ପରଲୋକରେ ଟ୍ରାଜେଡି କିଙ୍ଗ୍‌

ଏକ ଯୁଗର ଅବସାନ, ଫିଲ୍ମ ଦୁନିଆରେ ଶୋକର ଛାୟା, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଅନ୍ତିମ ସଂସ୍କାର

ମୁମ୍ବାଇ : ହିନ୍ଦୀ ସିନେମା ଜଗତର ‘ଟ୍ରାଜେଡି କିଙ୍ଗ୍’ ଭାବେ ପରିଚିତ ପ୍ରଖ୍ୟାତ ଅଭିନେତା ଦିଲୀପ କୁମାରଙ୍କର ବୁଧବାର ସକାଳ ୭ଟା ୩୦ରେ ପରଲୋକ ଘଟିଛି। ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୯୮ ବର୍ଷୀୟ ଏହି ମହାନ ଅଭିନେତା ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ଶ୍ବାସକ୍ରିୟା ଜନିତ ସମସ୍ୟାର ଚିକିତ୍ସା ପାଇଁ ଗତ ମଂଗଳବାର ଦିନ ସେ ହିନ୍ଦୁଜା ହସ୍ପିଟାଲର ଅଣ କୋଭିଡ୍‌ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଦିଲୀପ କୁମାରଙ୍କ ପରଲୋକରେ ଫିଲ୍ମ ଜଗତ ସମେତ ଦେଶବ୍ୟାପୀ ଶୋକର ଲହର ଦେଖିବାକୁ ମିଳିଛି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବିୟୋଗରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ, ଏନ୍‌ସିପି ନେତା ଶରଦ ପାୱାରଙ୍କଠାରୁ ଆରମ୍ଭ କରି ବଲିଉଡ୍‌ ଅଭିନେତା ଶାହରୁଖ୍‌ ଖାନ୍‌, ଅନୁମପ ଖେର୍‌, ଧର୍ମେନ୍ଦ୍ରଙ୍କ ସମେତ ଶତାଧିକ କଳାକାର ଦିଲୀପଙ୍କ ବାସଭବନରେ ପହଞ୍ଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲୋ । ଆଜି ଅପରାହ୍ନ ୫ଟାରେ ମୁମ୍ବାଇ ସାନ୍ତାକ୍ରୁଜ ଜୁହୁ କବରସ୍ତାନରେ ତାଙ୍କର ଅନ୍ତିମ ସଂସ୍କାର ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସଂପନ୍ନ ହୋଇଛି। ପ୍ରିୟ ଅଭିନେତାଙ୍କୁ ଶେଷ ବିଦାୟ ଜଣାଇବା ପାଇଁ ଜୁହୁ କବରସ୍ତାନରେ ବହୁ ସଂଖ୍ୟାରେ ପ୍ରଶଂସକଙ୍କ ସମାଗମ ହୋଇଥିଲା।

ହିନ୍ଦୀ ଫିଲ୍ମର ସବୁଠାରୁ ଲୋକପ୍ରିୟ ଅଭିନେତା ଭାବେ ପରିଚିତ ଥିବା ଦିଲୀପ କୁମାର ୧୯୪୪ରେ ‘ଜ୍ବାର ଭଟା’ ସିନେମାରୁ ନିଜର କ୍ୟାରିୟର୍‌ ଆରମ୍ଭ କରିଥିଲେ ଏବଂ ତାଙ୍କର ଛଅ ଦଶନ୍ଧିର ଲମ୍ବା ଅଭିନୟ ଜୀବନରେ ଅପାର ସଫଳତା ହାସଲ କରିଥିଲେ। ଦିଲୀପ କୁମାରଙ୍କ ପ୍ରକୃତ ନାଁ ଥିଲା ମହମ୍ମଦ ୟୁସୁଫ ଖାନ୍‌। ୧୯୨୨ ମସିହା ଡିସେମ୍ବର ୧୧ ତାରିଖ‌ରେ ଅବିଭକ୍ତ ଭାରତର ପେଶୱାରରେ ସେ ଜନ୍ମ ହୋଇଥିଲେ। ତାଙ୍କ ଫିଲ୍ମ କ୍ୟାରିୟର୍‌ରେ ‘ମୁଗଲ-ଏ-ଆଜମ’, ଦେବଦାସ, ନୟା ଦୌର, ଗଙ୍ଗା ଜମୁନା ଏବଂ ରାମ ଔର ଶ୍ୟାମ ଭଳି ଅନେକ ହିଟ୍‌ ଫିଲ୍ମ ଦେଇଥିଲେ। ଦିଲୀପ କୁମାର ଶେଷ ଥର ପାଇଁ ୧୯୯୮ରେ ଆସିଥିବା ଫିଲ୍ମ ‘କିଲା’ରେ ଅଭିନୟ କରିଥିଲେ।

