ଚେତାବନୀକୁ ବେଖାତିର କରି ଜେରୁଜେଲମ୍କୁ ଇସ୍ରାଏଲ୍ର ରାଜଧାନୀ ଘୋଷଣା କଲେ ଟ୍ରମ୍ପ୍
ଜେରୁଜେଲମ୍: ଯୁକ୍ତରାଷ୍ଟ୍ର ଆମେରିକା ଜେରୁଜେଲମ୍କୁ ଇସ୍ରାଏଲ୍ର ରାଜଧାନୀ ମାନ୍ୟତା ଦେଇଥିବା କଥା ବୁଧବାର ଦିନ ରାଷ୍ଟ୍ରପତି ଡୋନାଲ୍ଡ୍ ଟ୍ରମ୍ପ୍ ଘୋଷଣା କରିଛନ୍ତି। ତା’ସହ ଆମେରିକା ସେ ପବିତ୍ର ସହରକୁ ନିଜର ଦୂତାବାସ ଉଠାଇ ନେବ ବୋଲି ଟ୍ରମ୍ପ୍ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଫଳତଃ, ଦୀର୍ଘ ଦିନ ଧରି ଇସ୍ରାଏଲ୍ ପାଇଁ ରହି ଆସିଥିବା ଆମେରିକୀୟ ନୀତିକୁ ଟ୍ରମ୍ପ୍ ଭଙ୍ଗ କରିଛନ୍ତି। ଏହାଦ୍ୱାରା ଆଞ୍ଚଳିକ ସ୍ଥିରତା ବିପଦ୍ରେ ପଡ଼ିବ ବୋଲି ପଶ୍ଚିମୀ ଏବଂ ଆରବ ମିତ୍ର ରାଷ୍ଟ୍ରଙ୍କ ଚେତାବନୀକୁ ଉପେକ୍ଷା କରିଛନ୍ତି ଟ୍ରମ୍ପ୍।
ତେଲ୍ ଅଭିବ୍ରୁ ଜେରୁଜେଲମ୍କୁ ଦୂତାବାସ ଉଠାଇ ନେବାକୁ ଇସ୍ରାଏଲ୍କୁ ସମର୍ଥନ କରୁଥିବା ଆମେରିକୀୟ ରାଜନେତାମାନେ ଦୀର୍ଘ ଦିନ ହେବ ଚାପ ପକାଇ ଆସୁଥିଲେ। ୨୦୧୬ ରାଷ୍ଟ୍ରପତି ନିର୍ବାଚନ ସମୟରେ ଟ୍ରମ୍ପ୍ ଏହାକୁ ନିଜ ପ୍ରଚାର ଅଭିଯାନର ପ୍ରମୁଖ ପ୍ରତିଶ୍ରୁତି ଭାବେ ଘୋଷଣା କରିଥିଲେ।
ଏହି ନିଷ୍ପତ୍ତି ଯୋଗୁଁ ତାଙ୍କ ରାଜନୈତିକ ଭିତ୍ତିରେ ଥିବା ଅନେକ ରକ୍ଷଣଶୀଳ ଏବଂ ଇଭାଞ୍ଜେଲୀୟ ଖ୍ରୀଷ୍ଟିୟାନ୍ମାନେ ଆନନ୍ଦିତ ହୋଇଥାଇ ପାରନ୍ତି। ଇସ୍ରାଏଲ୍ର ଜେରୁଜେଲମ୍କୁ ରାଜଧାନୀ କରିବା ନିମନ୍ତେ ରାଜନୈତିକ ମାନ୍ୟତାକୁ ସେମାନଙ୍କ ମଧ୍ୟରୁ ଅନେକ ସମର୍ଥନ କରନ୍ତି। ଜେରୁଜେଲମ୍କୁ ରାଜଧାନୀ ମାନ୍ୟତା ଦେବା ଏବଂ ସେଠାକୁ ଆମେରିକୀୟ ଦୂତାବାସ ଉଠାଇ ନେବା ପାଇଁ ଟ୍ରମ୍ପ୍ଙ୍କ ଦ୍ୱାରା ନିଯୁକ୍ତ ଉପରାଷ୍ଟ୍ରପତି ମାଇକ୍ ପେନ୍ସ୍ ଏବଂ ଇସ୍ରାଏଲ୍ରେ ନିଯୁକ୍ତ ରାଷ୍ଟ୍ରଦୂତ ଡେଭିଡ୍ ଫ୍ରାଏଡ୍ମ୍ୟାନ୍ ଖୁବ୍ ଉଦ୍ୟମ କରିଥିବେ।
ତିନୋତି ଧର୍ମ ବିଶ୍ୱାସ ଯୋଗୁଁ ଜେରୁଜେଲମ୍ ଏକ ପବିତ୍ର ସହର। ଇହୁଦୀୟ, ଖ୍ରୀଷ୍ଟୀୟ ଏବଂ ଇସ୍ଲାମୀୟଙ୍କ ସେଠାରେ ଧର୍ମସ୍ଥଳୀ ରହିଛି। ସେଠାକାର ଲୋକେ ଯୁଗ ଯୁଗ ଧରି ଆକ୍ରମଣକାରୀ ରୋମାନ୍, କ୍ରୁସେଡର୍, ଓଟୋମାନ୍ସ୍ ଏବଂ ବ୍ରିଟିସ୍ ସାମ୍ରାଜ୍ୟ ବିରୋଧରେ ଲଢ଼ିଛନ୍ତି। ଆଧୁନିକ ଇସ୍ରାଏଲ୍ ଏବଂ ତା’ର ପଡ଼ୋଶୀ ଆରବ ଦେଶ ସବୁ ମଧ୍ୟ ଜେରୁଜେଲମ ଉପରେ ଆକ୍ରମଣ କରିଛନ୍ତି।
