ଦୁଇ ଦିନିଆ ଗସ୍ତ ପରେ ଫେରିଲେ ଟ୍ରମ୍ପ: କହିଲେ ‘କାଶ୍ମୀର ବଡ଼ ସମସ୍ୟା; ମଧ୍ୟସ୍ଥତା ପାଇଁ ପ୍ରସ୍ତୁତ’

ସିଏଏ ଭାରତର ଆଭ୍ୟନ୍ତରୀଣ ବ୍ୟାପାର

ନୂଆଦିଲ୍ଲୀ: ଭାରତରେ ବିଶାଳ ଓ ଭବ୍ୟ ସମ୍ଭର୍ଦ୍ଧନାର ଦିନକ ପରେ ଆଜି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ବିଭିନ୍ନ ଦ୍ବିପାକ୍ଷିକ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛନ୍ତି। ଦ୍ବିପାକ୍ଷିକ ପ୍ରତିନିଧିସ୍ତରୀୟ ଆଲୋଚନା ପରେ ଆଜି ଅପରାହ୍ନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ୍‌ କହିଛନ୍ତି ଯେ ପାକିସ୍ତାନ ପଟୁ ଚାଲିଥିବା ଆତଙ୍କବାଦର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ସମର୍ଥ। ଆତଙ୍କବାଦର ମୁକାବିଲା ପାଇଁ ସେ ଉଭୟ ଭାରତ ଓ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। କାଶ୍ମୀର ଏକ ବଡ଼ ସମସ୍ୟା ବୋଲି ଉଲ୍ଲେଖ କରି ଟ୍ରମ୍ପ କହିଲେ ଯେ ଏହାର ସମାଧାନ ହେବା ଆବଶ୍ୟକ। ଏ ସଂପର୍କରେ ଭାରତ ଓ ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥତା କରିବା ପାଇଁ ମୁଁ ପୁଣି ପ୍ରସ୍ତାବ ଦେଉଛି ଏବଂ ଏଥିପାଇଁ ଆମେ ସବୁକିଛି କରିବାକୁ ପ୍ରସ୍ତୁତ। ସେ ଆହୁରି କହିଲେ ‌େ‌ଯ ଉଭୟ ଦେଶର ପ୍ରଧାନମନ୍ତ୍ରୀଙ୍କ ସହିତ ତାଙ୍କର ଭଲ ସଂପର୍କ ରହିଛି। ମୋଦୀ ଜଣେ ସ୍ଥିର ଓ ଦୃଢମନା ବ୍ୟକ୍ତି। ସେ ଯେକୌଣସି ଆତଙ୍କବାଦର ସଫଳ ମୁକାବିଲା କରିପାରି‌ବେ।

