ଜାତିସଂଘ ମୁଖ୍ୟଙ୍କ ଉଦ୍‌ବେଗ : କୋଭିଡ୍ ନିୟନ୍ତ୍ରଣରେ ଆନ୍ତର୍ଜାତିକ ସହଯୋଗର ଅଭାବ

ଜାତିସଂଘ : ବର୍ତ୍ତମାନ ସୁଦ୍ଧା ସାରା ବିଶ୍ବରେ ୯୪ ଲକ୍ଷରୁ ଅଧିକ ଲୋକଙ୍କୁ ଆକ୍ରାନ୍ତ କରିବା ସହ ୪ ଲକ୍ଷ ୮୧ ହଜାରରୁ ଅଧିକ ମୃତ୍ୟୁର କାରଣ ସାଜିଥିବା ମହାମାରୀ କୋଭିଡ୍୧୯ର ମୁକାବିଲା ପାଇଁ ଆନ୍ତର୍ଜାତିକ ସହଯୋଗର ଘୋର ଅଭାବ ରହିଛି ବୋଲି ଜାତି ସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ ଖେଦୋକ୍ତି ପ୍ରକାଶ କରିଛନ୍ତି। ଏହି ଘାତକ ରୋଗ ବିରୋଧରେ ଅନେକ ଦେଶର ଏକା ଏକା ଲଢ଼ିବା ଚିନ୍ତାଧାରା କେବେ ଆଶାନୁରୂପ ସଫଳତା ଆଣିଦେବନି ବୋଲି ସେ ସତର୍କ କରାଇ ଦେଇଛନ୍ତି। ସେହିପରି ଅନ୍ୟମାନଙ୍କର ସହଯୋଗ କାମନା ଅପେକ୍ଷା କିଛି ଦେଶର ଏଭଳି ମନୋବୃତ୍ତି ପରିସ୍ଥିତିକୁ ଅଧିକ ଜଟିଳ ଏବଂ ଅନିୟନ୍ତ୍ରିତ କରିଦେଉଛି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ତେଣୁ ବର୍ତ୍ତମାନ ସ୍ଥିତିରେ ସଂକ୍ରମଣକୁ ରୋକିବା ଏବଂ ଆକ୍ରାନ୍ତମାନଙ୍କ ଚିକିତ୍ସା ଦିଗରେ ପ୍ରତ୍ୟେକଙ୍କୁ ମିଳିମିଶି କାମ କରିବା ହିଁ ସମୟର ଆହ୍ବାନ ବୋଲି ସେ କହିଛନ୍ତି। ସେହିପରି ରାଜନୈତିକ, ଅର୍ଥନୈତିକ ଏବଂ ସାମାଜିକ ସ୍ଥିତିର ସମ୍ବନ୍ଧ ପୂର୍ବକ କୋଭିଡ୍-୧୯ ଜନିତ ବୃତ୍ତି ହରାଇବା, ସାମାଜିକ ହିଂସା ବଢ଼ିବା ଏବଂ ମାନବିକ ଅଧିକାର ଉଲ୍ଲଂଘନ ହେବା ଆଦି ବିବାଦୀୟ ପରିସ୍ଥିତିର ସାମୂହିକ ମୁକାବିଲା କରିବା ପାଇଁ ସେ ଆଶାବାଦୀ ଥିବା କହିଛନ୍ତି।

ସମ୍ବନ୍ଧିତ ଖବର