ମୌସୁମୀ ଅଧିବେଶନର ତ୍ରୟୋଦଶ ଦିବସ, ହ‌ଟ୍ଟଗୋଳ ଭିତରେ ଗୃହୀତ ହେଲା ୪ ବିଲ୍‌

ରାଜ୍ୟସଭାରେ ୩, ‌ଲୋକସଭାରେ‌୧

ନୂଆଦିଲ୍ଲୀ: ପେଗାସସ୍ ସ୍ପାଏୱେର୍‌ ମାମଲାର ତଦନ୍ତ ଏବଂ ୩ କୃଷି ଆଇନ ଉପରେ ଆଲୋଚନା ଦାବିରେ ବିରୋଧୀ ଦଳମାନେ ଚଳିତ ମୌସୁମୀ ଅଧିବେଶନ ଆରମ୍ଭରୁ ହଟ୍ଟଗୋଳ ଜାରି ରଖିଛନ୍ତି। ୨୬ ଦିନିଆ ମୌସୁମୀ ଅଧିବେଶନ ଗତମାସ ୧୯ ତାରିଖରୁ ଆରମ୍ଭ ହୋଇଥିଲା। ତ୍ରୟୋଦଶ ଦିବସରେ ଆଜି ସରକାର ମୋଟ ୪ଟି ବିଲ୍‌ ଗୃହୀତ କରାଇ ‌ନେଇଛନ୍ତି। ସେଥିରୁ ୩ଟି ବିଲ୍ ରାଜ୍ୟସଭାରେ ଏବଂ ଗୋଟିଏ ବିଲ୍‌ ‌ଲୋକସଭାରେ ଗୃହୀତ ହୋଇଛି।

ବିରୋଧୀଙ୍କ ଜିଦ୍ ଏବଂ ପାଟିତୁଣ୍ଡ ଯୋଗୁ ଉଭୟ ଗୃହକୁ ବାରମ୍ବାର ମୁଲତବୀ କରିବାକୁ ପଡ଼ିଥିଲା। ରାଜ୍ୟର ଉପାଧ୍ୟକ୍ଷ ହରିବଂଶ ଏବଂ ଅଧ୍ୟକ୍ଷତା କରୁଥିବା ଭୁବନେଶ୍ବର କଲିକା ସାଂସଦମାନଙ୍କୁ ଶାନ୍ତ ପଡ଼ିବା ପାଇଁ ବାରମ୍ବାର ଅନୁରୋଧ କରିବା ଦେଖିବାକୁ ମିଳିଥିଲା। ସେହିଭଳି ଲୋକସଭାରେ ଅଧ୍ୟକ୍ଷତା କରୁଥିବା ରମା ଦେବୀ କହିଥିଲେ, ଗୃହରେ ହଟ୍ଟଗୋଳ ଦେଶର ଲୋକଙ୍କୁ ପ୍ରଭାବିତ କରୁଛି।

ରାଜ୍ୟସଭାରେ ଆଜି ଯେଉଁ ୩ଟି ବିଲ୍ ଗୃହୀତ ହୋଇଛି ସେଗୁଡ଼ିକ ହେଲା ଅତ୍ୟାବଶ୍ୟକ ପ୍ରତିରକ୍ଷା ସେବା ବିଲ୍‌, ଜାତୀୟ ରାଜଧାନୀ ଅଞ୍ଚଳ ଏବଂ ଏହାର ଆଖପାଖ ଅଞ୍ଚଳରେ ବାୟୁର ଗୁଣବତ୍ତା ପରିଚାଳନା ବିଲ୍ ଏବଂ ସମ୍ବିଧାନ (ତଫସିଲଭୁକ୍ତ ଜନଜାତି) ନିର୍ଦ୍ଦେଶ (ସଂଶୋଧନ) ବିଲ୍‌। ସେହିଭଳି ଲୋକସଭାରେ ଟିକସ ଆଇନ (ସଂଶୋଧନ) ବିଲ୍‌-୨୦୨୧ ଗୃହୀତ ହୋଇଛି। ଅତ୍ୟବଶ୍ୟକ ପ୍ରତିରକ୍ଷା ସେବା ବିଲ୍ ଉପରେ ବକ୍ତବ୍ୟ ରଖି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଥିଲେ ପ୍ରତିବାଦ କରିବାର ଅଧିକାର ଏଥିରେ ପ୍ରତିହତ ହେବନାହିଁ। ଅର୍ଡିନାନ୍ସ କ୍ଷେତ୍ରକୁ ଉନ୍ନତ କରିବା ଲାଗି ଏହି ବିଲ୍ ଅଣାଯାଇଛି। ଗୋଳବାରୁଦ କାରଖାନାରେ କାର୍ଯ୍ୟ କରିବାର ମାନରେ ଉନ୍ନତି ଆଣିବା ଲାଗି ଏହା କରାଯାଇଛି। ତେବେ ଆପ୍ ପକ୍ଷରୁ ଏହି ବିଲ୍‌କୁ ବିରୋଧ କରାଯାଇଥିଲା। ସାଂସଦ ଏସ କେ ଗୁପ୍ତା କହିଥିଲେ ଏହି ବିଲ୍ ଘରୋଇକରଣକୁ ସୁଗମ କରିବ। କୃଷି ଆଇନ ଭଳି ଏହାକୁ ତରବରିଆ ଭାବେ ଗୃହୀତ କରାଗଲେ ଦେଶ କ୍ଷତି ସହିବ ବୋଲି ସେ ମତ ଦେଇଥିଲେ। ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ଅଜୟ କୁମାର ଭଟ୍ଟ ବିଲ୍‌ ଗୃହୀତ କରିବା ପାଇଁ ପ୍ରସ୍ତାବ ଆଗତ କରିଥିଲେ। ବିଜେଡିର ସୁଜିତ କୁମାର ଉକ୍ତ ବିଲ୍‌କୁ ସମର୍ଥନ କରିଥିଲେ। ସେ କହିଥିଲେ ଚୀନ ଏବଂ ପାକିସ୍ତାନ ଠାରୁ ଭାରତ ପ୍ରତି ବିପଦ ରହିଥିବାରୁ ଏହି ବିଲ୍ ଗୃହୀତ ହେବା ଆବଶ୍ୟକ। ଦେଶ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବା ଆବଶ୍ୟକ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର