ଭାରତ ବୁଲିବାକୁ ସ୍ପେନରୁ ଆସିଲେ, ହେଲେ ଏହି କାରଣ ପାଇଁ ବିମାନବନ୍ଦରରୁ ଫେରିଗଲେ ଦମ୍ପତ୍ତି

ନୂଆଦିଲ୍ଲୀ: ଜଣେ ୩୩ ବର୍ଷୀୟ ସ୍ପେନୀୟ ବ୍ୟବସାୟୀ ତାଙ୍କ ପତ୍ନୀଙ୍କ ସହ ଭାରତରେ ବୁଲିବା ପାଇଁ ୧୩ ଦିନର ଯୋଜନା କରିଥିଲେ। ଏଥିପାଇଁ ସେ ଏକ କାର୍ ମଧ୍ୟ ବୁକ୍ କରିଥିଲେ। କିନ୍ତୁ ଯେତେବେଳେ ସେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଲେ, କାରର ଅବସ୍ଥା ଦେଖିବା ପରେ ତାଙ୍କ ହୃଦୟ ଭାଙ୍ଗି ଯାଇଥିଲା। ଆଉ ଏଥିରେ ହତାଶ ହୋଇ ସେ ପୁଲିସ ନିକଟରେ ଅଭିଯୋଗ କରି ନିଜ ଦେଶକୁ ଫେରିଯାଇଛନ୍ତି। ମିଳିଥିବା ସୂଚନା ମୁତାବକ ସ୍ପେନର ପାବଲୋ ମନଭେଲ ୟୁରୋପରେ ଆମଦାନୀ-ରପ୍ତାନି ବ୍ୟବସାୟ କରନ୍ତି। ଅକ୍ଟୋବରରେ ସେ ତାଙ୍କ ପତ୍ନୀଙ୍କ ସହ ଭାରତ ଗସ୍ତ କରିବାକୁ ଯୋଜନା କରିଥିଲେ। ସେ ସ୍ଥିର କଲେ ଯେ ସେ ଦିଲ୍ଲୀ, ଆଗ୍ରା, ଜୟପୁର ଇତ୍ୟାଦି ସ୍ଥାନ ପରିଦର୍ଶନ କରିବେ | ସେ ୧୩ ଦିନ ଭାରତରେ ରହିବେ ଓ ଏହା ପରେ ହିଁ ନିଜ ଦେଶକୁ ଫେରିବେ। ଏହି ଯାତ୍ରା ପାଇଁ ଉଭୟ ବହୁତ ଉତ୍ସାହିତ ଥିଲେ | ଏଥିପାଇଁ ସେ ଏକ ଭଡା କାର ନେବାକୁ ମନସ୍ଥ କଲେ, ଯାହାଫଳରେ ସେ କୌଣସି ପ୍ରତିବନ୍ଧକ ବିନା ଆରାମରେ ବୁଲାବୁଲି କରିପାରନ୍ତି। ପାବଲୋ ବାଙ୍ଗାଲୋରର ଏକ ଭଡା କାର ଯୋଗାଉଥିବା କମ୍ପାନୀର ୱେବସାଇଟ ଦେଖିଥିଲେ |

ଏହି ୱେବସାଇଟରେ ସୁନ୍ଦର ସୁନ୍ଦର କାର ସବୁ ଥିଲା | ସେ ତାଙ୍କ ମନପସନ୍ଦର କାର ବୁକ କରିଥିଲେ | ସେ ଅକ୍ଟୋବର ୧୦ ରୁ ୨୨ ପର୍ଯ୍ୟନ୍ତ ଗାଡି ବୁକ୍ କରିଥିଲେ, ଯେଉଁଥିପାଇଁ ସେ ୧.୨୨ ଲକ୍ଷ ଟଙ୍କା ଦେଇଥିଲେ। ସେ ୧୦ ଅକ୍ଟୋବରରେ ସ୍ପେନରୁ ଆସି ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଥିଲେ | ଏଠାକୁ ଆସିବା ପରେ ସେ ଟ୍ରାଭେଲ କମ୍ପାନୀ ସହିତ ଯୋଗାଯୋଗ କରିଥିଲେ। କମ୍ପାନୀର କର୍ମଚାରୀ ଏକ କାର ନେଇ ପହଞ୍ଚିଥିଲେ। ତେବେ ସେ ଏହି କାରକୁ ପସନ୍ଦ କରିନଥିଲେ | ସେ ଏହି କାର ନେବାକୁ ମନା କରିଦେଇଥିଲେ। ଏହା ପରେ କର୍ମଚାରୀ ଅନ୍ୟ ଏକ କାର ଯୋଗାଇଦେଇଥିଲେ ବି ଦମ୍ପତ୍ତି ମଧ୍ୟ ଏହାକୁ ପସନ୍ଦ କରିନଥିଲେ | ଏହାପରେ ସେମାନେ ପୁଲିସ ନିକଟରେ ଅଭିଯୋଗ କରିଥିଲେ।

ପାବଲୋ ପୁଲିସକୁ କହିଥିଲେ ଯେ ଟ୍ରାଭେଲ କମ୍ପାନୀ ଏହାର ୱେବସାଇଟରେ ବହୁତ ଆକର୍ଷଣୀୟ କାରର ଫଟୋ ପୋଷ୍ଟ କରିଛି। ସେ କାରର ଫଟୋ ଦେଖି ୧୩ ଦିନ ପାଇଁ ଗାଡି ବୁକ୍ କରିଥିଲେ | କିନ୍ତୁ ଏଠାକୁ ଆସିବା ସମୟରେ ତାଙ୍କୁ ଦିଆଯାଇଥିବା କାରଟି ବହୁତ ମଇଳା ଥିଲା | କାରଟି ଭଙ୍ଗାରୁଜା ଅବସ୍ଥାରେ ଥିବାବେଳେ କମ୍ପାନୀ ତାଙ୍କୁ ଠକିଥିବାର ସେ ପୁଲିସ ନିକଟରେ ଅଭିଯୋଗ କରିଥିଲେ | ଏହା ପରେ ପୁଲିସ କମ୍ପାନୀ ସହ ଯୋଗାଯୋଗ କରିଥିଲା। ପୁଲିସର ହସ୍ତକ୍ଷେପ ପରେ କମ୍ପାନୀ ଟଙ୍କା ଫେରସ୍ତ କରିବାକୁ ରାଜି ହୋଇଥିଲା। ଏହା ପରେ ସେ ଭାରତ ଭ୍ରମଣ ଯୋଜନାକୁ ବାତିଲ କରି ନିଜ ଦେଶକୁ ଫେରିଯାଇଛନ୍ତି |

ସମ୍ବନ୍ଧିତ ଖବର