ଦିଲୀପ କୁମାର ୬୦ରୁ ଅଧିକ ଚଳଚ୍ଚିତ୍ରରେ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ୧୯୬୬ରେ ଦିଲୀପ କୁମାର ଅଭିନେତ୍ରୀ ସାଇରା ବାନୁଙ୍କୁ ବିବାହ କରିଥିଲେ। ଦିଲୀପ ଏବଂ ସାଇରାଙ୍କ ବିବାହକୁ ବଲିଉଡ୍‌ର ଅନ୍ୟତମ ସଫଳ ଏବଂ ଦୀର୍ଘ ବୈବାହିକ ସଂପର୍କ ଭାବେ ଗଣାଯାଏ। ଭାରତୀୟ ସିନେମାକୁ ଦିଲୀପଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଦାଦା ସାହେବା ଫାଲ୍‌କେ ପୁରସ୍କାର (୧୯୯୪), ପଦ୍ମଭୂଷଣ (୧୯୯୧) ଓ ପଦ୍ମବିଭୂ‌ଷଣ (୨୦୧୫) ଉପାଧି ମିଳିଛି। ଜଣେ ଭାରତୀୟ ଅଭିନେତା ଭାବେ ସର୍ବାଧିକ ପୁରସ୍କାର ପାଇଥିବାରୁ ତାଙ୍କର ନାଁ ଗିନିଜ ୱାର୍ଲଡ ରେକର୍ଡରେ ସ୍ଥାନ ପାଇଛି। ୧୯୯୮ରେ ପାକିସ୍ତାନ ଦିଲୀପଙ୍କୁ ‘ନିଶାନ-ଇ-ଇମ୍‌ତିଆଜ’ ସମ୍ମାନ ପ୍ରଦାନ କରିଥିଲା । ୨୦୦୦ରୁ ୨୦୦୬ ପର୍ଯ୍ୟନ୍ତ ସେ କଂଗ୍ରେସ ଦଳ ତରଫରୁ ରାଜ୍ୟସଭା ସାଂସଦ ଥିଲେ।

ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ସମେତ ଅନେକ ବିଶିଷ୍ଟ ବ୍ୟକ୍ତି ଶୋକ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ତାଙ୍କ ଶୋକବାର୍ତ୍ତାରେ କହିଛନ୍ତି, ‘ ଦିଲୀପ କୁମାରଙ୍କୁ ସିନେମା ଜଗତ ଜଣେ ଲିଜେଣ୍ଡ୍‌ ଭାବେ ସବୁଦିନ ପାଇଁ ମନେ ରଖିବ। ସେ ମହାନ ପ୍ରତିଭାଧାରୀ ଥିଲେ। ବିଭିନ୍ନ ପିଢ଼ିର ଦର୍ଶକ ତାଙ୍କ ଅଭିନୟରେ ମନ୍ତ୍ରମୁଗ୍ଧ ହୋଇଯାଉଥିଲେ। ସେ ସଂସାରରୁ ବିଦାୟ ନେବା ଆମ ସାଂସ୍କୃତିକ ଜଗତ ପାଇଁ ଏକ ବହୁତ ବଡ଼ କ୍ଷତି। ତାଙ୍କର ପରିବାର, ବନ୍ଧୁ ଏବଂ ଅସଂଖ୍ୟ ପ୍ରଶଂସକଙ୍କ ପ୍ରତି ଆମର ସମବେଦନା। ’

ସମ୍ବନ୍ଧିତ ଖବର