ଅଡି କାର୍‌ ଉପରେ ଡମ୍ପର୍‌ ଟ୍ରକ୍‌ ଓଲଟି ପଡ଼ିବାରୁ ଗୋଟିଏ ପରିବାରର ତିନି ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବୁଧବାର ପ୍ରତ୍ୟୁଷରେ ଦିଲ୍ଲୀ ଅନ୍ତର୍ଗତ ରୋହିଣୀ ଠାରେ ଗୋଟିଏ ଅଡି କାର୍‌ ଉପରେ ଗୋଟିଏ ଡମ୍ପର୍‌ ଟ୍ରକ୍‌ ଓଲଟି ପଡ଼ିବାରୁ ଜଣେ ୨୯ ବର୍ଷିୟ ବ୍ୟକ୍ତି, ତାଙ୍କ ମାଆ ଓ ତାଙ୍କ ପତ୍ନୀଙ୍କର ଦେହାନ୍ତ ହୋଇ ଯାଇଛି। ଦୁର୍ଘଟନା ଯୋଗୁଁ ସେମାନଙ୍କ ଚାରି ବର୍ଷିୟ ପୁଅଟି ସାଙ୍ଘାତିକ ଆହତ ହୋଇଛି।

ରୋହିଣୀ ଡେପୁଟି ପୁଲିସ କମିସନ ଏସ୍‌ଡି ମିଶ୍ର କହିଛନ୍ତି ଯେ ଦ୍ରୁତ ବେଗରେ ଥିବା ବେଳେ ଟ୍ରକ୍‌ ଡ୍ରାଇଭର୍‌ ୟୁ ଟର୍ଣ୍ଣ ବୁଲୁଥିବା ବେଳେ ସମ୍ଭବତଃ ଦୁର୍ଘଟନା ଘଟିଛି। ଘଟନାସ୍ଥଳରୁ ଟ୍ରକ୍‌ ଚାଳକ ଫେରାର ହୋଇ ଯାଇଥିଲେ ବି ଟ୍ରକ୍‌ଟିକୁ ଜବତ କରାଯାଇଛି।

ରୋହିଣୀ ସେକ୍ଟର୍‌ ୧୫ରେ ବାସ କରୁଥିବା ଚାରିଜଣିଆ ପରିବାର ଏକ ନିର୍ବନ୍ଧ ଉତ୍ସବରୁ ଫେରୁଥିବା ସମୟରେ ରାତି ପ୍ରାୟ ୧ଟା ବେଳେ ଦୁର୍ଘଟନା ଘଟିଥିବା ପ୍ରକାଶ।

ରୋହିଣୀ ସେକ୍ଟର ୧୫ ନିକଟ ଇଏସ୍‌ଆଇ ହସ୍‌ପିଟାଲ୍‌ ପାଖରେ ଘଟିଥିବା ଏହି ଦୁର୍ଘଟନାସ୍ଥଳରୁ ୪ ଜଣଙ୍କୁ ଡାକ୍ତରଖାନା ନିଆଯାଇଥିଲା। ତିନି ଜଣଙ୍କୁ ମୃତାବସ୍ଥାରେ ଅଣାଯାଇଥିବା ଡାକ୍ତର ଘୋଷଣା କରିଥିଲେ। ବାଳକଟି ମୃତ୍ୟୁ ସହ ସଂଗ୍ରାମ କରୁଛି।

ସମ୍ବନ୍ଧିତ ଖବର