ୟୁକ୍ରେନ ଯୁଦ୍ଧ: ରୁଷ୍‌ର ପଛଘୁଞ୍ଚା, ଖାରକିଭ୍‌ରୁ ସେନା ପ୍ରତ୍ୟାହାର

୬ ମାସର ଯୁଦ୍ଧରେ ନିର୍ଣ୍ଣାୟକ ମୋଡ଼

କିବ୍‌: ଛଅ ମାସର ୟୁକ୍ରେନ୍‌ ଯୁଦ୍ଧରେ ଏବେ ନିର୍ଣ୍ଣାୟକ ମୋଡ଼ ଆସିଛି। ୟୁକ୍ରେନ୍‌ର ଗୁରୁତ୍ବପୂର୍ଣ୍ଣ ଖାରକିଭ୍‌ ଓ ମାରିୟୁପୋଲ ସମେତ ୨୫ରୁ ଅଧିକ ସହରକୁ ଛାରଖାର କରି ଏହାକୁ ନିଜ ସୈନିକଙ୍କ ଗଡ଼ରେ ପରିଣତ କରିଥିବା ରୁଷ୍‌ ଏବେ ଗୁରୁତ୍ବପୂର୍ଣ୍ଣ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିବା ଆରମ୍ଭ କରିଛି। ପ୍ରଥମ ପର୍ଯ୍ୟାୟରେ ଗତ ମାର୍ଚ୍ଚରେ ରାଜଧାନୀ କିବ୍‌ରୁ ସେନା ପ୍ରତ୍ୟାହାର କରିଥିବା ରୁଷ୍‌ ଏବେ ଖାରକିଭ୍‌ର ଇଜିୟମ ଅଂଚଳରୁ ସେନା ପ୍ରତ୍ୟାହାର କରିନେଇଛି। ତେବେ ଏହି ଅଞ୍ଚଳର ସମସ୍ତ ଗୁରୁତ୍ବପୂର୍ଣ୍ଣ ପ୍ରତିଷ୍ଠାନକୁ ରୁଷ୍‌ ସେନା ଧ୍ବଂସ କରିଦେଇଛନ୍ତି। ରୁଷ୍‌ ସୈନିକଙ୍କ ସଂପୂର୍ଣ୍ଣ ଦଖଲରେ ଥିବା ୭ଟି ପ୍ରମୁଖ ଅଂଚଳରୁ ସେନା ପ୍ରତ୍ୟାହାର ଜାରି ରହିଥିବାରୁ ଏହା ସମସ୍ତଙ୍କୁ ବିସ୍ମିତ କରିଛି। ଖୁବ୍‌ ଶୀଘ୍ର ଏହି ଅଂଚଳ ୟୁକ୍ରେନ୍‌ ସେନା ନିୟନ୍ତ୍ରଣକୁ ଯିବ ବୋଲି ଜଣାପଡ଼ିଛି ।

ରୁଷ ଯେଉଁ ଅଂଚଳ ଛାଡ଼ିବାକୁ ବାଧ୍ୟ ହୋଇଛି ସେଠାରେ ବିପୁଳ ଗୋଳା ବାରୁଦ ଭଣ୍ଡାର ମଧ୍ୟ ଛାଡ଼ିଯାଇଛି। ଆମେରିକା ଓ ୟୁରୋପରୁ ମିଳିଥିବା ଅତ୍ୟାଧୁନିକ ଅସ୍ତ୍ର ଦ୍ବାରା ବିଭିନ୍ନ ଦିଗରୁ ୟୁକ୍ରେନ୍‌ ସେନାର ଆକ୍ରମଣରେ ବ୍ୟତିବ୍ୟସ୍ତ ହୋଇଉଠିଥିବାରୁ ରୁଷ୍‌ ତୁରନ୍ତ ଏହି ଅଞ୍ଚଳ ଛାଡ଼ିବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି। ଅନ୍ୟପକ୍ଷରେ ଅଧିକ ‌ଦିନ ବିପଜ୍ଜନକ ବାତାବରଣରେ ରହିବାକୁ ରୁଷ୍‌ ସେନା ଚାହୁନଥିବାରୁ ଯୋଜନାବଦ୍ଧ ଭାବେ ଏଭଳି ପଦକ୍ଷେପ ନିଆଯାଇଛି ବୋଲି କେତେକ ଯୁଦ୍ଧନୀତି ବିଶେଷଜ୍ଞ କହିଛନ୍ତି। ଏଭଳି ସ୍ଥିତିରେ ଆଗାମୀ ୨ ମାସ ମଧ୍ୟରେ ରୁଷ୍‌-ୟୁକ୍ରେନ୍‌ ଯୁଦ୍ଧକୁ ନେଇ କୌଣସି ବଡ଼ ପରିଣାମ ସାମ୍ନାକୁ ଆସିବ। ଏବେ ବି ରୁଷ୍‌ ସେନା ୟୁକ୍ରେନ୍‌କୁ ବରବାଦ କରିଦେବା ପାଇଁ ନୂଆ ନୂଆ ରଣନୀତିରେ କାମ କରୁଥିବା ବେଳେ ଅନ୍ୟପଟେ ୟୁକ୍ରେନ ସେନା ମଧ୍ୟ ରୁଷ୍‌କୁ ରୋକିବାକୁ ସବୁ ପ୍ରୟାସ କରୁଛି।

