ଫୋନ୍‌ରେ କଥାବାର୍ତ୍ତା ହେଲେ ଟ୍ରମ୍ପ୍‌ ଓ ମୋଦି; ‘ଜିଇଏସ୍‌’ର ସଫଳତାରେ ଉଭୟ ସନ୍ତୁଷ୍ଟ ବୋଲି କହିଲେ

ନୂଆଦିଲ୍ଲୀ: ‘ଗ୍ଲୋବାଲ୍‌ ଏଣ୍ଟର୍‌ପ୍ରେନ୍ୟୁଅର୍‌ସିପ୍‌ ସମିଟ୍‌ ୨୦୧୭’ ସଫଳତାର ସହ ଶେଷ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ସହ ଫୋନ୍‌ ଯୋଗେ କଥାବାର୍ତ୍ତା କରିଛନ୍ତି। ‘ଜିଇଏସ୍‌’ର ଆୟୋଜକ ଥିଲେ ଉଭୟ ଭାରତ ଏବଂ ଆମେରିକା।

ଫୋନ୍‌ରେ କଥାବାର୍ତ୍ତା କରିବା ଅବସରରେ ଦୁଇ ନେତା ‘ଜିଇଏସ୍‌’ର ସଫଳତା ସମ୍ବନ୍ଧରେ ସନ୍ତୋଷ ପ୍ରକାଶ କରିଥିଲେ। ହାଇଦ୍ରାବାଦରେ ଅନୁଷ୍ଠିତ ‘ଜିଇଏସ’ ଅଷ୍ଟମ ସଂସ୍କରଣରେ ୧୫୦୦ ଜଣ ଉଦ୍ୟୋଗୀ ଏବଂ ନିବେଶକାରୀମାନେ ଅଂଶ ଗ୍ରହଣ କରିଥିଲେ। ବିଶ୍ୱର ୧୫୦ଟି ଦେଶରୁ ଆସିଥିବା ଅଂଶ ଗ୍ରହଣକାରୀମାନେ ଏକତ୍ର ହୋଇ ନେଟ୍‌ଓ୍ଵାର୍କିଂ, ମେଣ୍ଟରିଙ୍ଗ୍‌ ଏବଂ ଇନ୍‌ଭେଷ୍ଟ୍‍ମେଣ୍ଟ୍‌ ଆଦି ବିଷୟରେ ଆଲୋଚନା କରିଥିଲେ।

ଗୁରୁବାର ଦିନ ୟୁଏସ୍‌ ଷ୍ଟେଟ୍‌ ଡିପାର୍ଟମେଣ୍ଟ୍‌ର ମୁଖପାତ୍ର ହିଥର୍‌ ନୌରେଟ୍‌ ଏହି ତ୍ରି-ଦିବସୀୟ ବିରାଟ ବ୍ୟାବସାୟିକ କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଛନ୍ତି। ଏହାକୁ ଏକ ବଡ଼ ସଫଳତା ବୋଲି ସେ କହିଛନ୍ତି।

‘ଜିଇଏସ୍‌’କୁ ଆମେରିକୀୟ ପ୍ରତିନିଧି ଦଳର ନେତୃତ୍ୱ ନେଇ ଆସିଥିବା ଇଭାଙ୍କା ଟ୍ରମ୍ପ୍‌ଙ୍କୁ ମଧ୍ୟ ହାଇଦ୍ରାବାଦ ଆତିଥ୍ୟ ଦେଇଥିଲା। ମହିଳା ଉଦ୍ୟୋଗୀଙ୍କୁ ସମର୍ଥନ ଯୋଗାଇବା ସହ ବିଶ୍ୱବ୍ୟାପୀ ଆର୍ଥିକ ଅଭିବୃଦ୍ଧି କରିବା ଉପରେ ଏଥରର ଶିଖର ବୈଠକର ମୁଖ୍ୟ ପ୍ରସଙ୍ଗ ଥିଲା।

ସମ୍ବନ୍ଧିତ ଖବର