ମାସେ ହେଲା ଚାଷୀଙ୍କୁ ଦହଗଞ୍ଜ କରୁଛନ୍ତି ୧୮ ଟିକିଆ ହାତୀପଲ

ଭଞ୍ଜନଗର: ଗୋଟିଏ ପଟେ ହାତୀପଲ ଏବଂ ଅନ୍ୟପଟେ ମଣିଷ। ନିଜ ନିଜ ସୁରକ୍ଷା ପାଇଁ ଉଭୟ ବ‌ାଟବଣା। କେତେବେ‌ଳେ ହାତୀ ମରୁଛନ୍ତି ତ କେତେବେଳେ ମୃତ୍ୟୁକୁ ସାମ୍ନା କରେ ମଣିଷ। ଗତ କିଛି ମାସ ହେଲା ଗଞ୍ଜାମ ଜିଲ୍ଲା ଉତ୍ତର ଘୁମୁସର ବନଖଣ୍ଡରେ ଏଭଳି କିଛି ଘଟଣା ନଜରକୁ ଆସିଛି। ଏହି ବନଖଣ୍ଡ ଅଧିନ ବିଭିନ୍ନ ବନାଞ୍ଚଳରେ କିଛିଦିନ ହେବ ହାତୀପଲ ଚଳପ୍ରଚଳ ଦେଖିବାକୁ ମିଳିଛି। କ୍ଷେତରେ ପଶି  ଧାନ ଫସଲ ନଷ୍ଟ କରିବା ସହ ହାତୀଙ୍କ ଉପଦ୍ରବରେ ସ୍ଥାନୀୟ ଲୋକ ଅତିଷ୍ଠ ହୋଇ ପଡିଲେଣି। ବନଖଣ୍ଡର ମୁଜାଗଡ଼,ଜଗନ୍ନାଥପ୍ରସାଦ ଓ ତାରସିଂ ବନାଞ୍ଚଳରେ ହାତୀଙ୍କ ଗତିବିଧି ଲକ୍ଷ କରାଯାଇଛି। କିନ୍ତୁ ତାରସିଂ ବନାଞ୍ଚଳରେ ବହୁ ମାତ୍ରାରେ ହାତୀଙ୍କ ଉପଦ୍ରବରେ ସ୍ଥାନୀୟ ଲୋକ ଅତିଷ୍ଠ‌ ହୋଇ ସାରିଲେଣି। ଖାସ୍‌ କରି ପଲରେ ଥିବା ଛୁଆ ହାତୀର ସୁରକ୍ଷା ପାଇଁ ଅଧିକ ପ୍ରତିକ୍ରିୟାଶୀଳ ହୋଇ ପଡୁଛନ୍ତି।