ଡୋନେସ୍କ ଓ ଲୁହାଂସ୍କ ଅଞ୍ଚଳରେ ୩ ମାସ ତଳେ ରୁଷ୍‌ ସେନା ସବୁ ପ୍ରତିଷ୍ଠାନକୁ ନିଜ ନିୟନ୍ତ୍ରଣକୁ ନେଇ ଲୋକଙ୍କୁ ରୁଷ୍‌ର ଶାସନକୁ ସ୍ବୀକାର କରିବାକୁ ବାଧ୍ୟ କରୁଥିଲା। ଏବେ ଏହି ରଣନୀତିରେ ମଧ୍ୟ ପରିବର୍ତ୍ତନ ହୋଇଛି। କେବଳ କିଛି ଅଞ୍ଚଳକୁ ନିଜ ଦଖଲରେ ରଖିବା ପରିବର୍ତ୍ତେ ୟୁକ୍ରେନ୍‌କୁ ଆର୍ଥିକ ଦୃଷ୍ଟିରୁ ପଙ୍ଗୁ କରିଦେବା ପାଇଁ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନୂଆ ଯୋଜନା କରୁଥିବା ଚର୍ଚ୍ଚା ହେଉଛି । ପୁଟିନଙ୍କ ରଣନୀତିକୁ ନେଇ ଏବେ ବି ୟୁରୋପୀୟ ରାଷ୍ଟ୍ରମାନେ ଦ୍ବନ୍ଦ୍ବରେ ଅଛନ୍ତି। ନିଜ ଅର୍ଥନୀତିକୁ ସୁଦୃଢ଼ କରିବାରେ ସକ୍ଷମ ହୋଇଥିବା ପୁଟିନ କିଛି ନୂଆ ଚାଲ୍‌ ଚଳାଇପାରନ୍ତି ବୋଲି ସେମାନେ ଆଶଙ୍କା କରୁଛନ୍ତି। ଗତକାଲି ୟୁକ୍ରେନ ରାଷ୍ଟ୍ରପତି ଭୋଲ୍‌ଡିମିର ଜେଲେନସ୍କି ଏକ ଭିଡିଓ ବାର୍ତ୍ତାରେ କହିଥିଲେ, ରୁଷ୍‌ ସେନା ଏବେ ପଛଘୁଞ୍ଚା ଦେବାପାଇଁ ବାଧ୍ୟ ହୋଇଛି ଏବଂ ୟୁକ୍ରେନ ସେନାର ବୀରତ୍ବ ପାଇଁ ଏହା ସମ୍ଭବ ହୋଇପାରିଛି। ରୁଷ୍‌ ସେନା ନିୟନ୍ତ୍ରଣରୁ ୨୦୦୦ ବର୍ଗ କିମି ଅଞ୍ଚଳ ଚଳିତ ମାସରେ ପୁନଃ ଦଖଲକୁ ନିଆଯାଇଛି ବୋଲି ଜେଲେନସ୍କି କହିଥିଲେ।

ସମ୍ବନ୍ଧିତ ଖବର