ଆନ୍ତର୍ଜାତିକ ସ୍ତରରେ ମାନ୍ୟତା ପାଇ ନ ଥିଲେ ମଧ୍ୟ ଜେରୁଜେଲମ୍କୁ ଇସ୍ରାଏଲୀୟ ସରକାର ନିଜ ଦେଶର ଆଦି ଓ ଅଦୃଶ୍ୟ ରାଜଧାନୀ ଭାବେ ବିବେଚନା କରନ୍ତି।
ପୂର୍ବ ଜେରୁଜେଲମ୍ ଏକ ପାଲେଷ୍ଟାନୀୟ ରାଜ୍ୟ ରାଜଧାନୀ ହେବ ବୋଲି ପାଲେଷ୍ଟାନୀୟମାନେ ଦୃଢ଼ ଭାବେ କହନ୍ତି। ସେ ସହରର ଭିନ୍ନ ଭିନ୍ନ ନାମ ରହିଛି। ଇହୁଦୀମାନେ ଏହାକୁ ଜେରୁଜେଲମ୍ କହନ୍ତି। ଆରବୀୟମାନେ କହନ୍ତି ଅଲ-କୁଦ୍ସ୍।
ଜେରୁଜେଲମ୍ର ପୁରୁଣା ସହର ମଝିରେ ରହିଛି ହର୍ ହା-ବେଇତ୍ ବୋଲି ଏକ ପର୍ବତ। ତାହା ବିଶ୍ୱର ସବୁ ଇହୁଦୀ ଜାଣନ୍ତି। ତାହାକୁ ବିଶ୍ୱର ସବୁ ମୁସଲମାନମାନେ ଅଲ୍-ହାରାମ୍ ଅଲ୍-ଶରିଫ୍ ନାମରେ ଜାଣନ୍ତି। ସେଠାରେ ଅନେକ ଇହୁଦୀ ମନ୍ଦିର ମଧ୍ୟ ଥିଲା।
୧୯୪୮ ମସିହାରୁ ସେଠାରେ ବ୍ରିଟିସ୍ ଶାସନର ଅବସାନ ଘଟିବା ପରେ ଜୋର୍ଡାନର ସୈନ୍ୟମାନେ ପୁରୁଣା ସହର ଓ ଆରବ ଇଷ୍ଟ୍ ଜେରୁଜେଲମ୍କୁ ଅଧିକାର କରି ନେଇଥିଲେ। ୧୯୬୭ରେ ମଧ୍ୟପ୍ରାଚ୍ୟ ଯୁଦ୍ଧରେ ଇସ୍ରାଏଲ୍ ଜୋର୍ଡାନ୍ଠାରୁ ପୂର୍ବ ଜେରୁଜେଲମ୍ ଛଡ଼ାଇ ନେଇଥିଲା।
୧୯୮୦ରେ ଇସ୍ରାଏଲ୍ ପାର୍ଲାମେଣ୍ଟ୍ ଏକ ଆଇନ୍ ଘୋଷଣାର କରିଥିଲା। ସେଥିରେ ସମଗ୍ର ଅଖଣ୍ଡ ଜେରୁଜେଲମ ସହରକୁ ଇସ୍ରାଏଲ୍ର ରାଜଧାନୀ ବୋଲି ଉଲ୍ଲେଖ କରିଥିଲା। କିନ୍ତୁ, ଜାତିସଂଘ ପୂର୍ବ ଜେରୁଜେଲମ୍କୁ ଅଧିକୃତ କହିବାରୁ ତାହା ବିବାଦୀୟ ହୋଇ ରହି ଆସିଥିଲା।
ଏବେ ଜେରୁଜେଲମ୍ରେ ଉତ୍ତେଜନା ପ୍ରବଳ ବଢ଼ିଛି। ସାର୍ବଭୌମତ୍ୱ ଏବଂ ଧର୍ମକୁ ନେଇ ସେଠାରେ ପୂର୍ବରୁ ମଧ୍ୟ ହିଂସାକାଣ୍ଡ ବହୁ ଘଟିଛି। ଏବେ ପାଲେଷ୍ଟାନୀୟ ଗୋଷ୍ଠୀ ପ୍ରତିବାଦ ଡାକରା ଦେଇଛନ୍ତି। ଆମେରିକାର ନିଷ୍ପତ୍ତି ଯୋଗୁଁ ଇସ୍ରାଏଲୀୟ-ପାଲେଷ୍ଟାନୀୟ ଶାନ୍ତି କଥାବାର୍ତ୍ତା କ୍ଷତିଗ୍ରସ୍ତ ହେବ ବୋଲି ଆରବ ନେତାମାନେ କହୁଛନ୍ତି।