ଟମ୍‌ ଟମ୍‌ ଟ୍ରାଫିକ ସୂଚକାଙ୍କ-୨୦୧୯: ବେଙ୍ଗାଲୁରୁ ଟ୍ରାଫିକ୍‌ ବିଶ୍ବରେ ସବୁଠୁ ଖରାପ

ନୂଆଦିଲ୍ଲୀ: ଟମ୍‌ ଟମ୍‌ ଟ୍ରାଫିକ ସୂଚକାଙ୍କ-୨୦୧୯ ତାଲିକାରେ ଭାରତର ୪ଟି ସହରର ଟ୍ରାଫିକ୍‌ ସ୍ଥିତି ଅତି ଦୟନୀୟ ବୋଲି ଦର୍ଶାଯାଇଛି। ବେଙ୍ଗାଲୁରୁର ଟ୍ରାଫିକ୍‌ ବ୍ୟବସ୍ଥା ବିଶ୍ବରେ ସବୁଠାରୁ ଖରାପ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି। ବିଶ୍ବର ବିଭିନ୍ନ ସହରରେ ଟ୍ରାଫିକ ଭିଡ଼ ଓ ପରିଚାଳନାରେ ବିଫଳତାକୁ ନେଇ ଏହି ରିପୋର୍ଟ ପ୍ରକାଶ ପାଇଛି। ବେଙ୍ଗାଲୁରୁରେ ବିଶ୍ବର ସର୍ବାଧିକ ୭୧ ପ୍ରତିଶତ ଟ୍ରାଫିକ ଭିଡ଼ ଦେଖିବାକୁ ମିଳିଥାଏ। ଏଠାରେ ଗୋଟିଏ ଟ୍ରାଫିକ ବର୍ଷରେ ସର୍ବାଧିକ ଅତିରିକ୍ତ ଟ୍ରାଫିକ ଭିଡ଼ ମଧ୍ୟ ହୋଇଥାଏ। ଏଣୁ ବେଙ୍ଗାଲୁରୁ ଏହା ତାଲିକାର ଶୀର୍ଷରେ ରହିଛି। ସେହିଭଳି ଭାରତର ମୁମ୍ବାଇ (୬୫ ପ୍ରତିଶତ) ଏହି ତାଲିକାରେ ଚତୁର୍ଥ ସ୍ଥାନରେ ଥିଲାବେଳେ ପୁନେ (୫୯ ପ୍ରତିଶତ) ପଞ୍ଚମ ଏବଂ ନୂଆଦିଲ୍ଲୀ (୫୬ ପ୍ରତିଶତ) ଅଷ୍ଟମ ସ୍ଥାନରେ ରହିଛି। ଏହି ତାଲିକାରେ ବିଶ୍ବର ଅନ୍ୟାନ୍ୟ ପ୍ରମୁଖ ସହର ମଧ୍ୟରେ ଫିଲିପାଇନ୍‌ସର ରାଜଧାନୀ ମାନିଲା, କଲମ୍ବିଆର ବୋଗୋଟା, ରୁଷିଆର ମସ୍କୋ, ପେରୁର ଲିମା, ତୁର୍କୀର ଇସ୍ତାନବୁଲ, ଇଣ୍ଡୋନେସିଆର ଜାକର୍ତ୍ତା ଭଳି ସହର ସ୍ଥାନ ପାଇଛନ୍ତି। ବିଶ୍ବର ୫୭ଟି ଦେଶର ୪୧୬ ସହରର ଟ୍ରାଫିକ ପରିଚାଳନା ଓ ଟ୍ରାଫିକ ଭିଡ଼କୁ ନେଇ ‘ଟମ୍‌ ଟମ୍‌ ଟ୍ରାଫିକ ସୂଚକାଙ୍କ-୨୦୧୯’ ପ୍ରକାଶ ପାଇଛି। ତେବେ ୨୦୧୮ ତୁଳନାରେ ୨୦୧୯ରେ ଦିଲ୍ଲୀର ଟ୍ରାଫିକ ଭିଡ଼ ୨ ପ୍ରତିଶତ ହ୍ରାସ ପାଇଛି।

ଟମ୍‌ ଟମ୍‌ ଟ୍ରାଫିକ ସୂଚକାଙ୍କ-୨୦୧୯ ଅନୁଯାୟୀ, ବେଙ୍ଗାଲୁରୁ ବିଶ୍ବର ସବୁଠୁ ଟ୍ରାଫିକ ବିପର୍ଯ୍ୟସ୍ତ ସହର ଭାବେ ପରିଗଣିତ ହୋଇଛି।। ବେଙ୍ଗାଲୁରୁ ସହରରେ ଗୋଟିଏ ଟ୍ରାଫିକ ବର୍ଷରେ ୨୪୩ ଘଣ୍ଟା ଭିଡ଼ ହୋଇଥାଏ। ସେହିଭଳି ଦିଲ୍ଲୀର ଗୋଟିଏ ଟ୍ରାଫିକ ବର୍ଷରେ ଅତିରିକ୍ତ ୧୯୦ ଘଣ୍ଟା ଭିଡ଼ ପରିଲକ୍ଷିତ ହୋଇଥିବା ବେଳେ ମୁମ୍ବାଇର ୨୦୯ ଘଣ୍ଟା ଏବଂ ପୁନେର ୧୯୩ ଘଣ୍ଟା ଭିଡ଼ ହୋଇଛି ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର