ଟ୍ରମ୍ପଙ୍କ ଧମକ:୧୦ ଦିନରେ ଆଫଗାନିସ୍ତାନକୁ ଧ୍ବଂସ କରିଦେବି

ୱାସିଂଟନ: ଜମ୍ମୁ-କଶ୍ମୀର ଓ ‌ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ ବିବାଦୀୟ ବୟାନ ଦେଇ ଅଡ଼ୁଆରେ ପଡ଼ିଥିବା ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଅାଫଗାନିସ୍ତାନ ସଂପର୍କରେ ମଧ୍ୟ ବିସ୍ଫୋରକ ବୟାନ ଦେଇଛନ୍ତି। ସେ କହିଛନ୍ତି ଯେ ଆମେରିକା ଯଦି ଯୁଦ୍ଧ କରିବାକୁ ଚାହିବ ତା’ହେଲେ ଆଫଗାନିସ୍ତାନ ୧୦ ଦିନ‌େର ଧ୍ବଂସ ହୋଇଯିବ। ପୃଥିବୀ ମାନଚିତ୍ରରୁ ଏହି ଦେଶ ନିଶ୍ଚିହ୍ନ ହୋଇଯିବ। କିନ୍ତୁ ଏଭଳି ପଦକ୍ଷେପ ନେବାକୁ ସେ ଚାହାନ୍ତି ନାହିଁ। କାରଣ ଏକ କୋଟି ଲୋକ ମରିଯିବେ। ତାଙ୍କର ଏଭଳି ମନ୍ତବ୍ୟ ନେଇ ଆଫଗାନିସ୍ତାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି।
ଗତକାଲି ହ୍ବାଇଟ୍ ହାଉସରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସହିତ ମିଳିତ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଥିଲେ ଯେ ତାଙ୍କ ଦେଶ ଆଫଗାନିସ୍ତାନରେ ଯୁଦ୍ଧ କରୁନି। ସେଠାରେ‌ କେବଳ ପୁଲିସର ଭୂମିକା ନେଇଛି। ଏହା ଆଉ ବେଶି ଦିନ ଚାଲିବ ନାହିଁ। ପାକିସ୍ତାନ ତାଙ୍କ ଦେଶକୁ ଏଥିରୁ ମୁକ୍ତି ଦେଇ ପାରିବ ବୋଲି ସେ କହିଥିଲେ। ଆଫଗାନିସ୍ତାନରେ ଯୁଦ୍ଧ କରିବାକୁ ତାଙ୍କର ଯୋଜନା ଥିଲା। ଗୋଟିଏ ସପ୍ତାହ ଭିତରେ ଆମେରିକା ଜିତିଯାଇଥାନ୍ତା। କିନ୍ତୁ ଏକ କୋଟି ଲୋକ ମରିଯିବେ।
ତାଙ୍କର ଏଭଳି ଧମକକୁ ନେଇ ଆଫଗାନିସ୍ତାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଆଫଗାନିସ୍ତାନ ରାଷ୍ଟ୍ରପତି ଅସରଫ ଗନି ଏସଂପର୍କରେ ଆମେରିକା ଠାରୁ ସ୍ପଷ୍ଟୀକରଣ ଲୋଡ଼ିଛନ୍ତି। ସେ କହିଛନ୍ତି ଯେ ଆଫଗାନ ନେତୃତ୍ବକୁ ସାମିଲ ନ କରି ଆମେରିକା ତାଲିବାନ ନେତାମାନଙ୍କ ସହିତ ଆଲୋଚନା ଚଳାଇଛି। ତଥାପି ତାଙ୍କ ଦେଶ ଏହାକୁ ବିରୋଧ କରୁନାହିଁ। କାରଣ ଆମେ ଶାନ୍ତିପୂର୍ଣ୍ଣ ସମାଧାନ ଚାହୁଁ। କିନ୍ତୁ ଟ୍ରମ୍ପ ଯେଉଁଭଳି ଧମକ ଦେଇଛନ୍ତି ତାହା ଗ୍ରହଣୀୟ ନୁହେଁ। କୌଣସି ବିଦେଶୀ ନେତା ଆଫଗାନିସ୍ତାନର ଭାଗ୍ୟ ନିର୍ଧାରଣ କରିପାରିବେ ନାହିଁ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର