ସ୍କଲ୍‌ କ୍ୟାପ୍‌ ପିନ୍ଧିଥିବା ଦୁଇ ଜଣଙ୍କୁ ଆତଙ୍କବାଦୀ ଭାବି ପୁଲିସ୍‌କୁ ଫୋନ୍‌ କଲେ ଯାତ୍ରୀ, ଅଟକିଲା ଟ୍ରେନ୍‌

ନୂଆଦିଲ୍ଲୀ: ଶନିବାର ଦିନ ନୂଆଦିଲ୍ଲୀ ରେଳବାଇ ଷ୍ଟେସନ୍‌ରେ ଜଣେ ବ୍ୟକ୍ତି ଥାନାକୁ ଫୋନ୍‌ କରି ଜଣାଇଲେ କି, ସ୍କଲ୍‌ କ୍ୟାପ୍‌ ପିନ୍ଧିଥିବା ଦୁଇଜଣ ଦାଢ଼ିଆ ବ୍ୟକ୍ତି ଟ୍ରେନ୍‌ରେ ‘ସମନ୍‌’ ବୋଝେଇ କରିବାକୁ କହୁଛନ୍ତି। ସେଥିଯୋଗୁଁ ନୂଆଦିଲ୍ଲୀ-ଭୋପାଳ ଶତାବ୍ଦୀ ଏକ୍ସପ୍ରେସ୍‌ର ୧୯ ମିନିଟ୍‌ରୁ ଅଧିକ ବିଳମ୍ବ ହେଲା।

ଦିଲ୍ଲୀ ପୁଲିସ ତୁରନ୍ତ ଉତ୍ତର ପ୍ରଦେଶ ପୁଲିସକୁ ସୂଚନା ଦେବାରୁ ମଥୁରା ରେଳବାଇ ଷ୍ଟେସନ୍‌ରେ ଟ୍ରେନ୍‌କୁ ଅଟକା ଯାଇ ଉତ୍ତମ ରୂପେ ତଲାସ କରାଗଲା। କିନ୍ତୁ, ଟ୍ରେନ୍‌ ଭିତରୁ କୌଣସି ସନ୍ଦିଗ୍ଧ ଜିନିଷ ମିଳିଲା ନାହିଁ।

ପୁଲିସ କହିବା ଅନୁସାରେ, ଦିଲ୍ଲୀ ରେଳବାଇ ଷ୍ଟେସନ୍‌ର ଏକ ନମ୍ବର ପ୍ଲାଟ୍‌ଫର୍ମରେ ଦୁଇ ଜଣ ସନ୍ଦିଗ୍ଧ ଲୋକ ‘ସମନ୍‌’ ବୋଝେଇ କରିବା କଥାବାର୍ତ୍ତା ହେଉଥିବା ଶୁଣି ଜଣେ ବ୍ୟକ୍ତି ଦିଲ୍ଲୀ ପୁଲିସର ଜରୁରୀକାଳୀନ ନମ୍ବରକୁ ଫୋନ୍‌ କଲେ।

ଦିଲ୍ଲୀ ଜିଆର୍‌ପିଙ୍କ ସୂଚନା ଆଧାରରେ ବୋମା ନିଷ୍କ୍ରିୟକାରୀ ଦଳ, ସନ୍ଧାନୀ ଶ୍ୱାନ ସ୍କ୍ଵାଡ୍‌, ଆର୍‌ପିଏଫ୍‌ ଏବଂ ମଥୁରା ପୁଲିସ ଟିମ୍‌ ଟ୍ରେନ୍‌କୁ ଅଟକାଇ ତଲାସ କଲେ। କିନ୍ତୁ କୌଣସି ସନ୍ଦିଗ୍ଧ ଜିନିଷ ମିଳିଲା ନାହିିଁ।

ଏଥିଯୋଗୁଁ ଟ୍ରେନ୍‌ ଯାତ୍ରାରେ ୧୯ ମିନିଟ୍‌ ବିଳମ୍ବ ଘଟିଲା। ମଥୁରା ଷ୍ଟେସନ୍‌ରୁ ଟ୍ରେନ୍‌ ସକାଳ ୭: ୪୫ରେ ପୁଣି ଯାତ୍ରା ଆରମ୍ଭ କଲା।

ଘଟଣାର ସତ୍ୟାସତ୍ୟ ଜାଣିବାକୁ ଦିଲ୍ଲୀ ଜିଆର୍‌ପି ଆନ୍ଧ୍ରପ୍ରଦେଶ ଏକ୍ସପ୍ରେସ୍‌ରେ ହାଇଦ୍ରାବାଦ ଯାଉଥିବା ସେ ଯାତ୍ରୀଜଣକୁ ଫେରିଆସି ଥାନାରେ ରିପୋର୍ଟ କରିବାକୁ କହିଛି।

ସମ୍ବନ୍ଧିତ ଖବର