କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଗୁଜରାଟରେ ଅକ୍ସିଜେନ୍ ପ୍ଳାଣ୍ଟ ଉଦ୍‌ଘାଟନ କଲେ

ଭାବନଗର: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟା ଦେଶରେ ମେଡିକାଲ ଅକ୍ସିଜେନ୍‌ର ଅଭାବ ଦୂର କରିବା ପାଇଁ ପଦକ୍ଷେପ ନେଉଛନ୍ତି। ଜୁଲାଇ ୭ ତାରିଖରେ ମନ୍ତ୍ରୀ ହେବା ପରେ ତାଙ୍କର ପ୍ରଥମ ପ୍ରକଳ୍ପ ଭାବେ ସେ ଗୁଜରାଟର ଏକ ହସ୍ପିଟାଲରେ ଦୁଇଟି ପ୍ରେସର ସ୍ବିଙ୍ଗ୍ ଆବଜର୍ପସନ (ପିଏସ୍‌ଏ) ପ୍ଲାଣ୍ଟ ଉଦ୍‌ଘାଟନ କରିଛନ୍ତି। କୋଭିଡ୍‌-୧୯ ରୋଗୀମାନଙ୍କର ଅମ୍ଳଜାନ ଅଭାବକୁ ଏହି ପ୍ଲାଣ୍ଟ ଦୂର କରିବ। ଭାବନଗରର ସାର୍ ତଖ୍‌ତସିଂହଜୀ ହସ୍ପିଟାଲରେ ଏହି ପ୍ଳାଣ୍ଟ ପ୍ରତିଷ୍ଠା କରାଯାଇଛି।

ମାଣ୍ଡଭିଆ ମଧ୍ୟ ପ୍ରତ୍ୟେକ ମିନିଟରେ ୧୦୦୦ ଲିଟର କ୍ଷମତା ବିଶିଷ୍ଟ ଦୁଇଟି ଅମ୍ଳଜାନ ଉତ୍ପାଦନ କାରଖାନା, ଏକ କପର୍ ପାଇପିଂ ନେଟୱାର୍କ ଏବଂ ଅଗ୍ନି ନିର୍ବାପକ ବ୍ୟବସ୍ଥା ଓ ସ୍ୱୟଂଚାଳିତ ଅମ୍ଳଜାନ ଉତ୍ସ ପରିବର୍ତ୍ତନ ପ୍ରଣାଳୀ ଭଳି ଆନୁଷଙ୍ଗିକ ବ୍ୟବସ୍ଥାର ଉଦ୍‌ଘାଟନ କରିଥିଲେ। ‘ଏହି ସୁବିଧା ଭାବନଗରବାସୀଙ୍କ ପାଇଁ ଉତ୍ସର୍ଗୀକୃତ। ନିକଟରେ ଉଦ୍‌ଘାଟିତ ହୋଇଥିବା ଅନୁରୂପ ସୁବିଧାଗୁଡ଼ିକ ସଙ୍କଟ ସମୟରେ ଦେଶକୁ ସାହାଯ୍ୟ କରିବ। ଏହା ଉଭୟ ସରକାରୀ ତଥା ବେସରକାରୀ କ୍ଷେତ୍ରର ବିଭିନ୍ନ ବ୍ୟକ୍ତି ଓ ସଂସ୍ଥା ମଧ୍ୟରେ ସହଯୋଗର ଏକ ପ୍ରମାଣ, ଯାହାଫଳରେ ଆମେ ଅଳ୍ପ ସମୟ ମଧ୍ୟରେ ଆମର ଅମ୍ଳଜାନ କ୍ଷମତାକୁ ମାତ୍ର ୪୦୦୦ ମେଟ୍ରିକ୍ ଟନ୍‌ରୁ ୧୨,୦୦୦ ମେଟ୍ରିକ୍ ଟନ୍‌କୁ ବୃଦ୍ଧି କରିପାରିଛୁ’ ବୋଲି ଉଦ୍‌ଘାଟନ ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର