ଗଗନଯାନ ମିଶନ ପାଇଁ ତାଲିମ ଶେଷ କଲେ ଭାରତୀୟ ମହାକାଶଚାରୀ

ମସ୍କୋ : ଭାରତର ପ୍ରଥମ  ମାନବ ମହାକାଶ ମିଶନ ‘ଗଗନଯାନ’ ପାଇଁ ଋଷିଆରେ ତାଲିମ ନେଉଥିବା ୪ ଭାରତୀୟ ବାୟୁସେନା ପାଇଲଟଙ୍କ ତାଲିମ ଶେଷ ହୋଇଛି । ଏ ସମ୍ପର୍କରେ ଋଷିଆ ପକ୍ଷରୁ ସରକାରୀଭାବେ ସୂଚନା ଦିଆଯାଇଛି ।

ଏହି ୪ ସମ୍ଭାବ୍ୟ ମହାକାଶଚାରୀଙ୍କ ମଧ୍ୟରେ ଓଡ଼ିଶାର ନିଖିଳ ରଥ ଅଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ କିମ୍ବା ଦୁଇଜଣଙ୍କୁ ଗଗନଯାନ ମାଧ୍ୟମରେ ମହାକାଶକୁ ପଠାଯିବ ।

ଏହି ପାଇଲଟମାନେ ଋଷିଆର ରାଷ୍ଟ୍ରାୟତ୍ତ ମହାକାଶ ସଂସ୍ଥା ରସକସମସରେ ଗତ ୧୧ ମାସ ଧରି  ଜେନେରାଲ ସ୍ପେଶ୍ ତାଲିମ ନେଉଥିଲେ । ଏହି ତାଲିମ ଶେଷ ହେବା ପରେ କିଛିଦିନ ତଳେ ରସକସମସର ମହାନିର୍ଦ୍ଦେଶକ ସେମାନଙ୍କୁ ଭେଟିଥିଲେ । ଏହି ଅବସରରେ ମସ୍କୋରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ଭେଙ୍କଟେସ ବର୍ମା ମଧ୍ୟ ଉପସ୍ଥିତ ଥିଲେ ।

ଗଗନଯାନ ପ୍ରକଳ୍ପ ଲାଗି କେନ୍ଦ୍ର କ୍ୟାବିନେଟ ପୂର୍ବରୁ ୧୦ ହଜାର କୋଟି ଟଙ୍କା ମଞ୍ଜୁର କରିସାରିଛନ୍ତି। ୨୦୧୯ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏ ସମ୍ପର୍କରେ ଘୋଷଣା କରିଥିଲେ। ଭାରତ ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଏହି ଗଗନଯାନ ଅଭିଯାନ ଆରମ୍ଭ କରାଯିବ।

ସମ୍ବନ୍ଧିତ ଖବର