ଘୁଞ୍ଚିଲା ମେ’ ମାସରେ ହେବାକୁ ଥିବା ୟୁଜିସି ନେଟ୍ ପରୀକ୍ଷା

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ସଂଖ୍ୟା ପୁଣି ବଢିଚାଲିଥିବାବେଳେ ମେ ମାସରେ ହେବାକୁ ଥିବା ଡିସେମ୍ବର ୨୦୨୦ ପର୍ଯ୍ୟାୟ ୟୁଜିସି ନେଟ୍ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ନୂଆ ତାରିଖ ପରବର୍ତ୍ତୀ ସମୟରେ ଘୋଷଣା କରାଯିବ ବୋଲି ଏନଟିଏ ବା ଜାତୀୟ ପରୀକ୍ଷା ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି ।

ସ୍ବାଭାବିକ ଭାବେ ଡିସେମ୍ବର ୨୦୨୦ ପର୍ଯ୍ୟାୟ ୟୁଜିସି ନେଟ୍ ପରୀକ୍ଷା ଡିସେମ୍ବର ୨୦୨୦ରେ ହେବା କଥା । ତେବେ କରୋନା କଟକଣା କାରଣରୁ ଏହାକୁ ମେ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଥିଲା ।  ଦେଶର ବିଭିନ୍ନ କେନ୍ଦ୍ରରେ ଏହି କମ୍ପ୍ୟୁଟର ଭିତ୍ତିକ ପରୀକ୍ଷା ମେ ୨ରୁ ୧୭ ମଧ୍ୟରେ ହେବାର ଥିଲା । କିନ୍ତୁ ଏବେ ଦେଶରେ କରୋନାର ୨ୟ ଲହର ଆସିବା ପରେ ଏନଟିଏ ପକ୍ଷରୁ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି । ପରବର୍ତ୍ତୀ ସମୟରେ ନୂଆ ପରୀକ୍ଷା ତାରିଖ ଅତିକମରେ ୧୫ ଦିନ ପୂର୍ବରୁ ଜଣାଇଦିଆଯିବ ବୋଲି ଏନଟିଏ ପକ୍ଷରୁ ଆଜି ଜାରି ଏକ ଅଧିସୂଚନାରେ ସୂଚନା ଦିଆଯାଇଛି ।

ସମଗ୍ର ଦେଶରେ ଗତ ୨୪ ଘଣ୍ଟାରେ ପ୍ରାୟ ୨ ଲକ୍ଷ ୫୯ ହଜାର ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି । ଏହା ଫଳରେ ମୋଟ ଆକ୍ରାନ୍ତ ସଂଖ୍ୟା ୧.୫୩ କୋଟିରେ ପହଞ୍ଚିଛି । ଏହାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟରେ ସରକାରମାନେ ଲକଡାଉନ ଘୋଷଣା କରିଛନ୍ତି ।

ସମ୍ବନ୍ଧିତ ଖବର