ବିଶେଷ କରି ଉତ୍ତର ଘୁମୁସର ବନଖଣ୍ଡର ତାରସିଂ ବନାଞ୍ଚଳରେ ପ୍ରାୟ ଏକ ମାସ ହେଲା ୧୮ ଟିକିଆ ହାତୀ ବନ ବିଭାଗ ଠାରୁ ଆରମ୍ଭ କରି ଗ୍ରାମବାସୀଙ୍କ ନୟାନ୍ତ କରି ସାରିଲେଣି। ପୂର୍ବରୁ ନିୟମିତ ବ୍ୟବଧାନରେ ହାତୀ ଜଙ୍ଗଲରୁ ବାହାରକୁ ବାହାରୁଥିବା ବ‌େଳେ ବର୍ତ୍ତମାନ ଦିନରାତି ଅବାଧରେ ବୁଲି ଫସଲ ନଷ୍ଠ କରିବା ସହ ବହୁ କ୍ଷୟକ୍ଷତି କରୁଛନ୍ତି। ଏମାନଙ୍କ ଭିତରେ ୯ ଟି ମାଈ ହାତୀ, ୫ଟି ଛୁଆ ଏବଂ ୪ଟି ଦନ୍ତା ହାତୀ ରହିଥିବା ଜଣାପଡିଛି। ତାରସିଂ ଇଲାକାର ତିନିଛକିଆ, ଲେମ୍ଭାଇ, ହଳନ୍ଦଖୋଳା, ବାଲିସାହି, ଦଲକ, ଢେପସାହି,ବାରଦଣ୍ଡା, ସାମରଡା, ଗରୁଡୁପଥ, ତିରିଗୋଚ୍ଛା, କ୍ଷେତମୁଣ୍ଡାଳୀ ଭଳି ବିଭିନ୍ନ ଗ୍ରାମ ନିକଟରେ ପ୍ରତିଦିନ ହାତୀପଲର ଗତିବିଧି ଲକ୍ଷ୍ୟ କରାଯାଉଛି।  ସଂନ୍ଧ୍ୟା ହେବା କ୍ଷଣି ନିକଟସ୍ଥ ଜଙ୍ଗଲ ଭିତରୁ  ବାହାରି କ୍ଷେତ ଭିତରେ ପଶୁଛନ୍ତି। ଆଉ ରାଜରାସ୍ତାକୁ ଏକ ପ୍ରକାର ନିଜ ଅକ୍ତିଆରକୁ ନେଇ ଯାଉଛନ୍ତି। ଖାଦ୍ୟ ଅନ୍ବେଷଣ ପାଇଁ ଜଙ୍ଗଲ ଭିତରୁ ହାତୀ ବାହାରକୁ ଆସୁଥିବା ଗ୍ରାମବାସୀ କହିଛନ୍ତି। ଧାନ ଫସଲ ଖାଇବା ପାଇଁ ଆସି ଅନେକ ସମୟରେ ଜନବସତି ଆଡ଼କୁ ମଧ୍ୟ ମୁହାଁଇଥାନ୍ତି। ଏହି ସମୟରେ ମଣିଷ ଠାରୁ ହାତୀର ସୁରକ୍ଷା ଏବଂ ହାତୀ ଠାରୁ ମଣିଷ ସୁରକ୍ଷା ବଡ ଚାଲେଞ୍ଜ ଭାବେ ଉଭା ହୋଇଛି। ଗତ ଦୁଇ ବର୍ଷ ମଧ୍ୟରେ ହାତୀ ଆକ୍ରମଣରେ ୪ ଜଣଙ୍କ ମୃତ୍ୟୁ ଘଟିଥିବ ବେଳେ ଗତ ଜୁଲାଇ ମାସରୁ ଆଜି ପର୍ଯ୍ୟନ୍ତ ଶିକାରୀ ଆକ୍ରମଣରେ ଦୁଇଟି ଦନ୍ତା ଏବଂ ଗୋଟିଏ ହାତୀ ଅସୁସ୍ଥରୁ ମୃତ୍ୟୁ ହୋଇଛି।

