟି ଗଠନ କରିଛନ୍ତି ଯେଉଁମାନେ ଏକ ବୈଠକରେ ଆଲୋଚନା କରି କିପରି କ୍ଷମତା ହସ୍ତାନ୍ତର କରାଯିବ, ସେ ବାବଦରେ ନିଷ୍ପତ୍ତି ନେବେ। ପୂର୍ବତନ ରାଷ୍ଟ୍ରପତି ହମିଦ କାରଜାଇ ଏକ ବିବୃତିରେ କହିଛନ୍ତି ଯେ ଏହି କମିଟିରେ ଜାତୀୟ ପୁନର୍ଗଠନ ପରିଷଦ ମୁଖ୍ୟ ଅବଦୁଲ୍ଲା ଅବଦୁଲ୍ଲା ରହିବେ। ଏହା ସହିତ ହିଜବେ ଇସଲାମିର ନେତା ଗୁଲବୁଦ୍ଦିନ ହେକମାତ୍ୟାରଙ୍କ ସହିତ ସେ ନିଜେ ରହିବେ ବୋଲି କାରଜାଇ କହିଛନ୍ତି।

ସମ୍ବନ୍ଧିତ ଖବର