ସିଏଏକୁ ନେଇ ଦିଲ୍ଲୀରେ ଘଟି ଯାଇଥିବା ହିଂସା ସମ୍ପର୍କରେ ଟ୍ରମ୍ପ କହିଛନ୍ତି, ଯେ ଏହା ଭାରତର ଆଭ୍ୟନ୍ତରୀଣ ମାମଲା ଏବଂ ଭାରତ ଏହାର ସମାଧାନ ନିଜ ରାସ୍ତାରେ କରିବ। ଭାରତୀୟମାନଙ୍କର ଧାର୍ମିକ ସ୍ବାଧୀନତା ରହିଛି ଏବଂ ପ୍ରଧାନମନ୍ତ୍ରୀ ମୋଦୀ ସମସ୍ତ ନାଗରିକଙ୍କ ଧାର୍ମିକ ସ୍ବାଧୀନତା ସୁନିଶ୍ଚିତ କରିବାକୁ ଚାହୁଛନ୍ତି। ସିଏଏ ପ୍ରସଙ୍ଗରେ ମୁଁ ଅଧିକ ଆଲୋଚନା କରିବି ନାହିଁ ଏବଂ ଭାରତ ଏ ବାବଦ ସମସ୍ୟା ସମାଧାନ ପାଇଁ ନିଷ୍ଠାର ସହ କାମ କରୁଛି ବୋଲି ସେ କହିଛନ୍ତି। ଦ୍ବିପାକ୍ଷିକ ବାଣିଜ୍ୟ ସଂପର୍କ‌ ନେଇ ଟ୍ରମ୍ପ କହିଲେ ଯେ ଭାରତ ଓ ଆମେରିକା ମଧ୍ୟରେ ଏହି ସଂପର୍କ ଦୀର୍ଘଦିନ ହେଲା ମଧୁର ନଥିଲା। ଆମେରିକାର ଅନେକ ସାମଗ୍ରୀ ଉପରେ ଭାରତ ଅତ୍ୟଧିକ ଶୁଳ୍କ ଧାର୍ଯ୍ୟ କରୁଛି ଏବଂ ଏହା ଗ୍ରହଣୀୟ ନୁହେଁ। ଏହାର ସମାଧାନ ପାଇଁ ଆମେ ‌ଆଲୋଚନା ଚଳାଇଛୁ। ଅହମଦାବାଦ ରୋଡ ସୋ ଏବଂ ମୋଟେରା ଷ୍ଟାଡିୟମରେ ସମ୍ବର୍ଦ୍ଧନାକୁ ନେଇ ଟ୍ରମ୍ପ୍‌ କହିଛନ୍ତି ଯେ ଏହା ଆମେରିକା ପାଇଁ ଭାରତର ବହୁତ ବଡ଼ ଉପହାର। ଆମକୁ ଯେଭଳି ସମ୍ମାନ ମିଳିଛି, ସେଭଳି ଆଉ କାହାକୁ ମିଳିନାହିଁ ବୋଲି ଟ୍ରମ୍ପ୍‌ କହିଛନ୍ତି। ଭାରତର ଭବିଷ୍ୟତ ସଂପର୍କରେ ଟ୍ରମ୍ପ୍‌ କହିଛନ୍ତି ଯେ ଆଗାମୀ ୫୦ ବର୍ଷ ଧରି ଭାରତ ଅତ୍ୟନ୍ତ ସୁଦୃଢ଼ ସ୍ଥିତିରେ ରହିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭଳି ନେତୃତ୍ବ ପାଇଁ ଭାରତ ସବୁ କ୍ଷେତ୍ରରେ ଅସାଧାରଣ ସଫଳତା ହାସଲ କରିବ। କରୋନା ଭାଇରସ ସଂପର୍କିତ ଏକ ପ୍ରଶ୍ନରେ ଟ୍ରମ୍ପ୍‌ କହିଛନ୍ତି ଯେ ଏହାକୁ ନିୟନ୍ତ୍ରଣ କରିବାରେ ଭାରତ-ଆମେରିକା ସଫଳ ହୋଇଛନ୍ତି। କରୋନା ଭାଇରସ ଏବେ ନିୟନ୍ତ୍ରଣରେ ରହିଛି ଏବଂ ଚୀନ୍‌ ଏହାକୁ ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପ୍ରୟାସ ଚଳାଇଛି ବୋଲି ସେ କହିଛନ୍ତି।

ଟ୍ରମ୍ପ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ଗଣମାଧ୍ୟମକୁ ପ୍ରେସ୍ ବାର୍ତ୍ତା ଦେବା ବେଳେ ଦ୍ବିପାକ୍ଷିକ ରଣନୈତିକ ସମ୍ପର୍କର ୪ଟି ମୁଖ୍ୟ ସ୍ତମ୍ଭ ମଧ୍ୟରୁ ଉର୍ଜା ଅନ୍ୟତମ ବୋଲି ଘୋଷଣା କରିଥିଲେ। ଟେକ୍ନୋଲୋଜି, ଇନୋ‌ଭେସନ୍ ଓ କ୍ୟାପିଟାଲ ଇନ୍‌ଫ୍ଲୁଜନ୍‌ ମାଧ୍ୟମରେ ଏହା ଉର୍ଜା ସହଯୋଗକୁ ଜୋର୍‌ ଦିଆଯାଇଛି। ଏହି ଘୋଷଣା ବେଳେ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ। ଆଜି ରାତିରେ ରାଷ୍ଟ୍ରପତିବଭନରେ ଟ୍ରମ୍ପଙ୍କ ସମ୍ମାନରେ ନୈଶଭୋଜି ସଭାର ଆୟୋଜନ କରାଯାଇଥିଲା। ଏହାପରେ ଟ୍ରମ୍ପ ଆମେରିକା ଫେରିଯାଇଛନ୍ତି।

ସମ୍ବନ୍ଧିତ ଖବର