ରାଜ୍ୟସ୍ତରୀୟ ବନବାହିନୀ ସହିଦ ସ୍ମାରକୀ ଉନ୍ମୋଚିତ

ଭୁବନେଶ୍ବର: ଜାତୀୟ ଜଙ୍ଗଲ ସହିଦ ଦିବସ ଅବସରରେ ଓଡ଼ିଶାର ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସମୟରେ ପ୍ରାଣ ହରାଇଥିବା ସହିଦଙ୍କ ଅମ୍ଳାନ ସ୍ମୃତି ଉଦ୍ଦେଶ୍ୟରେ ଆଜି ପୂର୍ବାହ୍ନରେ ରାଜ୍ୟସ୍ତରୀୟ ବନ ବାହିନୀ ସହିଦ ସ୍ମାରକୀ ଉନ୍ମୋଚିତ ହୋଇଛି। ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଉଦ୍ଭିଦ ସମ୍ବଳ କେନ୍ଦ୍ରଠାରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହାକୁ ଉନ୍ମୋଚନ କରିବା ସହ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ସମୟରେ ସହିଦ ହୋଇଥିବା ରାଜ୍ୟର ୨୧ଜଣ ଜଙ୍ଗଲ ବିଭାଗର ଅଧିକାରୀ ଓ କ୍ଷେତ୍ର କର୍ମଚାରୀଙ୍କ ନାମ ଏହି ସ୍ମାରକୀରେ ଉଲ୍ଲେଖ ହୋଇଛି।

ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତି ଯେ ଜଙ୍ଗଲ ବିଭାଗର କ୍ଷେତ୍ର କର୍ମଚାରୀମାନେ ଜଙ୍ଗଲକୁ ସୁରକ୍ଷା ଦେବା ବେଳେ ଅନେକ ଆହ୍ୱାନର ସମ୍ମୁଖୀନ ହୁଅନ୍ତି। ମାନବ-ବନ୍ୟଜନ୍ତୁ ବିବାଦ ଓ ଜଙ୍ଗଲରେ ଅଗ୍ନି ସଂଯୋଗ ଭଳି ପ୍ରତିକୂଳ ପରିସ୍ଥିତିରେ ବିଭାଗୀୟ କ୍ଷେତ୍ର କର୍ମଚାରୀମାନେ ଅସାଧାରଣ ସାହସ ଦେଖାଇ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କୁ ଅନେକ ମାତ୍ରାରେ ସୁରକ୍ଷିତ କରି ରଖିବାରେ ସମର୍ଥ ହୋଇଛନ୍ତି। ଜଙ୍ଗଲ ଓ ବନ୍ୟଜନ୍ତୁ ସୁରକ୍ଷା ନିମନ୍ତେ ସମାଜର ପ୍ରତ୍ୟେକ ବର୍ଗର ନାଗରିକଙ୍କୁ ଅଧିକରୁ ଅଧିକ ସଚେତନ କରିବା ସହିତ ଜଙ୍ଗଲ ସୁରକ୍ଷା ନିୟମକୁ ଅଧିକ କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରିବାକୁ ପଡ଼ିବ। କାରଣ ପ୍ରକୃତିର ସନ୍ତୁଳନ ବଜାୟ ରଖିବାକୁ ହେଲେ ଜଙ୍ଗଲ ଓ ବନ୍ୟଜନ୍ତୁଙ୍କ ସୁରକ୍ଷା ଅପରିହାର୍ଯ୍ୟ ବୋଲି ସେ କହିଥିଲେ। କାର୍ଯ୍ୟକ୍ରମରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପ୍ରଧାନ ମୁଖ୍ୟ ବନସଂରକ୍ଷକ ଓ ଜଙ୍ଗଲ ବାହିନୀର ମୁଖ୍ୟ ଦେବୀଦତ୍ତ ବିଶ୍ୱାଳ, ପ୍ରଧାନ ମୁଖ୍ୟ ବନସଂରକ୍ଷକ ସୁଶ୍ରୀ ପୁସା ଜେଡ୍‌. ମେକ୍ରୋ ଓ ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ପ୍ରଦୀପ କୁମାର ରାଉତ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର