ଦୁଇ ପୁଲିସଙ୍କୁ ମୃତ୍ୟୁ ଦଣ୍ଡାଦେଶ

ଉଦୟକୁମାର ହାଜତ ମୃତ୍ୟୁ ମାମଲା

ଥିରୁଅନନ୍ତପୁରମ୍‌: ୨୦୦୫ ମସିହାର ବହୁଚର୍ଚ୍ଚିତ ଉଦୟକୁମାର ହାଜତ ମୃତ୍ୟୁ ମାମଲାରେ ଆଜି ଚୂଡ଼ାନ୍ତ ରାୟ ପ୍ରକାଶ ପାଇଛି। ମାମଲାରେ ଅଭିଯୁକ୍ତ ଦୁଇଜଣ ପୁଲିସ ଅଧିକାରୀଙ୍କୁ ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ମୃତ୍ୟୁଦଣ୍ଡାଦେଶ ଦେଇଛନ୍ତି। ମାମଲାକୁ ଅତି ବିରଳ ବୋଲି ଦର୍ଶାଇ ବିଚାରପତି ଦୋଷୀଙ୍କ ପ୍ରତି କୌଣସି ଦୟାପରବଶ ନ ହୋଇ ମୃତ୍ୟୁଦଣ୍ଡ ହିଁ ପ୍ରଯୁଜ୍ୟ ବୋଲି କହିଛନ୍ତି। କୋର୍ଟଙ୍କ ଏଭଳି ରାୟ ବିଗତ ୧୩ ବର୍ଷ ଧରି ନିଜର ଏକମାତ୍ର ପୁଅ ଉଦୟଙ୍କୁ ହରାଇ ଅତି ଦୟନୀୟ ଭାବେ ବଞ୍ଚୁଥିବା ମାଆ ପ୍ରଭାବତୀ ଆମ୍ମାଙ୍କ ଆଖିରେ ଲୁହର ଧାର ଛୁଟାଇ ଦେଇଛି। କୋର୍ଟରେ ଶୁଣାଣି ଚାଲିଥିବା ବେଳେ ୬୭ ବର୍ଷୀୟା ପ୍ରଭାବତୀ ଉପସ୍ଥିତ ଥିଲେ। କୋର୍ଟଙ୍କ ଚୂଡ଼ାନ୍ତ ରାୟକୁ ଚାତକ ଭଳି ଚାହିରହିଥିଲେ। ପୁଅର ହତ୍ୟାକାରୀଙ୍କୁ ମୃତ୍ୟୁଦଣ୍ଡ ମିଳୁ ବୋଲି ସେ ଚାହୁଥିଲେ। ଶେଷରେ ତାଙ୍କର ୧୩ ବର୍ଷର ଆଶା ପୂରଣ ହୋଇଛି। ଉଦୟଙ୍କୁ ନିରୀହ ବୋଲି ଦର୍ଶାଇ ସ୍ୱତନ୍ତ୍ର ସିବିଆଇ ବିଚାରପତି ଜଷ୍ଟିସ୍‌ ନଜର୍‌ ଅଭିଯୁକ୍ତ ପୁଲିସ ଅଧିକାରୀ କେ ଜିତୁୁକୁମାର ଏବଂ ଏସ୍‌ ଭି ଶ୍ରୀକୁମାରଙ୍କୁ ମୃତ୍ୟୁ ଦଣ୍ଡାଦେଶ ପ୍ରଦାନ କରିଛନ୍ତି।

ଦଣ୍ଡାଦେଶ ସମୟରେ ଜଷ୍ଟିସ୍‌ ନଜର୍‌ କହିଛନ୍ତି, ଆଇନର ରକ୍ଷକ ସବୁବେଳେ ଲୋକଙ୍କ ଜୀବନ ଏବଂ ସମ୍ପତ୍ତିକୁ ସୁରକ୍ଷା ଦେଇଥାନ୍ତି। କିନ୍ତୁ ଆଇନର ରକ୍ଷକ ଯେଉଁଠି ନିରୀହ ଲୋକଙ୍କ ଜୀବନ ନେବାକୁ ପଛାଉ ନାହାନ୍ତି, ସେଠି ଦଣ୍ଡର ପରିମାଣ କମ୍‌ ହେବାର କୌଣସି ପ୍ରଶ୍ନ ଉଠୁନାହିଁ। ଏଭଳି ଅପରାଧ ପାଇଁ କେବଳ ମୃତ୍ୟୁଦଣ୍ଡ ହିଁ ଶ୍ରେୟ। ଏହି ମାମଲାରେ କୋର୍ଟ ମଧ୍ୟ ଆଜି ଅନ୍ୟ ୩ ଜଣ ଅବସରପ୍ରାପ୍ତ ପୁଲିସ ଅଫିସର ଟି କେ ହରିଦାସ, ଇ କେ ସାବୁ ଏବଂ ଅଜିତ କୁମାରଙ୍କୁ ୩ ବର୍ଷ ଜେଲ୍‌ ଦଣ୍ଡାଦେଶ ଦେଇଛନ୍ତି। ଏହି ଅପରାଧକୁ ସେମାନେ ଜାଣିଶୁଣି ଘୋଡ଼ାଇବାକୁ ଚେଷ୍ଟା କରିଥିଲେ। ପ୍ରମାଣ ନଷ୍ଟ କରିବାକୁ ଉଦ୍ୟମ କରିଥିଲେ। ପୂର୍ବରୁ ମାମଲାରେ ଅନ୍ୟଜଣେ ପୁଲିସ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇ ସାରିଛି। ତେବେ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ନିଜ ଏକମାତ୍ର ପୁଅର ହତ୍ୟାକାରୀଙ୍କୁ ଦଣ୍ଡ ଦେବା ପାଇଁ ସଂଘର୍ଷ କରି ଆସିଥିବା ପ୍ରଭାବତୀ ଆମ୍ମା ଆଜି କୋର୍ଟ ପରିସରରେ ଖୁସିରେ କାନ୍ଦି ପକାଇଥିଲେ। ଅନ୍ୟ କୌଣସି ମା’ ତାଙ୍କ ଭଳି ଦୁଃଖ ନ ଭୋଗନ୍ତୁ ବୋଲି ଆମ୍ମା କହିଛନ୍ତି। ଉଲ୍ଲେଖଯୋଗ୍ୟ, ୨୭ ବର୍ଷୀୟ ଉଦୟକୁମାର ଏବଂ ତାଙ୍କର ଜଣେ ବନ୍ଧୁ ସୁରେଶଙ୍କୁ ୨୦୦୫ ମସିହା ସେପ୍ଟେମ୍ବର ୨୭ ତାରିଖରେ ଥିରୁଅନନ୍ତପୁରମ୍‌ର ଫୋର୍ଟ ପୁଲିସ ଷ୍ଟେସନ୍‌ର ଅଧିକାରୀମାନେ କୋଚିର ଶ୍ରୀକଣ୍ଠେଶ୍ୱରମ୍‌ ପାର୍କରୁ ଏକ ଚୋରି ଅଭିଯୋଗରେ ଗିରଫ କରିଥିଲେ। ସେତେବେଳେ ଉଦୟକୁମାରଙ୍କ ନିକଟରୁ ପୁଲିସ ୪,୫୦୦ ଟଙ୍କା ପାଇଥିଲା ଏବଂ ତାଙ୍କୁ ଦୋଷ ସ୍ୱୀକାର କରିବା ପାଇଁ କହି ତାଙ୍କ ଉପରେ ଥାର୍ଡ ଡିଗ୍ରୀ ପ୍ରୟୋଗ କରିଥିଲା। ଏହି ଘଟଣା ସେତେବେଳେ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା। ପୁଲିସ ଦ୍ୱାରା ଏଭଳି ଅମାନବୀୟ କାଣ୍ଡ ପାଇଁ ବ୍ୟାପକ ଆନ୍ଦୋଳନ ମଧ୍ୟ ହୋଇଥିଲା। ଉଦୟ କୁମାରଙ୍କ ମା’ଙ୍କୁ ମଧ୍ୟ ବିପୁଳ ଜନ ସମର୍ଥନ ମିଳିଥିଲା।

ସମ୍ବନ୍ଧିତ ଖବର