ବାଇଡେନଙ୍କୁ ଦୁର୍ନୀତିଗ୍ରସ୍ତ କହିଲେ ଟ୍ରମ୍ପ: ରିପବ୍ଲିକାନ ଦଳରେ ଟ୍ରମ୍ପ୍‌ଙ୍କ ପ୍ରତି ସର୍ବାଧିକ ସମର୍ଥନ

ରାଷ୍ଟ୍ରପତି ନିର୍ବାଚନକୁ କିପରି ପ୍ରଭାବିତ କରିବ?

ୱାସିଂଟନ: ପୂର୍ବତନ ରାଷ୍ଟ୍ରପତି ତଥା ଦ୍ବିତୀୟ ପାଳି ରାଷ୍ଟ୍ରପତି ଦୌଡ଼ରେ ଥିବା ଡୋନାଲ୍‌ଡ ଟ୍ରମ୍ପ ନ୍ୟାୟ ବିଭାଗ ଦ୍ବାରା ଦୋଷାରୋପିତ ହେବା ପରେ ଆଜି ଏକ ସମାବେଶରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଉପରେ ପ୍ରବଳ ବର୍ଷିଛନ୍ତି। ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ସେ କ୍ଷମତାର ଦୁରୁପଯୋଗ ବୋଲି କହିବା ସହ ବାଇଡେନଙ୍କୁ ଦୁର୍ନୀତିଗ୍ରସ୍ତ ବୋଲି ଅଭିହିତ କରିଛନ୍ତି। ବେଡମିନିଷ୍ଟର, ନ୍ୟୁଜର୍ସିଠାରେ ସମର୍ଥକମାନଙ୍କ ସମାବେଶରେ ଟ୍ରମ୍ପ କହିଛନ୍ତି, ସେ ଯଦି ୨୦୨୪ ନିର୍ବାଚନରେ ବିଜୟଲାଭ କରନ୍ତି, ତେବେ ବାଇଡେନଙ୍କ ବିରୋଧରେ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ସମାବେଶରେ ଉଦ୍‌ବୋଧନ ଦେଇ ଟ୍ରମ୍ପ କହିଲେ, ଆଜି ଆମେ ଦେଶର ଇତିହାସରେ କ୍ଷମତାସୀନ ସରକାରଙ୍କର ସବୁଠାରୁ ହୀନକାର୍ଯ୍ୟ ଓ କ୍ଷମତାର ଦୁରୁପଯୋଗ ଦେଖିବାକୁ ପାଇଲୁ।

ଜଣେ କ୍ଷମତାସୀନ ରାଷ୍ଟ୍ରପତି ମିଥ୍ୟା ଓ କପୋଳକଳ୍ପିତ ମାମଲାରେ ତାଙ୍କର ରାଜନୈତିକ ବିରୋଧୀଙ୍କୁ ଗିରଫ କରିବା ଅତ୍ୟନ୍ତ ନିନ୍ଦନୀୟ। ବାଇଡେନ ଯେଉଁ ଅଭିଯୋଗରେ ତାଙ୍କୁ ଗିରଫ କରାଇଛନ୍ତି, ସମାନ ଅଭିଯୋଗରେ ସେ ନିଜେ ପଡ଼ିବେ ଓ ଅନେକ ରାଷ୍ଟ୍ରପତି ବି ପଡ଼ିବେ ବୋଲି ଟ୍ରମ୍ପ କହିଛନ୍ତି।
ରିପୋର୍ଟ ଅନୁସାରେ, ଦୋଷାରୋପ କାରଣରୁ ରିପବ୍ଲିକାନ ଦଳରେ ଟ୍ରମ୍ପଙ୍କର ଲୋକପ୍ରିୟତାରେ କୌଣସି ହ୍ରାସ ଘଟିନାହିଁ। ତାଙ୍କ ନିଜ ଦଳର ପ୍ରତିଦ୍ବନ୍ଦ୍ବୀମାନଙ୍କ ଭିତରେ ଦୌଡ଼ରେ ସେ ସବା ଆଗରେ ଅଛନ୍ତି। ୪୩ ପ୍ରତିଶତ ରିପବ୍ଲିକାନ ଟ୍ରମ୍ପଙ୍କୁ ସମର୍ଥନ କରୁଥିବା ବେଳେ ତାଙ୍କର ପ୍ରତିଦ୍ବନ୍ଦ୍ବୀ ଫ୍ଲୋରିଡ଼ା ରାଜ୍ୟପାଳ ରନ ଡିସାଣ୍ଟିସ୍ ୨୨ ପ୍ରତିଶତ ସମର୍ଥନ ସହ ଦ୍ବିତୀୟ ସ୍ଥାନରେ ଅଛନ୍ତି।

ସମ୍ବନ୍ଧିତ ଖବର