ହାତୀକୁ ଘଉଡାଇବା ପାଇଁ ବନ ବିଭାଗ କର୍ମଚାରୀ ମାନେ ପ୍ରତିଦିନ ପହଞ୍ଚୁଥିଲେ ମଧ୍ୟ ହାତୀ ମାନେ ରାତିରେ କ୍ଷେତ ଛାଡି ଯାଉନଥିବା ବନ ବିଭାଗ କର୍ମଚାରୀ ମାନେ ପ୍ରକାଶ କରିଛନ୍ତି। ଗାଁ ରାସ୍ତାରୁ ଆରମ୍ଭ କରି ଜଙ୍ଗଲ ପର୍ଯ୍ୟନ୍ତ ବନବିଭାଗ କର୍ମଚାରୀ ଗ୍ରାମବାସୀଙ୍କ ସହାୟତାରେ ହାତୀ ଘଉଡାଇବାକୁ ପ୍ରତିଦିନ ଉଜାଗର ରହୁଛନ୍ତି। ଦୀର୍ଘ ଏକମାସରୁ ଉର୍ଦ୍ଧ ସମୟ ଧରି ଉକ୍ତ ଇଲାକାରେ ‌ରାତି ତମାମ୍‌ ଗ୍ରାମବାସୀଙ୍କ ସହାୟତାରେ ହାତୀକୁ ଜଙ୍ଗଲ ଭିତରକୁ ନେବା ପାଇଁ ଅନବରତ ଚେଷ୍ଟା ଚାଲୁଛି। ନିଆଁ ହୁଳା ଦେଖାଇବା ସହ ବାଣ ଓ ମଲ୍ଟି ସଟ୍‌ ଗନ ବ୍ୟବହାର କରି ହାତୀ ଘଉଡାଇବା ପାଇଁ ଚେଷ୍ଟା କଲେ ମଧ୍ୟ ସେ କୌଣସି ଜିନିଷକୁ ଖାତିର କରୁନଥିବା ଜଣାପଡିଛି। ଏସବୁକୁ ଏଭଳି ଅଭ୍ୟସ୍ତ ହୋଇପଡିଲେଣି ଯେ,ଘଉଡାଇବା ସତ୍ତ୍ବେ ଦିନରାତି ଅବାଧରେ ବିଚରଣ କରୁଛନ୍ତି। ପ୍ରାୟ ସମୟରେ ଏକୁଟିଆ ଦନ୍ତା ଗ୍ରାମ ଆଡକୁ ମୁହାଁଉଥିବାରୁ ତାର ସୁରକ୍ଷା ମଧ୍ୟ ବନ ବିଭାଗ ପାଇଁ ବଡ଼ ଚାଲେଞ୍ଜ ହୋଇପଡିଛି।

ହାତୀ ଭୟରେ ଏହି ରାସ୍ତାଦେଇ ଯାତାୟତ କରିବାକୁ ଲୋକ ଭୟ କରୁଥିବା ପ୍ରକାଶ କରିଛନ୍ତି। ହାତୀ ମାନଙ୍କ ଗତିବିଧିକୁ ଲକ୍ଷ୍ୟ କରି ବନ ବିଭାଗ ପକ୍ଷରୁ ହାତୀଙ୍କ ସୁରକ୍ଷା ସମତେ ସ୍ଥାନୀୟ ଗ୍ରାମବାସୀଙ୍କ ଧନ ଜୀବନ ସୁରକ୍ଷା ପାଇଁ ବ୍ୟପକ ସଚେତନ କରାଯାଉଛି। ହାତୀ ମାନେ ଯାତାୟତ କରୁଥିବା ରାସ୍ତାରେ ଥିବା ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରାଯାଉଛି। ପ୍ରତିଦିନ ହାତୀ ମାନଙ୍କ ପାଇଁ ବିଦ୍ୟୁତ କାଟ  ହେଉଥିବାରୁ ସ୍ଥାନୀୟ ଇଲାକାରେ ଅସନ୍ତୋଷ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ବନ ବିଭାଗ ପକ୍ଷରୁ ହାତୀ ମାନଙ୍କ ପାଇଁ ଅଧିକ ତତ୍ପରତା ପ୍ରକାଶ କରି ହାତୀ ମାନଙ୍କୁ ଜଙ୍ଗଲ ଭିତରକୁ ଘଉଡାଇବା ସହ ଚାଷୀ ମାନଙ୍କ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି। ଅନ୍ୟପଟେ ଆବଶ୍ୟକୀୟ କାଗଜପତ୍ର ଦାଖଲ କରିବା ପରେ ବିଭାଗ ପକ୍ଷରୁ କ୍ଷତିଗ୍ରସ୍ତ ଚାଷୀଙ୍କୁ ସହାୟତା ପ୍ରଦାନ କରାଯିବ ବୋଲି ବନ ବିଭାଗ ପକ୍ଷରୁ କୁହାଯାଇଛି।

 

 

ସମ୍ବନ୍ଧିତ ଖବର